ଭୁବନେଶ୍ୱର ୦୭/୧୧: ଚାରି ମହଲା ଘର । ଆଖି ତରାଟି ହୋଇଗଲା ଭଳି ଇମ୍ପୋର୍ଟେଡ୍‌ ଇଣ୍ଟେରିୟର । ବାଥରୁମ୍‌ରେ  ଜାପାନ ଟେକ୍ନୋଲୋଜିର ସେନ୍ସର ଲାଗିଛି ।  ଘରର ସବୁ କବାଟ ସେନ୍ସରରେ ଖୋଲୁଛି । ୪  ମହଲା ଘରେ ୧୨ଟି ଏସି ୩୨ଟି ଦାମୀ ଫ୍ୟାନ୍‌ ଲାଗିଛି । ବ୍ୟାଙ୍କ୍‌ ଜମା, ବିଦେଶ ବୁଲା ଖର୍ଚ୍ଚ,  ଜମି କଥା ନ କହିବା ଭଲା । କଳାଧନରେ  ରାଜମହଲ ଭଳି ଘର ତିଆରି କରିଥିବା  ବାବୁ ଜଣଙ୍କ ହେଲେ ଇଡକୋର ଜୁନିୟର  ମ୍ୟାନେଜର ବିଜୟ କୁମାର ଉଦୟସିଂହ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ  କଳାଧନର କୁବେର ବାବୁ ବିଜୟ ବୁଧବାର  ଭିଜିଲାନ୍ସ ପଞ୍ଝାରେ ପଡ଼ିଛନ୍ତି । ତାଙ୍କ ଅଫିସ୍‌,  ଖୋର୍ଦ୍ଧା ଜଙ୍କିଆରେ ଥିବା ପୈତୃକ ଘର,  ପୁରୀରେ ଫ୍ଲାଟ୍‌, ଭୁବନେଶ୍ୱର ଆର୍ଯ୍ୟବିହାର  ଘର ସହ ମୋଟ ୬ଟି ଜାଗାରେ ଚଢ଼ଉ  କରିଥିଲା ଭିଜିଲାନ୍ସ । ଚଢ଼ଉ ସମୟରେ ୧୦  କୋଟିରୁ ଅଧିକ ଟଙ୍କା ମୂଲ୍ୟର ସ୍ଥାବର ଅସ୍ଥାବର  ସମ୍ପତ୍ତି ଠାବ ହୋଇଛି । ବିଜୟଙ୍କୁ ଭିଜିଲାନ୍ସ  ଥାନାରେ ଅଟକ ରଖାଯାଇଛି । ଗୁରୁବାର ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯିବ ବୋଲି ଭିଜିଲାନ୍ସ ଏସ୍‌ପି ସୂଚନା ଦେଇଛନ୍ତି । 

ସ୍ଥାବର ଅସ୍ଥାବର ସମ୍ପତ୍ତି ମଧ୍ୟରେ  ରହିଛି ଭୁବନେଶ୍ୱର ରାଜାରାଣୀ ମଉଜା ପ୍ଲଟ୍‌  ନମ୍ବର ୫୦୪ରେ ୪ ମହଲା ଘର । ଯାହା  ୭୫୦୦ ବର୍ଗଫୁଟ୍‌ରେ ଠିଆ ହୋଇଛି । ଘରର ସରକାରୀ ମୂଲ୍ୟ ୩.୨୨ କୋଟି ଟଙ୍କା । ଘରେ  ଝଲସୁଛି ଇମ୍ପୋର୍ଟେଡ୍‌ ବିଦେଶୀ ଇଣ୍ଟରିୟର ।  ଏହି ଘରର ସମସ୍ତ ଦ୍ୱାରରେ ସେନ୍ସର  ଲାଗିଛି । ଖଟ, ସୋଫା, କବାଟ, ଝରକା ଓ  ଆଲମାରୀଗୁଡିକ ଶାଳ କାଠରେ ହୋଇଛି ।  ଘରେ ଲାଗିଥିବା ଝୁମର ଥାଇଲାଣ୍ଡରୁ ଆସିଛି ।  ପାଇଖାନାରେ ବି ସେନ୍ସର ଲାଗିଛି । ସବୁଠାରୁ  ଆଶ୍ଚର୍ଯ୍ୟ କଥା ହେଲା ବାବୁ ଗାଧୋଇବା ପାଇଁ  ବି ମିନେରାଲ୍‌ ୱାଟର ବ୍ୟବହାର କରନ୍ତି ।  ଡ୍ରଇଂ ରୁମ୍‌ଠାରୁ ଆରମ୍ଭ କରି ବେଡ୍‌ ରୁମ୍‌-ସବୁଠି ରହିଛି ସେନ୍ସର ଲକିଂ ବ୍ୟବସ୍ଥା । ଘରର  ଡିଜାଇନ ଆଖି ଖୋସିଲା ଭଳି ହୋଇଛି । ଗୋଟିଏ  ଗୋଟିଏ ଫ୍ୟାନ୍‌ର ମୂଲ୍ୟ ୨୦ ହଜାରରୁ ଅଧିକ  ଟଙ୍କା । ପାଇଖାନାରେ ବି ବାବୁ ଏସି ଲଗାଇଛନ୍ତି । 

ତା’ଛଡ଼ା ପୁରୀ ଜିଲ୍ଲାର ବାଲୁଖଣ୍ଡ  ମୌଜାରେ ଏକ ଫ୍ଲାଟ ମିଳିଛି । ଭୁବନେଶ୍ୱର ଓ  ଖୋର୍ଦ୍ଧାର ପ୍ରମୁଖ ଅଞ୍ଚଳରେ ୩ଟି ପ୍ଲଟ୍‌ ଅଛି। ଯାହାର ମୂଲ୍ୟ ପାଖାପାଖି ୪ କୋଟି ହେବ  ବୋଲି ଭିଜିଲାନ୍ସ ଜାଣିବାକୁ ପାଇଛି । ବିଜୟଙ୍କ  ବ୍ୟାଙ୍କ ଜମା ଓ ବୀମା ୫୫ ଲକ୍ଷ ୧୦ ହଜାର  ଟଙ୍କା ଠାବ ହୋଇଛି । ତାଙ୍କ ଘରୁ ନଗଦ ୪  ଲକ୍ଷ ୫୦ ହଜାର ଜବତ ମଧ୍ୟ କରାଯାଇଛି ।  ସେହିପରି ତାଙ୍କର ଗୋଟିଏ ଚାରିଚକିଆ ଏବଂ  ୩ଟି ଦୁଇଚକିଆ ଗାଡ଼ି ରହିଛି । ୨୯ ଲକ୍ଷ  ଟଙ୍କା ମୂଲ୍ୟର ସୁନା ଅଳଙ୍କାର ମଧ୍ୟ ଜବତ  କରାଯାଇଛି । ବାବୁଙ୍କ ପାସ୍‌ପୋର୍ଟ ଦେଖି  ଭିଜିଲାନ୍ସ ତାଜୁବ ହୋଇଛି । ବିଦେଶ ଖର୍ଚ୍ଚର  ହିସାବ ହୋଇ ନାହିଁ । ୫୦ ଲକ୍ଷରୁ ଅଧିକ  ହେବ ବୋଲି ଭିଜିଲାନ୍ସ ଅନୁମାନ କରୁଛି । କିଛି ମହିଳାଙ୍କ ନାଁରେ ବେନାମୀ ସମ୍ପତ୍ତି ଠାବ  ମଧ୍ୟ ହୋଇଛି । ସେ ମହିଳାମାନେ କିଏ ?  ତାଙ୍କ ସହ କ’ଣ ସମ୍ପର୍କ ତାର ଖୋଳତାଡ଼  ହେବ ବୋଲି ଭିଜିଲାନ୍ସ ଏସ୍‌ପି କହିଛନ୍ତି । 

କେଉଁ ଉପାୟରେ ବିଜୟ ଏତେ ମାତ୍ରାରେ  କଳାଧନ କମାଇଲେ ତହାର ତଦନ୍ତ ଚାଲିଛି ।  କିଛି ମାସ ହେବ ବିଜୟଙ୍କ ନାଁରେ  ଭିଜିଲାନ୍ସ ନିକଟକୁ ମାଳ ମାଳ ପିଟିସନ୍‌  ଆସୁଥିଲା । ଉକ୍ତ ପିଟିସନ୍‌କୁ ଆଧାର କରି  ଭିଜିଲାନ୍ସ ତଦନ୍ତ ଆରମ୍ଭ କରିଥିଲା । ଏହି  ସମୟରେ ଜଣାପଡ଼ିଥିଲା ବିଜୟ କଳାଧନର  ପାହାଡ଼ ଠିଆ କରିଛନ୍ତି । ତା’ପରେ ଚଢ଼ଉ  ପାଇଁ ସ୍ପେଶାଲ୍‌ ଭିଜିଲାନ୍ସ କୋର୍ଟରୁ ଅନୁମତି  ମଗାଯାଇଥିଲା। କୋର୍ଟଙ୍କ ଅନୁମତି ପରେ  ବୁଧବାର ଚଢ଼ଉ ହୋଇଥିଲା । ୬ଟି ଟିମ୍‌ରେ  ୮ ଜଣ ଡିଏସ୍‌ପି, ୮ ଜଣ ଇନ୍ସପେକ୍ଟ ଓ  ଅନ୍ୟ ପୁଲିସ୍‌ କର୍ମଚାରୀମାନେ ସାମିଲ ଥିଲେ ।