ନୂଆଦିଲ୍ଲୀ : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସ୍ବାସ୍ଥ୍ୟବସ୍ଥାକୁ ନେଇ ଏବେ ପାକିସ୍ତାନ ରାଜନୀତି ସରଗରମ । ବେସ୍ କିଛିଦିନ ହେବ ଆଦିଆଲା ଜେଲରେ ବନ୍ଦୀ ଥିବା ଇମ୍ରାନ ମୃତ ନା ଜୀବିତ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିବା ବେଳେ ପ୍ରଶାସନ ତାଙ୍କୁ ଭେଟିବାକୁ କାହାରିକୁ ସୁଯୋଗ ଦେଉନଥିବା ଅଭିଯୋଗ ହୋଇଥିଲା । ଏପରିକି ତାଙ୍କ ପରିବାରକୁ ମଧ୍ୟ ତାଙ୍କ ସହ ଭେଟବାର ସୁଯୋଗ ମିଳିନଥିଲା। ତେବେ ବିବାଦ ଭିତରେ ଏବେ ଇମ୍ରାନ ଖାନଙ୍କୁ ତାଙ୍କ ଭଉଣୀ ଡକ୍ଟର ଉଜମା ଖାତୁନଙ୍କ ସହ ଭେଟିବା ପାଇଁ ଅନୁମତି ମିଳିଛି। ଡକ୍ଟର ଉଜମା ଜେଲ ପରିସରରେ ପହଞ୍ଚିଛନ୍ତି ବୋଲି ଜଣାପଡିଛି, ଯେଉଁଠାରେ ସେ ଇମ୍ରାନ ଖାନଙ୍କୁ ଭେଟିବେ। ଆଦିଆଲା ଜେଲ ବାହାରେ ବିରୋଧ ପ୍ରଦର୍ଶନ ମଧ୍ୟରେ, ଇମ୍ରାନ ଖାନଙ୍କ ଭଉଣୀ ଡକ୍ଟର ଉଜମା ଖାନଙ୍କୁ ଶେଷରେ ଜେଲ ପ୍ରଶାସନ ଭିତରକୁ ଡାକିଥିଲା। ଇମ୍ରାନଙ୍କ ଅନ୍ୟ ଭଉଣୀ ମାନେ ମଧ୍ୟ ସକାଳ ୧୧.୩୦ ରେ ଜେଲରେ ପହଞ୍ଚିଥିଲେ, କିନ୍ତୁ ଏପର୍ଯ୍ୟନ୍ତ ତାଙ୍କୁ ଭେଟିବାକୁ ଅନୁମତି ଦିଆଯାଇ ନାହିଁ।
ଜେଲ ଚାରିପାଖରେ ଅଭେଦ୍ୟ ସୁରକ୍ଷା…
ଆଦିଆଲା ଜେଲ ପରିସରର ସୁରକ୍ଷା କଡ଼ାକଡ଼ି କରାଯାଇଛି। ଜେଲକୁ ଯାଉଥିବା ସମସ୍ତ ରାସ୍ତାକୁ କଣ୍ଟେନର ଏବଂ ଟ୍ରକ ସହିତ ଅବରୋଧ କରାଯାଇଛି। ସମସ୍ତ ରାସ୍ତାରେ ପୋଲିସ ଏବଂ ରେଞ୍ଜର୍ସଙ୍କୁ କଡ଼ା ମୁତୟନ କରାଯାଇଛି। ଲୋକ ମାନଙ୍କୁ ନିରନ୍ତର ଭାବରେ ତନଖି କରାଯାଉଛି,ଏବଂ କେବଳ ଅଧିକୃତ କର୍ମଚାରୀଙ୍କୁ ଆଗକୁ ଯିବାକୁ ଅନୁମତି ଦିଆଯାଉଛି।
ଧାରା ୧୪୪ ଏବଂ ଖୋଲା ଗୁଳି ଚାଳନା ନିର୍ଦ୍ଦେଶ ଜାରି କରାଯାଇଛି…
ରାୱଲପିଣ୍ଡିରେ ଧାରା ୧୪୪ ଜାରି କରାଯାଇଛି, ଯାହା ଦ୍ୱାରା କୌଣସି ସମାବେଶ କିମ୍ବା ରାଲିକୁ ବାରଣ କରାଯାଇଛି। ରିପୋର୍ଟ ଅନୁଯାୟୀ, ପ୍ରଶାସନ "ଦେଖିବା ମାତ୍ରେ ଗୁଳି ଚାଳନା" ନିର୍ଦ୍ଦେଶ ଜାରି କରିଛି, ଅର୍ଥାତ୍ ହିଂସା କିମ୍ବା ଭଙ୍ଗାରୁଜା ହେଲେ ସୁରକ୍ଷା ବାହିନୀ ଗୁଳି ଚଳାଇ ପାରିବେ। ପ୍ରଦର୍ଶନକାରୀଙ୍କୁ ରୋକିବା ପାଇଁ ପେଶାୱରରେ ସମାନ ନିର୍ଦ୍ଦେଶ ଲାଗୁ କରାଯାଇଛି।
ପିଟିଆଇ ସମର୍ଥକ ମାନେ ପଛକୁ ହଟିବାକୁ ନାରାଜ…
କଠୋର କଟକଣା ଏବଂ ସୁରକ୍ଷା ବ୍ୟବସ୍ଥା ସତ୍ତ୍ୱେ, ପିଟିଆଇ ସମର୍ଥକ ମାନେ ଆଦିଆଲା ଜେଲ ବାହାରେ ବହୁ ସଂଖ୍ୟକ ଅଛନ୍ତି। ପ୍ରତିବାଦକାରୀ ମାନେ ସ୍ଲୋଗାନ ଦେବା ଜାରି ରଖିଛନ୍ତି, ଏବଂ ପରିବେଶ ଉତ୍ତେଜନାପୂର୍ଣ୍ଣ ରହିଛି। ପରିସ୍ଥିତି ନିରନ୍ତର ଭାବେ ବିକଶିତ ହେଉଛି, ଏବଂ ପ୍ରଶାସନ ହାଇ ଆଲର୍ଟରେ ଅଛି।