ହାଇଦ୍ରାବାଦ: ଉଚ୍ଚଶିକ୍ଷା ପାଇଁ ବିଦେଶ ଯାଉଥିବା ଭାରତୀୟ ଛାତ୍ରଙ୍କ ଉପରେ ଆକ୍ରମଣ ସଂଖ୍ୟା ବୃଦ୍ଧି ପାଉଛି । ବିଶେଷ କରି ଆମେରିକାରେ ଭାରତୀୟ ଛାତ୍ରଛାତ୍ରୀଙ୍କ ଉପରେ ଅଧିକ ଆକ୍ରମଣ ହେଉଛି । ହତ୍ୟା କରିଦିଆ ଯାଉଛି ଭାରତୀୟ ଛାତ୍ରଛାତ୍ରୀଙ୍କୁ । ଏହାକୁ ନେଇ ବିଦେଶ ପଢ଼ିବାକୁ ଯାଉଥିବା ପିଲାଙ୍କ ଅଭିଭାବକଙ୍କ ମଧ୍ୟରେ ଛନକା ପଶିଛି । ବର୍ତ୍ତମାନ ସମୟରେ, ଆଉ ଏକ ଖବର ସାମ୍ନାକୁ ଆସିଛି । ଆମେରିକାର ଟେକ୍ସାସରେ ଜଣେ ଭାରତୀୟ ଛାତ୍ରଙ୍କୁ ଗୁଳି କରି ହତ୍ୟା କରି ଦିଆଯାଇଛି ।

ହାଇଦ୍ରାବାଦର ୧୭ ବର୍ଷୀୟ ଛାତ୍ର ପୋଲ ଚନ୍ଦ୍ରଶେଖରଙ୍କ ମୃତ୍ୟୁ ଖବର ଆଲୋଡନ ସୃଷ୍ଟି କରିଛି । ଭାରତରେ ବିଡିଏସ୍ ଡିଗ୍ରୀ ସମାପ୍ତ କରିବା ପରେ ଚନ୍ଦ୍ରଶେଖର ଉଚ୍ଚଶିକ୍ଷା ପାଇଁ ଆମେରିକା ଯାଇଥିଲେ। ସେ ତାଙ୍କ ପାଠପଢ଼ା ପାଇଁ ପାଣ୍ଠି ଯୋଗାଇବାକୁ ଏକ ପେଟ୍ରୋଲ ପମ୍ପରେ ପାର୍ଟ ଟାଇମ୍ କାମ କରୁଥିଲେ। ଡ୍ୟୁଟିରେ ଥିବା ସମୟରେ ଜଣେ ଆକ୍ରମଣକାରୀ ତାଙ୍କୁ ଗୁଳି କରି ଫେରାର ହୋଇଯାଇ ଥିଲା । 

ଘଟଣାସ୍ଥଳେ ଚନ୍ଦ୍ରଶେଖରଙ୍କ ମୃତ୍ୟୁ ହୋଇଥିଲା। ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ଏହି ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ସେ ଚନ୍ଦ୍ରଶେଖରଙ୍କ ମୃତଦେହ ହାଇଦ୍ରାବାଦ ଫେରାଇ ଆଣିବାକୁ ସହାୟତା କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ହାଇଦ୍ରାବାଦର ଏଲବି ନଗରର ବିଏନ ରେଡ୍ଡି ଅଞ୍ଚଳର ବାସିନ୍ଦା ପୋଲ ଚନ୍ଦ୍ରଶେଖର (୧୭) ୨୦୨୩ ମସିହାରେ ତାଙ୍କ ବିଡିଏସ୍ (ବ୍ୟାଚେଲର୍ ଅଫ୍ ଡେଣ୍ଟାଲ୍ ସର୍ଜରୀ) ସମାପ୍ତ କରିଥିଲେ। ସେ ଉଚ୍ଚଶିକ୍ଷା ଏବଂ ଏକ ଉନ୍ନତ ଭବିଷ୍ୟତ ପାଇଁ ଆମେରିକା ଯାଇଥିଲେ। କିନ୍ତୁ ସବୁ ଆଶା ସ୍ବପ୍ନ ଅଧା ରହିଗଲା, ପୁଅକୁ ହରାଇ ପରିବାର ସର୍ବସ୍ବାନ୍ତ ହୋଇଗଲା ।