-ଦୁଇଟି କ୍ଷେତ୍ରୀୟ ରାଉଣ୍ଡ ଟେବୁଲ ବୈଠକ
-୫୦୦ ଶିଳ୍ପପତି, ବ୍ୟବସାୟିକ ସଂଗଠନ ସାମିଲ
-୨୭,୬୫୦ କୋଟି ଟଙ୍କାର ପୁଞ୍ଜି ନିବେଶ
-୪,୩୮,୨୨୪ କୋଟି ଟଙ୍କାର ପ୍ରକଳ୍ପ ମଞ୍ଜୁର
ଭୁବନେଶ୍ବର, ୨୨/୧୨: ଓଡ଼ିଶାର ଔଦ୍ୟୋଗିକ ବିକାଶ ହେବ । ରାଜ୍ୟକୁ ନିବେଶର ସୁଅ ଛୁଟିବ । ହାଇଦ୍ରାବାଦ ନିବେଶକ ସମ୍ମିଳନୀରେ ୧୩ଟି ଏମଓୟୁ ସହ ୬୭ ହଜାର କୋଟିର ନିବେଶ ପ୍ରସ୍ତାବ ମିଳିଛି । ଇନଭେଷ୍ଟର ମିଟରୁ ଫେରିବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାମ୍ବାଦିକ ସମିଳନୀରେ ଏହି ପ୍ରତିକ୍ରିୟା ଦେଇଛନ୍ତି ।
ଦୁଇଟି ରାଉଣ୍ଡ ଟେବୁଲ ବୈଠକ:
ହାଇଦ୍ରାବାଦରେ ହୋଇଥିବା ଦୁଇ ଦିନିଆ ନିବେଶକ ସମ୍ମିଳନୀ ସଫଳ ହୋଇଛି । ଦୁଇ ଦିନ ଧରି ହୋଇଥିବା ଏହି କାର୍ଯ୍ୟକ୍ରମରେ ଓଡ଼ିଶା ସରକାର ୭୩ଟି ଉଚ୍ଚସ୍ତରୀୟ ବୈଠକ ଏବଂ ୨ଟି କ୍ଷେତ୍ରୀୟ ରାଉଣ୍ଡ ଟେବୁଲ ଆଲୋଚନା କରିଥିଲେ। ପ୍ରଥମ ରାଉଣ୍ଡ ଟେବୁଲ ଆଲୋଚନା ଫାର୍ମା ସେକ୍ଟର ଉପରେ ଆଧାରିତ ଥିଲା ଏବଂ ୮ଟି ପ୍ରମୁଖ ଫାର୍ମା କମ୍ପାନୀ ସହିତ ଏହି ଆଲୋଚନା କରାଯାଇଥିଲା। ଦ୍ୱିତୀୟ ରାଉଣ୍ଡ ଟେବୁଲ ବୈଠକରେ ପ୍ରତିରକ୍ଷା କ୍ଷେତ୍ର ସମ୍ପର୍କିତ ୨୭ଟି କମ୍ପାନୀ ପ୍ରତିନିଧିଙ୍କ ସହିତ ଆଲୋଚନା ହୋଇଥିଲା।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଫାର୍ମା ଏବଂ ପ୍ରତିରକ୍ଷା, ଏହି ଦୁଇଟି କ୍ଷେତ୍ର, ବର୍ତ୍ତମାନ ଓଡ଼ିଶାରେ ନଗଣ୍ୟ; ଏହି ଦୁଇଟି ରାଉଣ୍ଡ ଟେବୁଲ ଆଲୋଚନା ଦ୍ବାରା ଦୁଇଟି କ୍ଷେତ୍ରରେ ନିବେଶକଙ୍କୁ ଆକର୍ଷିତ କରାଯାଇଛି। ଦୁଇ ଦିନରେ ସେ ନିଜେ ୩୮ଜଣ ଶିଳ୍ପପତିଙ୍କ ସହିତ One to One ଆଲୋଚନା କରିଥିଲେ । ଏହି ବୈଠକରେ ଔଷଧ ଏବଂ ଚିକିତ୍ସା ଉପକରଣ, ପ୍ରତିରକ୍ଷା ଉତ୍ପାଦନ, ନବୀକରଣୀୟ ଶକ୍ତି ଉପକରଣ, ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି, ଡାଟା ସେଣ୍ଟର, ବୟନ ଏବଂ ବୈଷୟିକ ବୟନ ଏବଂ ଉନ୍ନତ ଉତ୍ପାଦନ ଭଳି କ୍ଷେତ୍ର ଗୁଡ଼ିକରେ ନିବେଶ ସୁଯୋଗ ବିଷୟରେ ଆଲୋଚନା କରାଯାଇଥିଲା।
୫୦୦ରୁ ଅଧିକ ଶିଳ୍ପପତି, ବ୍ୟବସାୟିକ ସଂଗଠନର ଅଂଶଗ୍ରହଣ:
ଏହି ଅବସରରେ ହାଇଦ୍ରାବାଦରେ ଅନୁଷ୍ଠିତ ଏକ ମେଗା ଓଡ଼ିଶା ନିବେଶକ ରୋଡ ଶୋ’ରେ ୫୦୦ରୁ ଅଧିକ ଶିଳ୍ପପତି, ବ୍ୟବସାୟିକ ସଂଗଠନ ଏବଂ ଆନୁଷ୍ଠାନିକ ଅଂଶୀଦାରମାନେ ଅଂଶଗ୍ରହଣ କରିଥିଲେ। ଏହି ଆଲୋଚନା ଦ୍ବାରା ଶିଳ୍ପପତିମାନେ ଓଡ଼ିଶାର ଶିଳ୍ପ ପରିବେଶ, ଭିତ୍ତିଭୂମି ଏବଂ ନୀତି-ଚାଳିତ ଅଭିବୃଦ୍ଧି ମଡେଲ ସମ୍ପର୍କରେ ଏକ ସ୍ପଷ୍ଟ ଚିତ୍ର ପାଇ ପାରିଥିଲେ ।
ଏହି ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ଏବଂ ବରିଷ୍ଠ ଅଧିକାରୀମାନେ ହାଇଦ୍ରାବାଦରେ ଥିବା ପ୍ରତିରକ୍ଷା ଯନ୍ତ୍ରାଂଶ ନିର୍ମାଣ କ୍ଷେତ୍ରରେ ଏକ ଅଗ୍ରଣୀ କମ୍ପାନୀ ଭାରତ ଡାଇନାମିକ୍ସ ଲିମିଟେଡ୍ (BDL) ମଧ୍ୟ ଗସ୍ତ କରିଥିଲେ। ଭାରତର ପ୍ରତିରକ୍ଷା ଏବଂ ମହାକାଶ ଉତ୍ପାଦନ ଇକୋ-ସିଷ୍ଟମ ସହିତ ଓଡ଼ିଶାର ସମ୍ପର୍କକୁ ଆହୁରି ଗଭୀର କରିବା ଥିଲା ଏହି ଗସ୍ତର ଲକ୍ଷ୍ୟ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଓଡିଶାରେ ମଧ୍ୟ ଡିଫେନ୍ସ ମାନୁଫାକ୍ଚରିଂ ଇକୋ-ସିଷ୍ଟମର ବିକାଶ କରାଯିବ। ଏଥିପାଇଁ MSME, ଷ୍ଟାର୍ଟଅପ୍, ଦକ୍ଷ ମାନବ ସମ୍ବଳ ଓ ପ୍ରିସିସନ୍ ମାନୁଫାକଚରିଂ ଉପରେ ଗୁରୁତ୍ବ ଦିଆଯିବ। ଓଡିଶାରେ ମିଜାଇଲ୍ କମ୍ପୋନେଣ୍ଟ ନିର୍ମାଣ ଉପରେ ପ୍ରସ୍ତୁତି କରାଯାଉଛି ବୋଲି ସେ କହିଥିଲେ।
୨୭,୬୫୦ କୋଟି ଟଙ୍କାର ପୁଞ୍ଜି ନିବେଶ:
ଗସ୍ତ ସମୟରେ ୧୩ଟି ବୁଝାମଣାପତ୍ର (MoU) ସ୍ୱାକ୍ଷରିତ ହେବା ସହିତ ୨୭,୬୫୦ କୋଟି ଟଙ୍କାର ନିବେଶ ସୁଯୋଗ ମିଳିଛି। ଏହାଦ୍ବାରା ୧୫,୯୦୫ ନିଯୁକ୍ତି ସୃଷ୍ଟି ହେବ। ଏହା ବ୍ୟତୀତ ୯ଟି ଇନଭେଷ୍ଟମେଣ୍ଟ ଇଣ୍ଟେଣ୍ଟ ଫାଇଲିଂ (IIF) ମଧ୍ୟ ହୋଇଥିଲା। ଏହାଦ୍ବାରା ୩୯,୧୩୧ କୋଟିର ଅଧିକ ନିବେଶ ସମ୍ଭାବନା ଏବଂ ୪୦,୪୩୫ ଲୋକଙ୍କ ପାଇଁ ନିଯୁକ୍ତି ସମ୍ଭାବନା ସୃଷ୍ଟି ହୋଇଛି।
ମୋଟ ଉପରେ, ହାଇଦ୍ରାବାଦ ରୋଡ ଶୋ’ ୬୬,୭୮୧ କୋଟି ଟଙ୍କାର ନିବେଶ ପ୍ରତିଶ୍ରୁତି ସୃଷ୍ଟି କରିଛି, ଯାହା ୫୬,୩୪୦ ନିଯୁକ୍ତି ସମ୍ଭାବନା ସହିତ ଏହାକୁ ଓଡ଼ିଶା ସରକାରଙ୍କ ନେତୃତ୍ୱରେ ସବୁଠାରୁ ସଫଳ ନିବେଶ ପ୍ରସାର କାର୍ଯ୍ୟକ୍ରମ ମଧ୍ୟରୁ ଗୋଟିଏ କରିଛି ।
୪,୩୮,୨୨୪ କୋଟି ଟଙ୍କାର ପ୍ରକଳ୍ପ ମଞ୍ଜୁର:
ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଉତ୍କର୍ଷ ଓଡିଶା ୨୦୨୫ ପରଠାରୁ ବର୍ତ୍ତମାନ ସୁଦ୍ଧା ଓଡିଶାରେ ୪,୩୮,୨୨୪ କୋଟି ଟଙ୍କାର ପ୍ରକଳ୍ପ ମଞ୍ଜୁର ହୋଇଛି ଏବଂ ଏହାଦ୍ବାରା ୨,୫୫,୮୧୭ ନିଯୁକ୍ତି ସମ୍ଭାବନା ସୃଷ୍ଟି ହୋଇଛି। ସେ ପୁଣି କହିଥିଲେ ଯେ ଗତ ୧୮ ମାସରେ ୨.୧୦ ଲକ୍ଷ କୋଟି ଟଙ୍କାର ଶିଳ୍ପ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରାଯାଇଛି। ଏହାଦ୍ବାରା ୧,୬୩,୭୨୫ଟି ନିଯୁକ୍ତି ସୁନିଶ୍ଚିତ ହୋଇପାରିଛି। ଏହି ସମୟ ମଧ୍ୟରେ ଓଡିଶାରେ ଫାର୍ମା କନ୍କ୍ଲେଭ୍, ଟେକ୍ସଟାଇଲ୍ କନ୍କ୍ଲେଭ୍ ଆଦି ବିଭିନ୍ନ କ୍ଷେତ୍ରୀୟ ଶିଳ୍ପର ସମ୍ମିଳନୀ ଅନୁଷ୍ଠିତ ହୋଇଛି। ଦିଲ୍ଲୀରେ ଅନୁଷ୍ଠିତ ସେମିକନ୍ କନ୍କ୍ଲେଭ୍ରେ ଓଡିଶା ଦୁଇଟି MoU କରିଥିଲା। ତେଣୁ, ଶିଳ୍ପାୟନ ପାଇଁ ନିୟମିତ ଭାବରେ ଆମର ଫୋକସ ଜାରି ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
ବୈଠକରେ ଅଂଶଗ୍ରହଣ କରୁଥିବା ଶିଳ୍ପ ନେତାମାନେ ଓଡ଼ିଶାର ସ୍ପଷ୍ଟ ନୀତି, ଭିତ୍ତିଭୂମିରେ ଉନ୍ନତି, ଦାୟିତ୍ବବାନ ଶାସନ ଏବଂ ସମସ୍ତ କ୍ଷେତ୍ରରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଂପୃକ୍ତି ଯୋଗୁ ଓଡ଼ିଶା ଉପରେ ସେମାନଙ୍କ ଆତ୍ମବିଶ୍ୱାସ ବୃଦ୍ଧି ପାଇଛି ବୋଲି ମତ ଦେଇଥିଲେ। ‘ଯେହେତୁ ସମସ୍ତ ଶିଳ୍ପ ପ୍ରକଳ୍ପ ଗୁଡିକୁ ମୁଁ ବ୍ୟକ୍ତିଗତ ଭାବେ ମନିଟରିଂ କରୁଛି, ସେଥିପାଇଁ ଶିଳ୍ପପତିମାନେ ଓଡିଶା ପ୍ରତି ଖୁବ୍ ଉତ୍ସାହିତ ଅଛନ୍ତି’। ନିବେଶକ ମାନେ ବର୍ତ୍ତମାନ ଅନୁଭବ କରୁଛନ୍ତି ଯେ ଓଡିଶା ହେଉଛି ଆଗାମୀ ଦିନର ଭାରତର ଗ୍ରୋଥ୍ ଇଞ୍ଜିନ୍।
ଔଷଧ, ପ୍ରତିରକ୍ଷା, ଇଲେକ୍ଟ୍ରୋନିକ୍ସ, ନବୀକରଣୀୟ ଶକ୍ତି, ଆଇଟି, ବୟନଶିଳ୍ପ ଏବଂ ଉନ୍ନତ ଉତ୍ପାଦନ କ୍ଷେତ୍ରରେ ନିବେଶକ ମାନଙ୍କ ପ୍ରବଳ ଆଗ୍ରହ ଦେଖିବାକୁ ମିଳିଛି। ଏହା ଏକ ବହୁମୁଖୀ, ମୂଲ୍ୟଯୁକ୍ତ ଓ ନିଯୁକ୍ତି-ସୃଷ୍ଟିକାରୀ ଶିଳ୍ପ ଅର୍ଥନୀତି ଆଡ଼କୁ ଓଡ଼ିଶାର ପରିବର୍ତ୍ତନକୁ ପ୍ରତିଫଳିତ କରୁଛି ବୋଲି ସେ କହିଥିଲେ।
ଉତ୍କର୍ଷ ଓଡ଼ିଶା ୨୦୨୫ ଗୋଟିଏ ବର୍ଷ ପୂରଣ କରିବାକୁ ନିକଟତର ହେଉଥିବାରୁ ହାଇଦ୍ରାବାଦ ଗସ୍ତର ସଫଳତା ଓଡ଼ିଶାର ଶିଳ୍ପ ଯାତ୍ରାରେ ଏକ ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟ ସୃଷ୍ଟି କରିଛି। ଏହି ସମୟ ମଧ୍ୟରେ, ଏହି ପଦକ୍ଷେପ ନିବେଶକଙ୍କ ବିଶ୍ୱାସକୁ ବାସ୍ତବରେ ସୁଦୃଢ କରିପାରିଛି। ନିବେଶ ଆକର୍ଷଣ, ପ୍ରକଳ୍ପ କାର୍ଯ୍ୟାନ୍ୱୟନ ଏବଂ ନିଯୁକ୍ତି ସୃଷ୍ଟିରେ ଅଭିବୃଦ୍ଧି ଏହାର ପ୍ରମାଣ।
ଏହି ପ୍ରେସ୍ ମିଟ୍ ସମୟରେ ଶିଳ୍ପମନ୍ତ୍ରୀ ଶ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ, ହସ୍ତତନ୍ତ ଓ ବୟନ ଶିଳ୍ପ ମନ୍ତ୍ରୀ ଶ୍ରୀ ପ୍ରଦୀପ ବଳ ସାମନ୍ତ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ, ଏମ୍ଏସ୍ଏମ୍ଇ ମନ୍ତ୍ରୀ ଶ୍ରୀ ଗୋକୁଳା ନନ୍ଦ ମଲ୍ଲିକ, ଶାସକ ଦଳର ମୁଖ୍ୟ ସଚେତକ ଶ୍ରୀ ସରୋଜ ପ୍ରଧାନ, ବିଧାୟକଗଣ, ଶିଳ୍ପ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମା ଏବଂ ଶିଳ୍ପ ବିଭାଗର ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ।