ଦୁବାଇ, ୨୧/୧୧: ସଦ୍ୟ ପ୍ରକାଶିତ ଆଇସିସି ଟି-ଟ୍ୱେଣ୍ଟି ମାନ୍ୟତା ତାଲିକାରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଜବରଦସ୍ତ  ଉନ୍ନତି ହୋଇଛି । ସେ ଅଲ୍‌ରାଉଣ୍ଡର ତାଲିକାର ଶୀର୍ଷ ସ୍ଥାନ ଦଖଲ କରିଛନ୍ତି ।  ସେହିପରି ତିଳକ ବର୍ମା ବ୍ୟାଟିଂ ମାନ୍ୟତା  ତାଲିକାର ତୃତୀୟ ସ୍ଥାନକୁ ଉନ୍ନୀତ ହୋଇଛନ୍ତି ।  

ଗତ ସପ୍ତାହରେ ପାଣ୍ଡ୍ୟା  ଅଲ୍‌ରାଉଣ୍ଡର ମାନ୍ୟତା ତାଲିକାର  ତୃତୀୟ ସ୍ଥାନରେ ରହିଥିଲେ । ଦକ୍ଷିଣ  ଆଫ୍ରିକାରେ ଉନ୍ନତ ପ୍ରଦର୍ଶନ ବଳରେ  ତାଙ୍କ ମାନ୍ୟତାରେ ୨ଟି ସ୍ଥାନ ଉନ୍ନତି  ହୋଇଥିଲା । ଉକ୍ତ ସିରିଜରେ ପାଣ୍ଡ୍ୟା  ୫୯ ରନ୍‌ ସଂଗ୍ରହ କରିଥିଲେ ଓ ୨ଟି  ୱିକେଟ୍‌ ନେଇଥିଲେ । ସୀମିତ ପ୍ରଦର୍ଶନ  ମଧ୍ୟ ତାଙ୍କୁ ଶୀର୍ଷରେ ପହଞ୍ଚାଇବା ପାଇଁ  ଉପଯୁକ୍ତ ସାବ୍ୟସ୍ତ ହୋଇଥିଲା ।  

ଦକ୍ଷିଣ ଆଫ୍ରିକାରେ ଅନୁଷ୍ଠିତ  ୪ମ୍ୟାଚ୍‌ ବିଶିଷ୍ଟ ଟି-ଟ୍ୱେଣ୍ଟି ସିରିଜରେ  ଚମତ୍କାର ପ୍ରଦର୍ଶନ କରିବା ଫଳରେ  ତିଳକଙ୍କ ମାନ୍ୟତାରେ ୬୯ଟି ସ୍ଥାନ  ଉନ୍ନତି ହୋଇଥିଲା । ସେ ସେଞ୍ଚୁରୀୟନ୍‌  ଓ ଜୋହାନ୍ସବର୍ଗରେ ଶତକ ଅର୍ଜନ  କରିଥିଲେ । ୪ଟି ମ୍ୟାଚ୍‌ରେ ସେ  ମୋଟ୍‌ ୨୮୦ ରନ୍‌ ସଂଗ୍ରହ କରିଥିଲେ ।  ସେହିପରି ଉକ୍ତ ସିରିଜରେ ଡବଲ୍‌  ଶତକ ଅର୍ଜନ କରିଥିବା ସଞ୍ଜୁ  ସାମସନଙ୍କ ମାନ୍ୟତାରେ ମଧ୍ୟ ୧୭ଟି  ସ୍ଥାନ ଉନ୍ନତି ହୋଇଛି । ସେ ୨୨ତମ  ସ୍ଥାନକୁ ଉନ୍ନୀତ ହୋଇଛନ୍ତି । ଅନ୍ୟ  ଭାରତୀୟଙ୍କ ମଧ୍ୟରେ ସୂର୍ଯ୍ୟକୁମାର  ଯାଦବ ଚତୁର୍ଥ ଓ ଯଶସ୍ୱୀ ଜୈସ୍ୱାଲ୍‌ ଅଷ୍ଟମ ସ୍ଥାନରେ ରହିଛନ୍ତି ।  

ବୋଲିଂ ମାନ୍ୟତାରେ ମଧ୍ୟ  ଅର୍ଶଦୀପ ସିଂହଙ୍କ ଉନ୍ନତି ହୋଇଛି ।  ସେ ନବମ ସ୍ଥାନ ଦଖଲ କରିଛନ୍ତି ।  ଦକ୍ଷିଣ ଆଫ୍ରିକାରେ ଅର୍ଶଦୀପ ୪ଟି  ମ୍ୟାଚ୍‌ରୁ ମୋଟ୍‌ ୮ଟି ୱିକେଟ୍‌ ଅକ୍ତିଆର  କରିଥିଲେ । ଅକ୍ଷର ପଟେଲଙ୍କ  ମାନ୍ୟତାରେ ୧୦ଟି ସ୍ଥାନ ଉନ୍ନତି ହୋଇଛି  ଓ ସେ ୧୩ତମ ସ୍ଥାନ ଦଖଲ କରିଛନ୍ତି ।