ନୂଆଦିଲ୍ଲୀ,୦୩/୧୦: ଆହୁରି ମଜବୁତ୍ ହେବ ରୁଷ୍-ଭାରତ ସମ୍ପର୍କ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭୁରି ଭୁରି ପ୍ରଶଂସା କରିଛନ୍ତି ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ । ଆମେରିକା ସହ ଟାରିଫ୍ ବିବାଦ ଭିତରେ ଭାରତରୁ ଆମଦାନୀ ବୃଦ୍ଧି କରିବାକୁ ବଡ଼ ଘୋଷଣା କରିଛନ୍ତି ରୁଷ୍ ରାଷ୍ଟ୍ରପତି । ଭାରତ ଉପରେ ଆମେରିକାର ଟାରିଫ୍ ପରେ ମୋଦିଙ୍କ ପଦକ୍ଷେପକୁ ପ୍ରଶଂସା କରିବା ସହିତ ପୁଟିନ୍ କହିଛନ୍ତି, ଭାରତ ଆପମାନ ବରଦାସ୍ତ କରିବ ନାହିଁ । ପିଏମ୍ ମୋଦି ଜଣେ ଜ୍ଞାନୀ ନେତା ଯିଏକି ନିଜ ଦେଶର ସ୍ୱାର୍ଥକୁ ପ୍ରାଥମିକତା ଦିଅନ୍ତି ।
'ଭାରତ ସହିତ ଆମ ସମ୍ପର୍କ କେବେ ଖରାପ ହୋଇନାହିଁ'- ଦକ୍ଷିଣ ରୁଷ ସହର ସୋଚିରେ ଭାଲଦାଇ ଆଲୋଚନା କ୍ଲବରେ ଭାଷଣ ଦେଇ ପୁଟିନ ଭାରତ-ରୁଷ ସମ୍ପର୍କର ଅନନ୍ୟତା ଉପରେ ମଧ୍ୟ ଆଲୋକପାତ କରିଛନ୍ତି । ସେ କହିଛନ୍ତି ଯେ, ଭାରତ ଏବଂ ରୁଷ ମଧ୍ୟରେ କେବେ କୌଣସି ଉତ୍ତେଜନା କିମ୍ବା ବିବାଦ ହୋଇନାହିଁ । ଭାରତ ସହିତ ଆମ ସମ୍ପର୍କ କେବେ ଖରାପ ହୋଇନାହିଁ । ଭାରତ ସ୍ୱାଧୀନତା ପାଇଁ ସଂଘର୍ଷ ସମୟରୁ ରୁଷ ଭାରତର ଏକ ନିର୍ଭରଯୋଗ୍ୟ ସହଯୋଗୀ ହୋଇଛି । ଭାରତ କେବେ ବି ରୁଷର ସାହାଯ୍ୟକୁ ଭୁଲିନାହିଁ ଏବଂ ଦୁଇ ଦେଶ ମଧ୍ୟରେ ବୁଝାମଣା ଏବଂ ବିଶ୍ୱାସର ଏକ ଦୃଢ଼ ବନ୍ଧନ ଏବେ ବି ରହିଛି ।
ମୋଦିଙ୍କୁ ଭୁରି ଭୁରି ପ୍ରଶଂସା- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତାଙ୍କର "ବନ୍ଧୁ" ଭାବରେ ବର୍ଣ୍ଣନା କରିଛନ୍ତି ଭ୍ଲାଦିମିର ପୁଟିନ୍ । ସେ କହିଛନ୍ତି ଯେ, ମୋଦୀ ଜଣେ ଜ୍ଞାନୀ ନେତା ଯିଏକି ନିଜ ଦେଶର ସ୍ୱାର୍ଥକୁ ପ୍ରାଥମିକତା ଦିଅନ୍ତି । ଆମେରିକା ଚାପରେ ଭାରତୀୟଙ୍କୁ ଅପମାନିତ ହେବାକୁ ଦେବେ ନାହିଁ । ପିଏମ୍ ମୋଦି ଜଣେ ଅତ୍ୟନ୍ତ ଜ୍ଞାନୀ ନେତା । ସେ ସର୍ବଦା ନିଜ ଦେଶର ସ୍ୱାର୍ଥକୁ ଗୁରୁତ୍ୱ ଦେଇଛନ୍ତି । ଆମେରିକା ଚାପରେ ସେ ଭାରତୀୟଙ୍କୁ ଅପମାନିତ ହେବାକୁ ଦେବେ ନାହିଁ । ଭାରତ-ରୁଷିଆ ବାଣିଜ୍ୟର ପାରସ୍ପରିକ ଲାଭକୁ ଗୁରୁତ୍ୱ ଦେଉଛନ୍ତି । ତୈଳ ଆମଦାନୀ ବନ୍ଦ କଲେ ଭାରତକୁ ବାର୍ଷିକ ୯-୧୦ ବିଲିୟନ ଡଲାର କ୍ଷତି ହେବ । ଭାରତ ଓ ରୁଷିଆ ସମ୍ପର୍କ ପ୍ରତିରକ୍ଷା, ଶକ୍ତି ଓ ବାଣିଜ୍ୟକୁ ନେଇ ଆହୁରି ମଜଭୁତ ହେବ ।
ଚଳିତ ବର୍ଷ ଡିସେମ୍ବର ଆରମ୍ଭରେ ଭାରତ ଗସ୍ତ କରିବେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ। ଏହି ଅବସର ପୂର୍ବରୁ ସେ ରୁଷ ସରକାରଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି। ତାହା ହେଉଛି ଭାରତ ସହିତ ବାଣିଜ୍ୟ ଅସନ୍ତୁଳନ ହ୍ରାସ କରିବା । ପୁଟିନଙ୍କ ଏହି ବକ୍ତବ୍ୟ ଏପରି ଏକ ସମୟରେ ଆସିଛି ଯେତେବେଳେ ଭାରତ ରୁଷରୁ ପ୍ରଚୁର ପରିମାଣରେ ଶସ୍ତା ଅଶୋଧିତ ତୈଳ କିଣୁଛି । କିନ୍ତୁ ବଦଳରେ ରୁଷ ଭାରତରୁ କମ୍ ସାମଗ୍ରୀ ଆମଦାନୀ କରୁଛି।