ପାରାଦୀପ,୦୪।୦୨: ଭାରତୀୟ ତଟ ରକ୍ଷକ ବାହିନୀ (ଆଇସିଜି)ରେ ସାମିଲ ହେଲା ଜାହାଜ ‘ଅମୂଲ୍ୟ’। ଏହା ଆଇସିଜିକୁ ବଳ ଯୋଗାଇବ । ୮ଟି ଫାଷ୍ଟ୍‌ ପେଟ୍ରୋଲ୍‌ ଜାହାଜ ମଧ୍ୟରୁ ଦ୍ୱିତୀୟ ଭାରତୀୟ ତଟରକ୍ଷୀ ଜାହାଜ ଅମୂଲ୍ୟ ମଙ୍ଗଳବାର ପାରାଦୀପରେ ପହଞ୍ଚିଛି । ପୂର୍ବରୁ ଅଦମ୍ୟ ପହଞ୍ଚିଥିଲା । ଭାରତୀୟ ତଟରକ୍ଷୀ ଜାହାଜ ଅମୂଲ୍ୟକୁ ୧୯ ଡିସେମ୍ବର ୨୫ରେ ଗୋଆ ବନ୍ଦରରେ ନିୟୋଜିତ କରାଯାଇଥିଲା । 

ଅମୂଲ୍ୟ ହେଉଛି ୫୧ ମିଟର ଲମ୍ବା ଯାହାକୁ ଗୋଆ ସିପୟାର୍ଡ ଲିମିଟେଡ୍‌ ଦ୍ୱାରା ଡିଜାଇନ୍‌ ଏବଂ ସ୍ୱଦେଶୀ ଭାବରେ ନିର୍ମିତ କରାଯାଇଛି । ଉକ୍ତ ଜାହାଜରେ ୬୦ ପ୍ରତିଶତରୁ ଅଧିକ ସ୍ୱଦେଶୀ ସାମଗ୍ରୀ ରହିଛି ଯାହା ସରକାରଙ୍କ ‘ମେକ୍‌ ଇନ୍‌ ଇଣ୍ଡିଆ' ପଦକ୍ଷେପ ଅଧୀନରେ ଭାରତର ସାମୁଦ୍ରିକ ଶକ୍ତିକୁ ସୁଦୃଢ଼ କରିଛି । ଏହି ଜାହାଜଟି ପ୍ରାୟ ୩୨୦ ଟନ୍‌ ବିସ୍ଥାପିତ କରେ ଏବଂ ସର୍ବାଧିକ ଘଣ୍ଟାକୁ ୫୦ କିମି ବେଗ ହାସଲ କରିବା ପାଇଁ ଦୁଇଟି ୩୦୦୦ କିଲୋୱାଟ୍‌ ଡିଜେଲ୍‌ ଇଞ୍ଜିନ୍‌ ଦ୍ୱାରା ଚାଳିତ ହୁଏ । ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ବନ୍ଧୁକ ଗୋଟିଏ ମିନିଟରେ ୩୫୦ ରାଉଣ୍ଡ୍‌ ଗୁଳି ଚଳାଇବାର କ୍ଷମତା ରଖିଛି । ଏହି ଜାହାଜରେ ଏକ ସମନ୍ୱିତ ବ୍ରିଜ୍‌ ସିଷ୍ଟମ୍‌, ସମନ୍ୱିତ ପ୍ଲାଟ୍‌ଫର୍ମ ପରିଚାଳନା ପ୍ରଣାଳୀ ଏବଂ ସ୍ୱୟଂଚାଳିତ ଶକ୍ତି ପରିଚାଳନା ପ୍ରଣାଳୀ ମଧ୍ୟ ରହିଛି ।

ଆହୁରି ପଢନ୍ତୁ-ମିଶନ ପଞ୍ଚାୟତ : ମୁଣ୍ଡ ଟେକିଲେଣି ଆଶାୟୀ, ଗାଁ ମଞ୍ଚରେ ଅତିଥି ହେବାକୁ ପ୍ରତିଯୋଗିତା ପ୍ରବଳ

ଅମୂଲ୍ୟ ପାରାଦୀପରେ ଅବସ୍ଥିତ ହେବ, ଯାହା କମାଣ୍ଡର, ତଟରକ୍ଷୀ ବାହିନୀ ମୁଖ୍ୟାଳୟ ନମ୍ବର ୭ (ଓଡ଼ିଶା) ମାଧ୍ୟମରେ ତଟରକ୍ଷୀ ବାହିନୀ କ୍ଷେତ୍ର(ଉତ୍ତରପୂର୍ବ) ର କାର୍ଯ୍ୟକ୍ଷମ ଏବଂ ପ୍ରଶାସନିକ ନିୟନ୍ତ୍ରଣରେ ରହିବ । ଅମୂଲ୍ୟକୁ ସାମୁଦ୍ରିକ କ୍ଷେତ୍ର ଗୁଡ଼ିକର ନିରୀକ୍ଷଣ ଏବଂ ଭାରତର ସାମୁଦ୍ରିକ ସ୍ୱାର୍ଥକୁ ସୁରକ୍ଷା ଦେବା ପାଇଁ ଅନ୍ୟାନ୍ୟ ମିଶନ୍‌ ପାଇଁ ନିୟୋଜିତ କରାଯିବ । ଜାହାଜରେ ୫ ଅଧିକାରୀ ଏବଂ ୩୪ ଜଣ କର୍ମଚାରୀ ରହିବେ । ଉକ୍ତ ଜାହାଜକୁ ମଙ୍ଗଳବାର ପାରାଦୀପ ବନ୍ଦରରେ କମାଣ୍ଡର ତଟରକ୍ଷୀ ବାହିନୀ (ଓଡ଼ିଶା) ଏକ ଭବ୍ୟ ସ୍ୱାଗତ ଉତ୍ସବରେ ସ୍ୱାଗତ କରିଛନ୍ତି।