ପୁରୀ, ୩୦/୧୦: କାର୍ତ୍ତିକ ମାସ ଶୁକ୍ଲପକ୍ଷ ଅଷ୍ଟମୀ ତିଥିକୁ ଗୋପାଷ୍ଟମୀ ବା ଗୋଷ୍ଠାଷ୍ଟମୀ ବୋଲି କୁହାଯାଏ । ଏହି ଦିନ ଗାଈଙ୍କୁ ପୂଜା କରାଯାଇଥାଏ  | ଏହି ଦିନ ଗାଈ ଏବଂ କୃଷ୍ଣଙ୍କ ପୂଜା କଲେ ଧନ ଏବଂ ସୁଖ ସମୃଦ୍ଧି ବୃଦ୍ଧି ପାଇଥାଏ | ବିଶ୍ୱାସ ରହିଛି ଯେ, ଏହି ଦିନ ଭଗବାନ ଶ୍ରୀ କୃଷ୍ଣ ପ୍ରଥମଥର ପାଇଁ ଗାଈ ଚରେଇଥିଲେ | ମାଆ ଯଶୋଦା ଶ୍ରୀ କୃଷ୍ଣଙ୍କୁ ବହୁତ ସ୍ନେହ କରୁଥିବାରୁ ତାଙ୍କୁ ଗାଈ ଚରେଇବାକୁ ଯିବା ପାଇଁ ବାରଣ କରୁଥିଲେ | ଦିନେ ଶ୍ରୀ କୃଷ୍ଣ ଗାଈ ଚରେଇଯିବାକୁ ମାଆ ଯଶୋଦାଙ୍କ ପାଖେ ବହୁତ ଜିଦ୍ କଲେ | ତାଙ୍କ କଥାରେ ରାଜି ହୋଇ ମାଆ ଯଶୋଦା ରୁଷି ଶାଣ୍ଡିଲ୍ୟଙ୍କୁ କହି ଏକ ଶୁଭ ଲଗ୍ନ ବାହାର କରିଥିଲେ ଏବଂ ପୂଜା କରିବା ପରେ ଶ୍ରୀ କୃଷ୍ଣଙ୍କୁ ଗାଈଙ୍କୁ ଚରେଇବା ପାଇଁ ପଠାଇଥିଲେ | ସେହିଦିନ ଠାରୁ ଗୋପାଷ୍ଟମୀରେ ଗାଈ ପୂଜା ପାଆନ୍ତି |

ପୁରାଣରେ ଥିବା ମାନ୍ୟତା ଅନୁଯାୟୀ, କାର୍ତ୍ତିକ ଶୁକ୍ଳ ପକ୍ଷ ପ୍ରତିପଦାଠାରୁ ସପ୍ତମୀ ପର୍ଯ୍ୟନ୍ତ ଗାଈ, ଗୋପ ଏବଂ ଗୋପୀମାନଙ୍କ ରକ୍ଷା ନିମନ୍ତେ ଭଗବାନ କୃଷ୍ଣ ଗୋବର୍ଦ୍ଧନ ପର୍ବତ ତୋଳି ଧରିଥିଲେ । ଅଷ୍ଟମ ଦିନ ଦେବରାଜ ଇନ୍ଦ୍ରଙ୍କ ଅହଙ୍କାର ଭଙ୍ଗ ହୋଇଥିଲା । ସେ ଭଗବାନ କୃଷ୍ଣଙ୍କ ଶରଣ ପଶିଥିଲେ । ଗୋମାତା କାମଧେନୁ ଭଗବାନ ଶ୍ରୀ କୃଷ୍ଣଙ୍କ ଅଭିଷେକ କରିଥିଲେ । ସେହିଦିନଠାରୁ ଶ୍ରୀକୃଷ୍ଣଙ୍କ ନାମ ‘ଗୋବିନ୍ଦ’ ହୋଇଥିଲା l ହିନ୍ଦୁ ଧର୍ମ ଅନୁସାରେ ଗାଈଙ୍କ ଭିତରେ ୩୩ କୋଟି ଦେବତା ଥିବା ବିଶ୍ୱାସ କରାଯାଏ | ଫଳରେ ଗାଈଙ୍କୁ ପୂଜା କଲେ ସବୁ ଦେବାଦେବୀ ପ୍ରସନ୍ନ ହୁଅନ୍ତି ବୋଲି ବିଶ୍ୱାସ ରହିଛି |

'ଗୋ' ଶବ୍ଦର ଅନେକ ଅର୍ଥ ଅଛି । ଯଥା- ଗୋବଂଶ, ପୃଥିବୀ, ଦିଗ, ବାଣୀ, ଇନ୍ଦ୍ରିୟ, ଦୃଷ୍ଟି, କିରଣ, ଜଳ, ଚନ୍ଦ୍ର ଓ ଆହୁରି ଅନେକ । ସୃଷ୍ଟିର ସବୁଠାରୁ ଉପକାରୀ ପ୍ରାଣୀ ଗୋମାତା । ଦ୍ୱାପର ଯୁଗରେ ସ୍ୱୟଂ ଭଗବାନ କୃଷ୍ଣ ଗୋପାଳ ଭାବରେ ଅବତାର ନେଇ ଗୋ-ମହିମାକୁ ପ୍ରଚାର କରିଛନ୍ତି । ଭାରତୀୟ ଧର୍ମ ଶାସ୍ତ୍ରରେ ଗୋ-ମହିମା ଓ ଉପାସନାର ବର୍ଣ୍ଣନା କରାଯାଇଛି । ବୈଦିକ କାଳରୁ ଋଷି, ମୁନିଙ୍କ ଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ସଭିଏଁ ନିଜର ଭରଣ ପୋଷଣ ନିମନ୍ତେ ମୁଖ୍ୟତଃ କୃଷି ଓ ଗୋ-ପାଳନ ଉପରେ ନିର୍ଭର କରୁଥିଲେ । ଗାଈ ଠାରୁ ଦୁଗ୍ଧ ଆଦି ପଞ୍ଚଗବ୍ୟ(କ୍ଷୀର, ଘିଅ, ଦହି, ଗୋବର ଓ ଗୋମୂତ୍ର) ମିଳୁଥିବା ବେଳେ ବଳଦ ଚାଷ ଓ ପରିବହନରେ ସାହାଯ୍ୟ କରିଥାଏ । ତେଣୁ ଗୋଜାତିକୁ ଗୋସମ୍ପଦ ବୋଲି କୁହାଯାଏ ।

ମାତା ରୁଦ୍ରାଣାଂ ଦୁହିତା ବସୁନାଂ

ସ୍ୱସାଦିତ୍ୟାନାମମୃତସ୍ୟ ନାଭି ।।

 (ଋକ୍ ବେଦ ୮/୧୦୧/୧୫)

ଗୋମାତା ଏକାଦଶ ରୁଦ୍ରଙ୍କର ମାତା, ଅଷ୍ଟବସୁଙ୍କର୍ କନ୍ୟା ଓ ଦ୍ୱାଦଶ ଆଦିତ୍ୟଙ୍କର ଭଗିନୀ, ଯିଏ ଅମୃତରୂପୀ ଦୁଗ୍ଧ ପ୍ରଦାନ କରନ୍ତି ।

ସମିନ୍ଦ୍ର ରାୟା ସମିଷା ରଭେମହି ସଂ ବାଜେଭିଃ ପୁରୁଶ୍ଚନ୍ଦ୍ରୈରଭିଦ୍ୟୁଭିଃ ।

ସଂ ଦେବ୍ୟା ପ୍ରମତ୍ୟା ବୀରଶୁଷ୍ମୟା ଗୋଅଗ୍ରୟାଶ୍ୱାବତ୍ୟା ରଭେମହି ।।

 (ଋକ୍ ବେଦ ୧/୫୩/୫)

ବେଦର ନିର୍ଦ୍ଦେଶ ଅନୁଯାୟୀ ଯଦି କେହି ଏହି ମାୟା-ରାଜ୍ୟରେ ସମସ୍ତ ପ୍ରକାର ବୈଭବ ପ୍ରାପ୍ତ କରିବାକୁ ଚାହେଁ, ତେବେ ଗୋମାତାଙ୍କର ସେବା କରିବା ଆବଶ୍ୟକ ।

ଗୋଭିର୍ବିପ୍ରୈଶ୍ଚ ବେଦୈଶ୍ଚ ସତୀଭିଃ ସତ୍ୟବାଦିଭିଃ ।

ଅଲୁବ୍ଧୈର୍ଦାନଶୀଳୈଶ୍ଚ ସପ୍ତଧିର୍ଧାର୍ଯ୍ୟତେ ମହୀ ।।

(ସ୍କନ୍ଦ ପୁରାଣ)

ଅର୍ଥାତ୍:- ଗୋ, ବିପ୍ର, ବେଦ, ସତୀ, ସତ୍ୟବାଦୀ, ନିର୍ଲୋଭୀ ଓ ଦାନୀ ଏହି ସାତ ମହାଶକ୍ତି ଉପରେ ପୃଥିବୀ ତିଷ୍ଠି ରହିଛି । ଏ ସମସ୍ତଙ୍କ ମଧ୍ୟରେ ଗୋବଂଶଙ୍କର ଭୂମିକା ସର୍ବାଗ୍ରେ ।

ପଦ୍ମପୁରାଣ ଅନୁସାରେ ଗୋମାତାଙ୍କ ମୁଖରେ ଷଡଙ୍ଗ ଓ ପଦକ୍ରମ ସହିତ ଚାରି ବେଦ ରହିଥାନ୍ତି । ଶିଙ୍ଗର ଅଗ୍ରଭାଗରେ ଇନ୍ଦ୍ର ଓ ଦୁଇ ଶିଙ୍ଗରେ ଭଗବାନ୍ ଶଙ୍କର ଓ କେଶବ ରହନ୍ତି । ଉଦରରେ ସ୍କନ୍ଦ, ମୁଣ୍ଡରେ ବ୍ରହ୍ମା, ଲଲାଟରେ ବୃଷଭଧ୍ୱଜ, ଦୁଇ କାନରେ ଅଶ୍ୱିନୀ କୁମାର, ଦୁଇ ନେତ୍ରରେ ଚନ୍ଦ୍ରମା ଓ ସୂର୍ଯ୍ୟ, ଦାନ୍ତରେ ଗରୁଡ, ଜିଭରେ ସରସ୍ୱତୀ, ଅପାନରେ ସମସ୍ତ ତୀର୍ଥ, ଗୋ-ମୂତ୍ରରେ ଜାହ୍ନବୀ ଗଙ୍ଗା, ଲୋମକୂପ ସମୁହରେ ଋଷୀଗଣ, ମୁଖରେ ଉପର ଆଡକୁ ଯମ, ଡାହାଣ ପାର୍ଶ୍ୱକୁ କୁବେର ତଥା ଗରୁଡ, ବାମ ପଟକୁ ତେଜସ୍ୱୀ ଯକ୍ଷଗଣ, ମୁଖ ମଧ୍ୟରେ ଗନ୍ଧର୍ବ, ନାସିକାରେ ନାଗ, ଚାରି ଖୁରାର ପଶ୍ଚାତ୍ ଭାଗରେ ଅପସରାଗଣ, ଗୋବରରେ ଲକ୍ଷ୍ମୀ, ଗୋମୂତ୍ରରେ ସର୍ବମଙ୍ଗଳା ଦେବୀ, ପାଦର ଅନ୍ୟ ଭାଗରେ ସିଦ୍ଧାଦି ଖେଚର, ହମ୍ମା ରଡିରେ ପ୍ରଜାପତି ଓ ଚାରି ପହ୍ନାରେ ଚାରି ସମୁଦ୍ର ରହିଥାନ୍ତି । ଯେ ପ୍ରତିଦିନ ଗାଈକୁ ସ୍ପର୍ଶ କରନ୍ତି, ସେ ଏହି ସମୁଦ୍ରରେ ସ୍ନାନ କରିନିଅନ୍ତି । ତେଣୁ ମନୁଷ୍ୟ ନିଜର ପୁଷ୍ଟି ସାଧନ ପାଇଁ ଗୋମାତାଙ୍କୁ ସ୍ପର୍ଶ କରିବା ଉଚିତ୍ । ଏହାଦ୍ୱାରା ସେ ସମସ୍ତ ପାପରୁ ମୁକ୍ତ ହୋଇଯାଆନ୍ତି । ଗୋମାତାଙ୍କ ଖୁରାଦ୍ୱାରା ଉଡୁଥିବା ଧୂଳିକୁ ମସ୍ତକରେ ଧାରଣ କରୁଥିବା ମନୁଷ୍ୟ ମଧ୍ୟ ସମସ୍ତ ତୀର୍ଥର ଜଳରେ ସ୍ନାନ କରିବା ସଙ୍ଗେ ସମାନ ଓ ସେ ସମସ୍ତ ପାପରୁ ମୁକ୍ତହୁଏ ।

​​​​​​​

ll ଗୋପାଷ୍ଟମିରେ କେମିତି କରାଯାଏ ଗାଈଙ୍କ ପୂଜା ll

୧. ବ୍ରହ୍ମ ମୁହୂର୍ତ୍ତରେ ଗୋମାତା ଏବଂ ବାଛୁରୀଙ୍କୁ ସ୍ନାନ କରାଯାଏ | ଏହାପରେ ଗୋମାତାଙ୍କୁ ସଜାଯାଇଥାଏ | ଗୋମାତା ଗୋଡରେ ଘୁଙ୍ଗୁରୁ ପିନ୍ଧାଯିବା ସହ ଅନ୍ୟାନ୍ୟ ଆଭୂଷଣ ପିନ୍ଧାଯାଇଥାଏ |

୨. ଗାଈ ସିଙ୍ଗରେ ନାଲି ଓଢଣୀ ବନ୍ଧାଯାଏ | ଏହାପରେ ଗୋମାତାଙ୍କୁ ପରିକ୍ରମା କରି ତାଙ୍କୁ ବାହାରକୁ ନିଆଯାଏ ଏବଂ କିଛି ବାଟ ଗୋମାତାଙ୍କ ସହ ଚାଲିବାକୁ ହୁଏ |

୩. ଗୋପାଷ୍ଟମୀ ଦିନ ଗାଈ ଚାରାଳୀଙ୍କୁ ଦାନ କରିବା ଉଚିତ | ଗୋପାଷ୍ଟମୀ ସନ୍ଧ୍ୟାରେ ଗୋମାତା ଗୋଠରୁ  ଫେରିବା ପରେ ପୁଣି ଥରେ ତାଙ୍କର ବନ୍ଦାପନା କରି ପୂଜା କରାଯାଇଥାଏ | ଏହି ଦିନ ଗୋମାତାଙ୍କୁ ସବୁଜ ଚାରା, ସବୁଜ ମଟର ଏବଂ ଗୁଡ଼ ଖାଇବାକୁ ଦିଆଯାଇଥାଏ |

୪. ଯେଉଁମାନଙ୍କ ଘରେ ଗାଈ ନଥାନ୍ତି ସେମାନେ ଗୋଶାଳା ଯାଇ ଗୋମାତାଙ୍କ ପୂଜା କରନ୍ତି | ତାଙ୍କୁ ଗଙ୍ଗାଜଳ, ଫୁଲ, ଧୂପ ଦେଇ ପୂଜା କରି ଗୁଡ଼ ଖୁଆଇଥାନ୍ତି |

୫. ଗୋପାଷ୍ଟମୀରେ ଗୋମାତାଙ୍କ ପୂଜା କଲେ ଭଗବାନ କୃଷ୍ଣ ବହୁତ ପ୍ରସନ୍ନ ହୋଇଥାନ୍ତି |

୬. ଗୋ ସେବା କରୁଥିବା ବ୍ୟକ୍ତିଙ୍କ ଜୀବନରେ ସଦା ସର୍ବଦା ଧନ ଏବଂ ଖୁସି ଭରି ରହିଥାଏ ବୋଲି ବିଶ୍ୱାସ ରହିଛି | ତେଣୁ ଗୋମାତାଙ୍କ ପୂଜା କରିବ ଉଚିତ |