ସମ୍ବଲପୁର, ୦୬/୦୭: ଆଜି ହୀରାକୁଦ ଜଳଭଣ୍ଡାରରୁ ଚଳିତ  ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯିବ । ଏଥର ଆଗୁଆ ମୌସୁମୀ ସହ ପ୍ରବଳ ବର୍ଷା ପାଇଁ ଗତବର୍ଷଠାରୁ ଢେର ଆଗୁଆ ବନ୍ୟା ଜଳ  ନିଷ୍କାସନ କରାଯିବାକୁ ନିଷ୍ପତ୍ତି ହୋଇଛି । ଯେପରି କୌଣସି ସମସ୍ୟା ନ ହୁଏ ସେଥିଲାଗି ଜଳଭଣ୍ଡାର କର୍ତ୍ତୃପକ୍ଷଙ୍କ  ପକ୍ଷରୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ  ପହଞ୍ଚିଛି ।  

ହୀରାକୁଦ ବନ୍ଧ ନିୟନ୍ତ୍ରଣ  କକ୍ଷ ସୂଚନା ଅନୁସାରେ, ଚଳିତବର୍ଷ ଆଗୁଆ ମୌସୁମୀ ଓ ଲଗାତାର ଲଘୁଚାପ  ପ୍ରଭାବରେ ପ୍ରବଳ ବର୍ଷା ଲାଗିରହିଛି । ହୀରାକୁଦ ଉପର ମୁଣ୍ଡରେ ସପ୍ତାହେ ହେଲା ପ୍ରବଳରୁ ଅତିପ୍ରବଳ ବର୍ଷା  ହୋଇଛି । ଜଳଭଣ୍ଡାର ଜଳସ୍ତର ୬୦୮ ଫୁଟ୍‌ ଅତିକ୍ରମ କରିଛି । ଶନିବାର  ସନ୍ଧ୍ୟା ୬ଟା ସୁଦ୍ଧା ଜଳସ୍ତର ୬୦୮.୬ ଫୁଟ୍‌ ରହିଛି । ପ୍ରତି ସେକେଣ୍ଡରେ  ୧ ଲକ୍ଷ ୨୨ ହଜାର କ୍ୟୁସେକ୍‌ ଜଳ ପ୍ରବେଶ କରୁଛି । ପାୱାର କେନାଲ୍‌ରେ  ସର୍ବାଧିକ ୩୪,୪୯୧ କ୍ୟୁସେକ୍‌ ସହ ମୋଟ ୩୭,୭୯୩ କ୍ୟୁସେକ୍‌ ଜଳ  ନିଷ୍କାସନ ହେଉଛି । ରବିବାର ସକାଳେ ଜଳସ୍ତର ବୃଦ୍ଧି ପାଇ ୬୧୦ ଫୁଟ୍‌ ଛୁଇଁବା ସମ୍ଭାବନା ରହିଛି ।  ତେଣୁ ପ୍ରାଥମିକ ଭାବେ ୬ରୁ ୮ଟି ଗେଟ୍‌  ଖୋଲିବାର ଯୋଜନା ରହିଛି । ଗଚ୍ଛିତ ଜଳ  ପରିମାଣ, ଜଳପ୍ରବାହ ଏବଂ ପାଣିପାଗ  ବିଭାଗର ଆକଳନକୁ ଦେଖି କେତୋଟି  ଗେଟ୍‌ ଖୋଲାଯିବ ସେ ନେଇ ଚୂଡ଼ାନ୍ତ  ନିଷ୍ପତ୍ତି ନିଆଯିବ ବୋଲି ମୁଖ୍ୟଯନ୍ତ୍ରୀ ଇଂ. ସୁଶୀଲ କୁମାର ବେହେରା କହିଛନ୍ତି ।