ଭୁବନେଶ୍ୱର,୧୯/୦୨: ବଲାଙ୍ଗୀର ଓ କଳାହାଣ୍ଡି ଜନସାଧାରଣଙ୍କ ପାଇଁ ଖୁସି ଖବର । ହାଓଡ଼ା-ଟିଟିଲାଗଡ଼-ହାଓଡ଼ା ଇସ୍ପାତ ଏକ୍ସପ୍ରେସ୍ ଜୁନାଗଡ଼ ରୋଡ୍ ପର୍ଯ୍ୟନ୍ତ ସମ୍ପ୍ରସାରିତ କରାଯାଇଛି । ପଶ୍ଚିମ ଓଡ଼ିଶାରେ ରେଳ ସଂଯୋଗକୁ ସୁଦୃଢ଼ କରିବା ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଆଜି ଜୁନାଗଡ଼ ରୋଡ୍ ଏବଂ ଟିଟିଲାଗଡ଼ ମଧ୍ୟରେ ସମ୍ପ୍ରସାରିତ ଭାଗର ଉଦ୍‌ଘାଟନ ହେବ ।

ହାଓଡ଼ା-ଟିଟିଲାଗଡ଼ ଇସ୍ପାତ୍ ଏକ୍ସପ୍ରେସ୍ ଏବେ ଜୁନାଗଡ଼ ରୋଡ୍ ପର୍ଯ୍ୟନ୍ତ ଚାଲିବ । ଏହା ୨୧ ଫେବୃଆରୀରୁ ହାଓଡ଼ାରୁ ଆରମ୍ଭ ହେବ । ସେହିପରି ଟିଟିଲାଗଡ଼-ହାଓଡ଼ା ଏକ୍ସପ୍ରେସ ୨୨ ତାରିଖରୁ ଜୁନାଗଡ଼ ରୋଡ୍ରୁ ଆରମ୍ଭ ହେବ । ସମ୍ପ୍ରସାରିତ ହାଓଡ଼ା-ଟିଟିଲାଗଡ଼-ଜୁନାଗଡ଼ ରୋଡ୍ ଇସ୍ପାତ ଏକ୍ସପ୍ରେସ ଟିଟିଲାଗଡ଼ ଏବଂ ଜୁନାଗଡ଼ ରୋଡ୍ ମଧ୍ୟରେ କେସିଙ୍ଗା, ଲାଞ୍ଜିଗଡ଼ ରୋଡ୍ ଏବଂ ଭବାନୀପାଟଣା ଷ୍ଟେସନରେ ରହଣି କରିବ । ଏଠାରେ ଉଲ୍ଲେଖ ଥାଉ କି, ହାଓଡ଼ା ଏବଂ ଟିଟିଲାଗଡ଼ ମଧ୍ୟରେ ସମସ୍ତ ରହଣି ଏବଂ ସମୟ ଅପରିବର୍ତ୍ତିତ ରହିବ । ଟ୍ରେନ୍‌ଟି ହାଓଡ଼ା ଏବଂ ଟିଟିଲାଗଡ଼ ମଧ୍ୟରେ ଏକ ସୁପରଫାଷ୍ଟ ଏକ୍ସପ୍ରେସ ଏବଂ ଟିଟିଲାଗଡ଼ ଏବଂ ଜୁନାଗଡ଼ ରୋଡ୍ ମଧ୍ୟରେ ଏକ ମେଲ/ଏକ୍ସପ୍ରେସ ସେବା ଭାବରେ କାର୍ଯ୍ୟ କରିବ ।

ଆହୁରି ପଢ଼ନ୍ତୁ :- ରସୁଲଗଡ଼ରୁ ପଳାଶୁଣି ଯାଏ ନିର୍ମାଣ ହେବ ସ୍କାଏ ୱାକ: ଖର୍ଚ୍ଚ ହେବ ୨୦ କୋଟି, ଚାଲିଛି ଡିପିଆର

ସୂଚନାଯୋଗ୍ୟ, ଇସ୍ପାତ ଏକ୍ସପ୍ରେସର ଜୁନାଗଡ଼ ରୋଡ୍ ପର୍ଯ୍ୟନ୍ତ ସମ୍ପ୍ରସାରଣ କଳାହାଣ୍ଡି ଏବଂ ଏହାର ଆଖପାଖ ଅଞ୍ଚଳର ଲୋକଙ୍କୁ ସିଧାସଳଖ ଏବଂ ନିର୍ଭରଯୋଗ୍ୟ ସଂଯୋଗ ପ୍ରଦାନ କରିବ । ଏହା ସିଧାସଳଖ ଭାବେ ଛାତ୍ରଛାତ୍ରୀ, ରୋଗୀ, ବ୍ୟବସାୟୀ, ସରକାରୀ କର୍ମଚାରୀ ଏବଂ କାର୍ଯ୍ୟରତ ପେସାଦାର ଯାତ୍ରୀମାନଙ୍କୁ ସୁଗମ ଯାତ୍ରାସେବା ଯୋଗାଇବ। ଏହାବ୍ୟତୀତ ପର୍ଯ୍ୟଟନକୁ ପ୍ରୋତ୍ସାହନ କରିବା ସହିତ ଏହା ସାମଗ୍ରୀ ପରିବହନ ଏବଂ କ୍ଷୁଦ୍ର ବାଣିଜ୍ୟର ଗତିବିଧିକୁ ସହଜ କରିବ ବୋଲି ଆଶା କରାଯାଉଛି।