ନୂଆଦିଲ୍ଲୀ,୧୦/୦୨; ବାଂଲାଦେଶ ସ୍ଥାନରେ ଚଳିତ ଟି-ଟ୍ୱେଣ୍ଟି ବିଶ୍ୱକପ ଖେଳୁଥିବା ସ୍କଟଲାଣ୍ଡ ଦଳ ବିଶାଳ ବିଜୟ ସହ ଟି-ଟ୍ୱେଣ୍ଟି ବିଶ୍ୱକପରେ ପଏଣ୍ଟ ଖାତା ଖୋଲିଛି । ପ୍ରଥମ ମ୍ୟାଚରେ ୱେଷ୍ଟ ଇଣ୍ଡିଜ ଠାରୁ ପରାଜିତ ହୋଇଥିବା ସ୍କଟଲାଣ୍ଡ ଦ୍ୱିତୀୟ ମ୍ୟାଚରେ ୭୩ ରନ୍ରେ ନବାଗତ ଇଟାଲୀକୁ ପରାସ୍ତ କରିଛି । ମ୍ୟାଚ ହାରିଥିରେ ଇଟାଲୀ ତାର ପ୍ରଥମ ବିଶ୍ୱକପ ମ୍ୟାଚରେ ବହୁତ ଭଲ ଖେଳ ପ୍ରଦର୍ଶନ କରିଥିଲା ।
ଇଡେନ ଗାର୍ଡେନ୍ସ ଠାରେ ଅନୁଷ୍ଠିତ ଗ୍ରୁପ୍ ସି’ର ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ସ୍କଟଲାଣ୍ଡ ୪ ୱିକେଟ୍ ବିନିମୟରେ ୨୦୭ ରନ ସଂଗ୍ରହ କରିଥିଲା । ଜବାବରେ ଇଟାଲୀ ୧୬.୪ ଓଭରରେ ୧୩୪ ରନ କରି ଅଲ୍ ଆଉଟ୍ ହୋଇ ଯାଇଥିଲା । ୫ଟି ବଲ୍ରେ ଅପରାଜିତ ୨୨ ରନ ସଂଗ୍ରହ କରିବା ସହ ବୋଲିଂ କରି ୪ଟି ୱିକେଟ୍ ନେଇଥିବା ମାଇକେଲ ଲିସ୍କ ପ୍ଲେୟାର ଅଫ ଦ ମ୍ୟାଚ ବିବେଚିତ ହୋଇଥିଲେ । ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ସ୍କଟଲାଣ୍ଡର ଦୁଇ ଓପନର ଜର୍ଜ ମୁନସୀ ଓ ମାଇକେଲ ଜୋନ୍ସ ୧୨୬ ରନ ସଂଗ୍ରହ କରିଥିଲେ । ମୁନସୀ ୫୪ଟି ବଲ୍ରେ ୧୩ଚୌକା ଓ ୨ଛକା ବଳରେ ୮୪ ରନ କରି ପ୍ରଥମେ ଆଉଟ୍ ହୋଇଥିଲେ । ମଧ୍ୟ ଭାଗରେ ବ୍ରାଣ୍ଡନ ମ୍ୟାକମୁଲେନ ୧୮ଟି ବଲ୍ରେ ୪୧ (୪ଛକା) ଓ ଜୋନ୍ସ ୩୭ (୧ଚୌକା, ୨ଛକା) ରନ ସଂଗ୍ରହ କରିବା ଫଳରେ ଦଳୀୟ ସ୍କୋର ୨୦୭ରେ ପହଞ୍ଚି ଯାଇଥିଲା ।
ଏହା ବି ପଢନ୍ତୁ...ଟି-ଟ୍ୱେଣ୍ଟି ବିଶ୍ୱକପ; ବ୍ୟାଟିଂ-ବୋଲିଂରେ କମାଲ କଲା ଜିମ୍ବାୱେ, ଓମାନକୁ ୮ ୱିକେଟରେ ହରାଇଲା
ଜବାବରେ ଇଟାଲୀ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ୪୦ ରନ୍ରେ ୩ଟି ୱିକେଟ୍ ହରାଇଥିଲା । ଚତୁର୍ଥ ୱିକେଟ୍ରେ ହ୍ୟାରୀ ମାନେଣ୍ଟି ଓ ବେନ ମାନେଣ୍ଟି ୭୩ ରନ୍ର ଭାଗିଦାରୀ ଗଠନ କରି ଦଳୀୟ ସ୍କୋରକୁ ୧୧୩ରେ ପହଞ୍ଚାଇଥିଲେ । ମାତ୍ର ଏହି ଯୋଡ଼ି ଭାଙ୍ଗିବା ପରେ ଇଟାଲୀ ପୁନର୍ବାର ବିପର୍ଯ୍ୟୟର ସମ୍ମୁଖୀନ ହୋଇ ୧୩୪ ରନ ଅଲ୍ ଆଉଟ୍ ହୋଇ ଯାଇଥିଲା । ବେନ ୩୧ଟି ବଲ୍ରେ ୫୨ (୫ଚୌକା, ୧ଛକା), ହ୍ୟାରୀ ୨୫ଟି ବଲ୍ରେ ୩୭ (୧ଚୌକା, ୩ଛକା), ଜେଜେ ସ୍ମଟ୍ସ ୨୨ (୨ଚୌକା, ୨ଛକା) ଓ ଆନ୍ଥୋନୀ ମୋସ୍କା ୧୩ ରନ କରିଥିଲେ । ଅନ୍ୟ କେହି ଦୁଇ ଅଙ୍କ ଛୁଇଁ ପାରି ନଥିଲେ ।