ନୂଆଦିଲ୍ଲୀ : ଆହ୍ଲାବାଦ ହାଇକୋର୍ଟର ଲକ୍ଷ୍ନୌ ବେଞ୍ଚ କଥିତ ଦ୍ୱୈତ ନାଗରିକତା ମାମଲାରେ କଂଗ୍ରେସ ନେତା ତଥା ଲୋକସଭାରେ ବିରୋଧୀ ନେତା ରାହୁଲ ଗାନ୍ଧୀଙ୍କ ବିରୁଦ୍ଧରେ ଏଫଆଇଆର ରୁଜୁ କରିବା ପାଇଁ , ଖୋଲା କୋର୍ଟରେ ଶୁଣାଯାଇଥିଲା ତାଙ୍କ ଆଦେଶକୁ ସ୍ଥଗିତ ରଖିଛନ୍ତି। ଶନିବାର ହାଇକୋର୍ଟର ୱେବସାଇଟରେ ଉପଲବ୍ଧ ଏହି ଆଦେଶରେ କୋର୍ଟ କହିଛନ୍ତି ଯେ, ଶୁକ୍ରବାର ଶୁଣାଣି ସମୟରେ ଆବେଦନକାରୀଙ୍କ ସମେତ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଓକିଲମାନଙ୍କୁ ପଚରାଯାଇଥିଲା ଯେ, ଏହି ମାମଲାରେ ବିରୋଧୀ ନମ୍ବର ୱାନ୍ (ରାହୁଲ ଗାନ୍ଧୀ)ଙ୍କୁ ନୋଟିସ୍ ଜାରି କରିବା ଆବଶ୍ୟକ କି ?
ଆଦେଶରେ କୁହାଯାଇଛି ଯେ, ଓକିଲମାନେ କୋର୍ଟକୁ କହିଥିଲେ ଯେ, ନୋଟିସ ଜାରି କରିବାର କୌଣସି ଆବଶ୍ୟକତା ନାହିଁ , ଯାହା ପରେ ଖୋଲା କୋର୍ଟରେ ଏଫଆଇଆର ପଞ୍ଜିକରଣ ପାଇଁ ଏକ ବିସ୍ତୃତ ନିର୍ଦ୍ଦେଶ ଦିଆଯାଇ ଥିଲା, ହେଲେ ନିଜର ଉକ୍ତ ଆଦେଶ ଟାଇପ୍ ହେବା ଏବଂ ଏହା ଉପରେ ଦସ୍ତଖତ କରିବା ପୂର୍ବରୁ, ଜଷ୍ଟିସ୍ ସୁଭାଷ ବିଦ୍ୟାର୍ଥୀ ପର୍ଯ୍ୟବେକ୍ଷଣ କରିଥିଲେ ଯେ, ଆହ୍ଲାବାଦ ହାଇକୋର୍ଟର ପୂର୍ଣ୍ଣ ଖଣ୍ଡପୀଠ ୨୦୧୪ ମସିହାରେ ପାରିତ ଏକ ନିଷ୍ପତ୍ତିରେ କହିଥିଲେ ଯେ, ଏଫଆଇଆର ପଞ୍ଜିକରଣ ପାଇଁ ଆବେଦନଗୁଡ଼ିକୁ ଖାରଜ କରାଯିବା କ୍ଷେତ୍ରରେ, କେବଳ ଏକ ସଂଶୋଧନ ଆବେଦନ ବଜାୟ ରହିବ ଏବଂ ଏପରି ଆବେଦନ ଉପରେ ପ୍ରସ୍ତାବିତ ଅଭିଯୁକ୍ତଙ୍କୁ ନୋଟିସ ପଠାଇବା ବାଧ୍ୟତାମୂଳକ।
କୋର୍ଟ କହିଛନ୍ତି ଯେ, ଏହି ଆଇନଗତ ସ୍ଥିତିକୁ ଦୃଷ୍ଟିରେ ରଖି, ବିରୋଧୀ ନମ୍ବର ୱାନ (ରାହୁଲ ଗାନ୍ଧୀ)ଙ୍କୁ ନୋଟିସ୍ ଜାରି ନକରି ମାମଲାର ନିଷ୍ପତ୍ତି ନେବା ଉପଯୁକ୍ତ ହେବ ନାହିଁ । କୋର୍ଟ ପରବର୍ତ୍ତୀ ଶୁଣାଣି ପାଇଁ ଏପ୍ରିଲ ୨୦ତାରିଖ ଧାର୍ଯ୍ୟ କରିଛନ୍ତି।
ଉଲ୍ଲେଖନୀୟ ଯେ ଶୁକ୍ରବାର ଦିନ, କର୍ଣ୍ଣାଟକ ବାସିନ୍ଦା ଏସ. ଭିଗ୍ନେଶ ଶିଶିରଙ୍କ ଦ୍ୱାରା ଦାୟର ଏକ ଆବେଦନ ଉପରେ ଶୁଣାଣି କରି ,କୋର୍ଟ ରାହୁଲ ଗାନ୍ଧୀଙ୍କ ବିରୁଦ୍ଧରେ କଥିତ ଦ୍ୱୈତ ନାଗରିକତା ମାମଲାର ଓପନ କୋର୍ଟରେ ଶୁଣାଣି ପାଇଁ ନିର୍ଦ୍ଦେଶ ଦେଇଥିଲେ। ଆବେଦନକାରୀ ଭାରତୀୟ ଦଣ୍ଡ ସଂହିତା, ସରକାରୀ ଗୁପ୍ତ ଆଇନ, ବିଦେଶୀ ଆଇନ ଜନ ଏବଂ ପାସପୋର୍ଟ ଆଇନ ଅନୁଯାୟୀ ରାହୁଲ ଗାନ୍ଧୀଙ୍କ ବିରୁଦ୍ଧରେ ଅନେକ ଗମ୍ଭୀର ଅଭିଯୋଗ ଆଣିଛନ୍ତି ଏବଂ ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ ଦାବି କରିଛନ୍ତି। ନିମ୍ନ ଅଦାଲତ ପୂର୍ବରୁ ପୂର୍ବରୁ ଆବେଦନକାରୀଙ୍କ ଆବେଦନକୁ ଖାରଜ କରି ଦେଇଥିଲେ ।