ନୂଆଦିଲ୍ଲୀ,୦୩/୦୬: ସେପ୍ଟେମ୍ବର ୩୦ ତାରିଖରୁ ଭାରତ  ଓ ଶ୍ରୀଲଙ୍କାରେ ଆୟୋଜିତ ହେବ  ମହିଳା ଦିନିକିଆ ବିଶ୍ୱକପ୍‌-୨୦୨୫ । ଆଇସିସି ପକ୍ଷରୁ ଏହାର ତାରିଖ  ଓ ଭେନ୍ୟୁ ଘୋଷଣା କରାଯାଇଛି । 

ଶ୍ରୀଲଙ୍କାର କେବଳ କଲମ୍ବୋ  ଏବଂ ଭାରତରେ ବେଙ୍ଗାଲୁରୁ, ଗୌହାଟୀ, ଇନ୍ଦୋର, ଓ ବିଶାଖାପଟନମ  ଟୁର୍ଣ୍ଣାମେଣ୍ଟର ମୋଟ୍‌ ୩୧ଟି ମ୍ୟାଚ୍‌ ଖେଳାଯିବ । ସେପ୍ଟେମ୍ବର ୩୦ ତାରିଖରୁ  ଲିଗ୍‌ ପର୍ଯ୍ୟାୟ ଆରମ୍ଭ ହେବ ।  ଆକ୍ଟୋବର ୨୯ ଓ ୩୦ ତାରିଖରେ  ସେମି ଫାଇନାଲ ଏବଂ ନଭେମ୍ବର ୨ ତାରିଖରେ ଫାଇନାଲ ଖେଳାଯିବ । ଭାରତ, ଶ୍ରୀଲଙ୍କା, ଅଷ୍ଟ୍ରେଲିଆ,  ବାଂଲାଦେଶ, ଇଂଲଣ୍ଡ, ନ୍ୟୁଜିଲାଣ୍ଡ,  ପାକିସ୍ତାନ ଓ ଦକ୍ଷିଣ ଆଫ୍ରିକା ବିଶ୍ୱକପ୍‌  ଖେଳିବେ । ପ୍ରତ୍ୟେକ ଦଳ ପରସ୍ପରକୁ  ଥରେ ଲେଖାଏଁ ଭେଟିବେ । ଶ୍ରେଷ୍ଠ ୪ଟି  ଦଳ ସେମି ଫାଇନାଲକୁ ଉନ୍ନୀତ ହେବେ ।  

ପରବର୍ତ୍ତୀ ସମୟରେ ଟୁର୍ଣ୍ଣାମେଣ୍ଟର  କ୍ରୀଡ଼ାସୂଚୀ ଘୋଷଣା କରାଯିବ । ପାକିସ୍ତାନ  ବିଶ୍ୱକପ୍‌କୁ ଯୋଗ୍ୟତା ହାସଲ କରିଛି । ଗତ ଆଇସିସି ଚାମ୍ପିଅନ୍ସ ଟ୍ରଫିରେ ନିୟମ  ଅନୁସାରେ ଭାରତୀୟ ଦଳକୁ ପାକିସ୍ତାନକୁ  କିମ୍ବା ପାକିସ୍ତାନ ଦଳ ଭାରତ ଗସ୍ତ କରିବ  ନାହିଁ । ତେଣୁ ସେମାନେ ନିରପେକ୍ଷ  ଭେନ୍ୟୁରେ ଖେଳିବେ । ଯେହେତୁ ଶ୍ରୀଲଙ୍କା  ସହ ଆୟୋଜକ ରହିଛି, ତେଣୁ ପାକିସ୍ତାନ  ଦଳ ତା’ର ସମସ୍ତ ମ୍ୟାଚ୍‌ ଶ୍ରୀଲଙ୍କାରେ ଖେଳିବ । ଯଦି ନକ୍‌ ଆଉଟ୍‌ ସୂଚୀ  ଭାରତୀୟ ଭେନ୍ୟୁରେ ହୋଇଥାଏ ଏବଂ  ପାକିସ୍ତାନ ନକ ଆଉଟ୍‌କୁ ଉନ୍ନୀତ ହୁଏ  ତେବେ ଭେନ୍ୟୁ ପରିବର୍ତ୍ତନ କରାଯିବ ।  ଅର୍ଥାତ ପାକିସ୍ତାନ ଫାଇନାଲ ପର୍ଯ୍ୟନ୍ତ  ସମସ୍ତ ମ୍ୟାଚ୍‌ ଶ୍ରୀଲଙ୍କାରେ ହିଁ ଖେଳିବ ।