ନୂଆଦିଲ୍ଲୀ,୧୦/୦୨; ନିଜ ନିଜ ଟିକଟ୍ ବୁକ୍ କରିଛନ୍ତି ତ ? ହକି ପ୍ରେମୀ ଧ୍ୟାନ ଦିଅନ୍ତୁ । ହକି ଜ୍ୱରରେ କମ୍ପିବ ଷ୍ଟିଲ୍‌ ସିଟି । ଆଜିଠାରୁ ରାଉରକେଲା ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଆରମ୍ଭ ହେବାକୁ ଯାଉଛି ଏଫ୍ଆଇଏଚ୍ ପୁରୁଷ ପ୍ରୋ ଲିଗ୍ । ଘରୋଇ ଗ୍ରାଉଣ୍ଡରେ ଭାରତ ଭ୍ରମଣକାରୀ ଆର୍ଜେଣ୍ଟିନା ଓ ବେଲଜିୟମକୁ ଭେଟିବ । ପ୍ରଥମ ଦିବସରେ ବେଲଜିୟମ ଓ ଆର୍ଜେଣ୍ଟିନା ଖେଳିବେ । ଆସନ୍ତା ୧୧ ତାରିଖରୁ ଭାରତ ବେଲଜିୟମ ବିପକ୍ଷରେ ଅଭିଯାନ ଆରମ୍ଭ କରିବ ।

ଘରୋଇ ଗ୍ରାଉଣ୍ଡରେ ଭାରତ ପ୍ରୋ ଲିଗର ୨୦୨୫-୨୬ ସିଜନ ଆରମ୍ଭ କରିବ । ତେଣୁ ସମସ୍ତ ମ୍ୟାଚ୍‌ରେ ବିଜୟୀ ହେବାକୁ ହର୍ମନପ୍ରୀତ ସିଂଙ୍କ ନେତୃତ୍ୱାଧୀନ ଦଳ ଲକ୍ଷ୍ୟ ରଖିଛି । ୨୪ ଜଣିଆ ଭାରତୀୟ ଦଳରେ ୫ ଜଣ ଓଡ଼ିଆ ସାମିଲ ରହିଛନ୍ତି । ସେମାନେ ହେଲେ ଅମିତ ରୋହିଦାସ, ନୀଲମ ସଞ୍ଜୀପ ଖେସ, ଅମନଦୀପ ଲାକ୍ରା, ରୋଶନ କୁଜୁର ଓ ଶିଳାନନ୍ଦ ଲାକ୍ରା । ୧୧ ତାରିଖରେ ବେଲଜିୟମ ବିପକ୍ଷରେ ପ୍ରଥମ ମ୍ୟାଚ୍ ଖେଳିବା ପରେ ଭାରତ ତହିଁ ପରଦିନ ଆର୍ଜେଣ୍ଟିନାକୁ ଭେଟିବ । ୧୩ ତାରିଖରେ ଆର୍ଜେଣ୍ଟିନା ଓ ବେଲଜିୟମ ଦ୍ୱିତୀୟ ମ୍ୟାଚ୍ ଖେଳିବେ । ୧୪ରେ ଭାରତ-ବେଲଜିୟମ ଏବଂ ୧୫ରେ ଭାରତ- ଆର୍ଜେଣ୍ଟିନା ମଧ୍ୟରେ ଦ୍ୱିତୀୟ ରାଉଣ୍ଡ ମ୍ୟାଚ୍ ଖେଳାଯିବାର ସୂଚୀ ରହିଛି । ଆର୍ଜେଣ୍ଟିନା ଏବଂ ବେଲିଜିୟମ ବିପକ୍ଷରେ ଭାରତ ୪ଟି ମ୍ୟାଚ ଖେଳିବ ।

​​​​​​​

ଏହା ବି ପଢନ୍ତୁ...ଟି-ଟ୍ୱେଣ୍ଟି ବିଶ୍ୱକପ; ଇଟାଲୀ ବିପକ୍ଷରେ ସ୍କଟଲାଣ୍ଡରେ ବିଶାଳ ବିଜୟ, ବାଂଲାଦେଶ ସ୍ଥାନରେ ମିଳିଥିଲା ଏଣ୍ଚ୍ରୀ

ଭାରତୀୟ ଦଳରେ ଯୁବ ଓ ବରିଷ୍ଠ ଖେଳାଳିଙ୍କୁ ସୁଯୋଗ ମିଳିଛି । ଦୀର୍ଘ ଦିନ ଧରି ଆହତ ଯୋଗୁ ଦଳରୁ ଦୂରେଇ ରହିଥିବା ଫରୱାର୍ଡ ଅରଇଜିତ ସିଂ ହୁଣ୍ଡାଲ ବେଶ ଉତ୍ସାହିତ ରହିଛନ୍ତି । ‘ନିଜକୁ ପ୍ରମାଣିତ କରିବାର ପ୍ରୋ ଲିଗ୍ ମୋ ପାଇଁ ଏକ ବଡ଼ ମାଧ୍ୟମ ବୋଲି ସେ କହିଛନ୍ତି ।