ନୂଆଦିଲ୍ଲୀ : ପଶ୍ଚିମ ଏସିଆରେ ଇରାନ , ଆମେରିକା ଓ ଇସ୍ରାଏଲ ମଧ୍ୟରେ ଜାରି ଯୁଦ୍ଧ ବୈଶ୍ୱିକ ଶକ୍ତି ସଙ୍କଟକୁ ବଢାଇ ଦେଇଛି। ଅନେକ ଦେଶର ଜାହାଜ ଏହି ସମୟରେ ହୋର୍ମୁଜ ଆଖପାଖରେ ଫସି ରହିଛନ୍ତି। ଏହି ମଧ୍ୟରେ ସାଉଦୀ ଆରବରୁ ଅଶୋଧିତ ତୈଳ ନେଇ ଭାରତ ଆସୁଥିବା ଏକ ଜାହାଜ ହୋର୍ମୁଜରୁ ସୁରକ୍ଷିତ ରୂପେ ଭାରତରେ ଆସି ପହଞ୍ଚିଛି। ଯୁଦ୍ଧ ଆରମ୍ଭ ହେବା ପରେ ଏହି ରାସ୍ତାରେ ସୁରକ୍ଷିତ ଆସି ଭାରତରେ ପହଞ୍ଚିବା ଏହା ପ୍ରଥମ ଜାହାଜ ହୋଇ ପାରିଛି।

ଏହାସହ ମଧ୍ୟ ପଢନ୍ତୁ : କେଉଁଠି ୱାର୍କ ଫ୍ରମ୍ ହୋମ୍ ତ ଆଉ କେଉଁ ସ୍କୁଲ ବନ୍ଦ ; ଇନ୍ଧନ ସଙ୍କଟରେ ସମଗ୍ର ଏସିଆରେ ହାହାକାର

ହିନ୍ଦୁସ୍ତାନଟାଇମ୍ସର ରିପୋର୍ଟ ମୁତାବିକ , ଲାଇବେରିଆର ପତାକା ଥିବା ସ ସେନଲଙ୍ଗ୍ ସ୍ୱେଜମ୍ୟାକ୍ସ ନାମକ ଏକି ଜାହାଜ ୧ ମାର୍ଚ୍ଚରେ ସାଉଦୀ ଆରବର ରାସ ତନୁରା ପୋର୍ଟରୁ ଅଶୋଧ୍ତ ତୈଳ ଲୋଡ୍ କରିଥିଲା। ଏହାପରେ ଏହା ୩ ମାର୍ଚ୍ଚରେ ସେଠାରୁ ପ୍ରସ୍ଥାନ କଲା। ହୋର୍ମୁଜ ପ୍ରଣାଳୀରେ ଲଗାତାର ସଂଘର୍ଷ ଯୋଗୁଁ ଏହି ଜାହାଜ ସେଠାରେ ଫସି ରହିଥିଲା। ଏହାପରେ ୮ ମାର୍ଚ୍ଚରେ ଷ୍ଟ୍ରେଟ୍ ଅଫ୍ ହୋର୍ମୁଜ ଭିତରେ ହିଁ ଏହାର ଶେଷ ସିଗନାଲ ମିଳିଲା ଏବଂ ପୁଣି ତାହା ଟ୍ରାକିଂ ସିଷ୍ଟମରୁ ଗାଏବ ହୋଇଗଲା। ଏହା ଏହି କଥାର ସଙ୍କେତ ଯେ, ଜାହାଜର କ୍ରୁ ବିପଜ୍ଜନକ ଅଞ୍ଚଳ ମଧ୍ୟ ଦେଇ ଯାଉଥିବା ବେଳେ ନିଜର ଅଟୋମେଟିକ୍ ଆଇଡେଣ୍ଟିଫିକେସନ ସିଷ୍ଟମ (ଏଆଇଏସ)କୁ ବନ୍ଦ କରିଦେଇ ଥିଲା। ସାମୁଦ୍ରିକ ଜାହାଜ ଭାଷାରେ ଏହାକୁ ଗୋଇଂ ଡାର୍କ କହନ୍ତି।

ଗୋଇଂ ଡାର୍କ କଣ ?

ଆପଣଙ୍କୁ ଜଣାଇ ଦେଉଛୁ ଯେ, ଏଆଇଏସ୍କୁ ସାଧାରଣ ଭାବେ ଜାହାଜକୁ ଚିହ୍ନଟ କରିବା , ଲୋକେସନ ଦିଗ ଓ ଗତିର ସୂଚନା ପ୍ରସାରିତ କରିବା ପାଇଁ ଚାଲୁ ରଖାଯାଇ ଥାଏ। ଅନ୍ତର୍ଜାତୀୟ ନିୟମାନୁସାରେ, ସାଧାରଣ ପରିସ୍ଥିତି ଗୁଡ଼ିକର ସ୍ଥିତିରେ ଏହାକୁ ଚାଲୁ ରଖିବା ଅନିବାର୍ଯ୍ୟ ହୋଇଥାଏ। ହେଲେ ଯୁଦ୍ଧ କିମ୍ୱା ସଂଘର୍ଷ ଥିବା କ୍ଷେତ୍ରରେ ଶତ୍ରୁର ନଜରରୁ ରକ୍ଷା ପାଇବା ପାଇଁ ଅନେକ ଥର ଏହାକୁ ବନ୍ଦ ମଧ୍ୟ କରିଦିଆ ଯାଏ, ଯାହାକି ଜାହାଜକୁ ଟ୍ରାକ୍ ହେବାରୁ ରକ୍ଷା ଯାଇ ପାରିବ।

କେତେ ତୈଳ ନେଇ ଭାରତକୁ ଆସିଲା ସେନଲଙ୍ଗ୍‌ ସ୍ୱେଜମ୍ୟାକ୍ସ ?

ମୁମ୍ୱାଇ ପୋର୍ଟ ଅଥୋରିଟିର ଡେପୁଟୀ କଞ୍ଜରଭେଟର ପ୍ରବୀଣ ସିଂହଙ୍କ ମୁତାବିକ , ସାଉଦୀ ଆରବରୁ ଆସୁଥିବା ଏହି ଜାହାଜରେ ୧,୩୫,୩୩୫ ମେଟ୍ରିକ୍‌ ଟନ୍‌ ଅଶୋଧିତ ତୈଳ ଅଛି, ବର୍ତ୍ତମାନ ଏହା ଜବାହର ଦ୍ୱୀପ ଟର୍ମିନାଲରେ ଠିଆ ହୋଇଛି। ଏହାର ତୈଳକୁ ପୂର୍ବ ମୁମ୍ୱାଇର ମାହୁଲ କ୍ଷେତ୍ରର ରିଫାଇନାରୀ ଗୁଡ଼ିକୁ ପଠାଯିବ। ଏହାପ ପୂରା ତୈଳ ଅନଲୋଡିଂ କରିବାରେ ଏବେ  ୩୬ ଘଣ୍ଟାର ସମୟ ଲାଗିବ। ଅଧିକାରୀଙ୍କ ମୁତାବିକ ଏହି ଜାହାଜରେ ୨୯ ସଦସ୍ୟ ବିଶିଷ୍ଟ କ୍ରୁ ଅଛନ୍ତି, ଯେଉଁଥିରେ ଭାରତୀୟ , ପାକିସ୍ତାନୀ ,ଓ ପାଲେଷ୍ଟିନୀୟ ନାବିକ ସାମିଲ ଅଛନ୍ତି। ଜାହାଜର କ୍ୟାପଟେନ ସୁକ୍ଷାନ୍ତ ସିଂହ ସନ୍ଧୁ ଅଛନ୍ତି।

ସେନଲଙ୍ଗ୍‌ ସ୍ୱେଜମ୍ୟାକ୍ସ ନାମକ ଏହି ଜାହାଜ ତ ଭାରତରେ ପହଞ୍ଚି ଗଲା , ହେଲେ ସାଉଦୀ ଆରବରୁ ଭାରତର କଣ୍ଡାଲା ପୋର୍ଟ ଆସୁଥିବା ମୟୁରୀ ନାରୀ ନାମକ ଏକ ଥାଇ ଜାହାଜ ଉପରେ ଆକ୍ରମଣ ହୋଇଛି। ପ୍ରୋଜେକ୍ଟାଇଲ ଦ୍ୱାରା କରାଯାଇଥିବା ଏହି ଆକ୍ରମଣ କାରଣରୁ ଏଥିରେ ନିଆଁ ଲାଗି ଯାଇଥିଲା, ଏହାର ୩ କ୍ରୁ ସଦସ୍ୟ ଏବେ ବି ନିଖୋଜ ଅଛନ୍ତି।

ଉଲ୍ଲେଖନୀୟ ଯେ, ଭାରତ ସରକାରଙ୍କ ସୂତ୍ରାନୁସାରେ  କୁହାଯାଇ ଥିଲା ଯେ,ଇରାନୀ ବୈଦେଶିକ ମନ୍ତ୍ରୀ ଓ ବୈଦେଶିକ ମନ୍ତ୍ରୀ ଜୟଶଙ୍କରଙ୍କ ମଧ୍ୟରେ ହୋଇଥିବା କଥାବାର୍ତ୍ତା ପରେ, ଇରାନ ଭାରତୀୟ ଜାହାଜ ଗୁଡ଼ିକୁ ହୋର୍ମୁଜରୁ ଶାନ୍ତିର ସହ ବାହାରିବାକୁ ଅନୁମତି ଦେଇଛି। ହେଲେ ଇରାନ ପକ୍ଷର ଏବେସୁଦ୍ଧା ଏହିପରି କୌଣସି ସୂଚନା ସାମ୍ନାକୁ ଆସିନାହିଁ।