ନୂଆଦିଲ୍ଲୀ ୧୨/୦୫: ଦେଶର ସୀମାକୁ ରକ୍ଷା କରିବାକୁ ଯାଇ ଅପରେସନ ସିନ୍ଦୂର ବେଳେ ସହିଦ ହୋଇଥିବା ରାଜସ୍ଥାନ ଝୁନ୍ଝୁନୁ ଜିଲ୍ଲାର ସୁରେନ୍ଦ୍ର କୁମାରଙ୍କ ପାର୍ଥିବ ଶରୀର ରବିବାର ସକାଳେ ତାଙ୍କ ଗ୍ରାମରେ ପହଞ୍ଚିଥିଲା । ଜିଲ୍ଲାପାଳ ରାମାବତାର ମୀନା ଓ ପୁଲିସ ଅଧୀକ୍ଷକ ଶରଦ ଚୌଧୁରୀ ଏହି ସମୟରେ ଉପସ୍ଥିତ ଥିଲେ । ଏହାପରେ ପାର୍ଥିବ ଶରୀରକୁ ରାଷ୍ଟ୍ରୀୟ ସମ୍ମାନ ସହ ଅନ୍ତିମ ବିଦାୟ ଦିଆଯାଇଥିଲା ।
ସହିଦ ସୁରେନ୍ଦ୍ର କୁମାରଙ୍କ ୮ ବର୍ଷର ଝିଅ ବର୍ତ୍ତିକା କହିଛି, ମୋ ପିତା ଦେଶର ରକ୍ଷା କରିବାକୁ ଯାଇ ଶତ୍ରୁମାନଙ୍କୁ ମାରି ସହିଦ ହୋଇଛନ୍ତି । ତାଙ୍କର ଏଭଳି କାର୍ଯ୍ୟକୁ ନେଇ ମୁଁ ଗର୍ବ ଅନୁଭବ କରୁଛି । ଆମେ ତାଙ୍କ ସହ ଶେଷ ଥର ପାଇଁ ଶନିବାର ରାତି ୯ଟାରେ କଥା ହୋଇଥିଲୁ । ସେ କହିଥିଲେ କି କେବଳ ଡ୍ରୋନ୍ ଘୂରିବୁଲୁଛି କିନ୍ତୁ ଆକ୍ରମଣ ହେଉନାହିଁ । ପାକିସ୍ତାନକୁ ସମ୍ପୂର୍ଣ୍ଣ ଭାବେ ଶେଷ କରିଦେବା ଆବଶ୍ୟକ । ମୁଁ ମୋ ପିତାଙ୍କ ଭଳି ହେବାକୁ ଚାହୁଁଛି । ଏହାପରେ ଯାଇ ମୁଁ ତାଙ୍କ ବଳିଦାନର ପ୍ରତିଶୋଧ ନେଇପାରିବି ।
ସହିଦ ସୁରେନ୍ଦ୍ର କୁମାର ଏପ୍ରିଲ ୧୫ରେ ନିଜ ପରିବାର ସହ ମିଶି ଡ୍ୟୁଟିକୁ ଫେରିଯାଇଥିଲେ । ତାଙ୍କର ୮ ବର୍ଷର ଝିଅ ଓ ୫ ବର୍ଷର ପୁଅ ଅଛନ୍ତି । ଗ୍ରାମବାସୀଙ୍କ ମୁତାବକ, ସୁରେନ୍ଦ୍ର ନିକଟରେ ଗ୍ରାମରେ ନୂଆ ଘର ତୋଳିଥିଲେ ଏବଂ କିଛିଦିନ ତଳେ ଗୃହ ପ୍ରବେଶ କରିଥିଲେ । ଗ୍ରାମର ଯୁବକମାନଙ୍କୁ ସେ ସେନାରେ ଭର୍ତ୍ତି ପାଇଁ ପ୍ରସ୍ତୁତ କରୁଥିଲେ।