ପୁରୀ,୦୨/୦୭: ବଡ଼ଦେଉଳରେ ଥରେ ଠାକୁରଙ୍କ ଅନ୍ନ ଭୋଗ ବନ୍ଦ ହେଲେ ୧୨  ବର୍ଷ ପାଇଁ ଆଉ ଭୋଗ ଲାଗିବ ନାହିଁ ବୋଲି  କହିଛନ୍ତି ମହାପ୍ରଭୁଙ୍କ ବରିଷ୍ଠ ସୁଆର ସେବକ ବଳଭଦ୍ର ମହାପାତ୍ର । ଏଣୁ ଅଣସର ସମୟରେ ମଧ୍ୟ ସବୁଦିନ ଭଳି ଠାକୁରଙ୍କ ପୂଜାର୍ଚ୍ଚନା ତଥା ବିଭିନ୍ନ ଧୂପ ଅନୁଷ୍ଠିତ ହୋଇଥାଏ । ବିଧି  ମୁତାବକ ଅନ୍ୟ ଦିନରେ ଯାହା ଭୋଗ ଲାଗେ  ଅଣସର ସମୟରେ ମଧ୍ୟ ସେହି ସବୁ ପିଠା ଓ  ଅନ୍ନବ୍ୟଞ୍ଜନ ଭୋଗ ଲାଗୁଛି ।

ଅଧିକ ପଢ଼ନ୍ତୁ :- Rath Khala Update: ନନ୍ଦିଘୋଷ ରଥରେ ଲାଗିଲା ଋଷି ପଟା, ସିଂହାସନ ପଟା ବାଡ଼ିଆ କାର୍ଯ୍ୟ ଶେଷ

ମହାପ୍ରଭୁ ଅସୁସ୍ଥ ଥିବାରେ ଶ୍ରୀମନ୍ଦିରରେ ପଟିଦିଅଁ ତଥା ବିଜେ ପ୍ରତିମାଙ୍କୁ ଏହି ଭୋଗ ଲାଗି କରାଯାଉଛି । ତେବେ ଅନ୍ୟଦିନ ତୁଳନାରେ ଅଣସର ସମୟରେ  ଭୋଗର ପରିମାଣ ପ୍ରାୟ ଅଧା ଠାରୁ କମ୍‌ ।  ମହାପ୍ରଭୁ ଅସୁସ୍ଥ ହୋଇ ଅଣସର  ଘରେ ସ୍ୱତନ୍ତ୍ର ଉପଚାରରେ ରହିଥିବା ସ୍ଥଳେ  ଜଗମୋହନରେ ବିଜେ ହୋଇ ଶ୍ରଦ୍ଧାଳୁଙ୍କୁ  ଦର୍ଶନ ଦେଉଛନ୍ତି ପଟିଦିଅଁଙ୍କ ସମେତ ଅନ୍ୟ  ବିଜେ ପ୍ରତିମା । ଶ୍ରୀମନ୍ଦିର ପରମ୍ପରା ଅନୁସାରେ  ଯଥାରୀତି ମଙ୍ଗଳାଳତି, ଅବକାଶ, ଗୋପାଳବଲ୍ଲଭ,  ସକାଳଧୂପ, ଭୋଗମଣ୍ଡପ ସହ ମଧ୍ୟାହ୍ନଧୂପ  ଓ ସନ୍ଧ୍ୟାଧୂପ ଆଦି ନୀତି ଅନୁଷ୍ଠିତ ହେଉଛି ।  ଠାକୁରଙ୍କୁ ଅନ୍ନପ୍ରସାଦ, ଡାଲି, ଡାଲେମା, ବେସର,  ମହୁର ଆଦି ଭୋଗ ଲାଗୁଛି । ଜଗମୋହନ ଓ  ଭୋଗମଣ୍ଡପରେ ଭୋଗ ବଢ଼ାହୋଇ ପାଳିଆ  ପୂଜାପଣ୍ଡା ସାଆନ୍ତଙ୍କ ଦ୍ୱାରା ଯଥାବିଧି ପୂଜା ଅନୁଷ୍ଠିତ  ହେଉଛି । ସକାଳଧୂପରେ ପଟିଦିଅଁଙ୍କୁ ଖେଚେଡି  ଭୋଗ ଲାଗୁଛି । ଭୋଗମଣ୍ଡପ, ମଧ୍ୟାହ୍ନ ଧୂପ ଓ ସନ୍ଧ୍ୟା  ଧୂପ ଆଦିରେ ଯଥାବିଧି ଅନ୍ନବ୍ୟଞ୍ଜନ ଆଦି ଭୋଗ  ହେଉଛି । ଅଣସର ଘରେ ସେବା ସରିଲାପରେ  ପୁନର୍ବାର ପଟିଦିଅଁଙ୍କୁ ପୂଜା କରାଯାଉଛି ।  

ସୁଆର ସେବକ ଶ୍ରୀ ମହାପାତ୍ର କୁହନ୍ତି  ଏହି ସମୟରେ ଶ୍ରଦ୍ଧାଳୁଙ୍କ ସଂଖ୍ୟା କମ୍‌ ଥିବାରେ  କମ୍‌ ପରିମାଣର ଭୋଗ ରନ୍ଧାହୁଏ । ଅନ୍ୟ  ଦିନରେ ୬୦ରୁ ୭୦ କୁଇଣ୍ଟାଲ ଭଳି ଚାଉଳ  ରନ୍ଧା ହେଉଥିଲେ ଅଣସର ସମୟରେ ଏହା  ୩୦ କୁଇଣ୍ଟାଲ ହୋଇଯାଏ । ବରାଦି ଭୋଗ ମଧ୍ୟ   କମ୍‌ ଥାଏ । ଅଣସରରେ ପ୍ରାୟ ଅଧା ଭଳି ସୁଆର  ଶ୍ରୀମନ୍ଦିରରେ ଭୋଗ ରାନ୍ଧିବାକୁ ଯାଇ ନଥାନ୍ତି ।  ଆମର ଅନେକ ସେବକ ଭାଇ ଛୁଟି ଦିନ ଭଳି କିଏ  କୁଆଡ଼େ ଅନ୍ୟ କାର୍ଯ୍ୟରେ ବ୍ୟସ୍ତ ରୁହନ୍ତି । ପଟିଦିଅଁ  ଭାବେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସ୍ଥାନରେ ଶ୍ରୀ  ନାରାୟଣ, ଦେବୀ ସୁଭଦ୍ରାଙ୍କ ସ୍ଥାନରେ ଭୁବନେଶ୍ୱରୀ  ଓ ବଡ଼ଠାକୁର ଶ୍ରୀବଳଭଦ୍ରଙ୍କ ସ୍ଥାନରେ ଅନନ୍ତ  ବାସୁଦେବଙ୍କୁ ପୂଜା କରାଯାଉଛି । ଶ୍ରୀ ନାରାୟଣଙ୍କ  ସମ୍ମୁଖରେ ମଦନମୋହନ ଓ କୃଷ୍ଣ ବିଗ୍ରହ, ମା  ଭୁବନେଶ୍ୱରୀଙ୍କ ସମ୍ମୁଖରେ ଭୂଦେବୀ ଓ ଶ୍ରୀଦେବୀ  ଏବଂ ଶ୍ରୀ ଅନନ୍ତ ବାସୁଦେବଙ୍କ ସମ୍ମୁଖରେ  ଦୋଳଗୋବିନ୍ଦ ଓ ନୃସିଂହଙ୍କ ପ୍ରତିମା ବିଜେ  ହୋଇ ପୂଜା ପାଉଛନ୍ତି । ଦର୍ଶନାର୍ଥୀ ପଟିଦିଅଁଙ୍କୁ  ମୁଣ୍ଡିଆ ମାରି ମହାପ୍ରସାଦ ସେବା କରୁଛନ୍ତି ।