ନୂଆଦିଲ୍ଲୀ, ୪।୭: ସୁନାକୁ ନେଇ ଭାରତର ଆଭିମୁଖ୍ୟ ଭିନ୍ନ ରହିଛି । ପରିବାରଗୁଡ଼ିକ ପାଇଁ ଏହା ଟଙ୍କାର ଭଣ୍ଡାର । ଅନିଶ୍ଚିତତା ବିରୋଧରେ ସୁରକ୍ଷା କବଚ । ପିଢ଼ି ପରେ ପିଢ଼ି ଚାଲି ଆସିଥିବା ଏକ ସାଂକେତିକ ସମ୍ପତ୍ତି ପାଲଟିଛି ହଳଦିଆ ଧାତୁ । ଅନ୍ୟପକ୍ଷରେ ନୀତିପ୍ରସ୍ତୁତକାରୀଙ୍କ ପାଇଁ ଏହା ମାକ୍ରୋ- ଅର୍ଥନୈତିକ ମୁଣ୍ଡବ୍ୟଥା । କାରଣ ହେଉଛି, ଭାରତୀୟମାନେ ଯେଉଁ ସୁନା କିଣୁଛନ୍ତି, ତାହାର ପାଖାପାଖି ସମ୍ପୂର୍ଣ୍ଣ ଭାଗକୁ ଆମଦାନି କରିବାକୁ ପଡ଼ିଥାଏ । ସୁପ୍ତ ଅବସ୍ଥାରେ ଘରେ ଲୁଚିରହିଛି ୫ ଟ୍ରିଲିୟନ ଡଲାରର ସୁନା । ଭାରତ ପ୍ରତିବର୍ଷ ସୁନାକୁ ବହୁ କୋଟି ଡଲାର ଦେଇ ଆମଦାନି କରିଥାଏ । ଉକ୍ତ ସୁନା ପରିବାରଗୁଡ଼ିକର ଜମାପୁଞ୍ଜିରେ ଲୁଚି ରହିଯାଏ । ପରବର୍ତ୍ତୀ ବର୍ଷ ପୁଣି ବୃହତ୍‌ ମାତ୍ରାରେ ସୁନା ଆମଦାନି ହୁଏ । ଭାରତୀୟମାନେ ପୁଣି ଏହାକୁ କିଣିଚାଲନ୍ତି ଏବଂ ଘରେ ସାଇତି ଥାଆନ୍ତି । ପୁଣି ଥରେ ସେହି ସୁନା ଘରଗୁଡ଼ିକର ସଞ୍ଚୟ ଆକାରରେ ଲୁଚି ହୋଇ ରହିଯାଏ । ଭାରତ ନିକଟରେ ସୁନାର ପାହାଡ଼ ବନିଯାଏ । ପରିବାରଗୁଡ଼ିକର ଜମାପୁଞ୍ଜିରେ ଏହା ବେକାର ହୋଇ ପଡ଼ିରୁହେ । ଅନ୍ୟପକ୍ଷରେ, ସୁନା ଆମଦାନି ପାଇଁ କୋଟି କୋଟି ଡଲାର ଖର୍ଚ୍ଚ ଜାରି ରହିଥାଏ ।

ଏହା ମଧ୍ୟରେ ଦେଶ ଆଗରେ ଦେଖାଦେଇଛି ଏକ ବଡ଼ ଚିନ୍ତା । ସରିଯାଉଛି ଡଲାର । ବୈଦେଶିକ ମୁଦ୍ରା ଭଣ୍ଡାରରେ ପଡ଼ୁଛି ଚାପ । ଏଭଳି ସ୍ଥିତିରେ ସୁନା ଆମଦାନି କମାଇବା ପାଇଁ ଆହ୍ୱାନ ଦେଇଛନ୍ତି କେନ୍ଦ୍ର ସରକାର । ବର୍ଷକ ପାଇଁ ସୁନା କିଣାରୁ ଦୂରେଇ ରହିବା ପାଇଁ ପରାମର୍ଶ ଦେଇଛନ୍ତି । ଏହାଦ୍ୱାରା ବୃହତ୍‌ ମାତ୍ରାରେ ବିଦେଶୀ ମୁଦ୍ରା ସଞ୍ଚୟ କରିବ ଦେଶ । ରଣନୀତି ଅନ୍ତର୍ଗତ କେନ୍ଦ୍ର ସରକାର ଏକ ବିକଶିତ ଗୋଲ୍‌ଡ ମନିଟାଇଜେସନ୍‌ ସ୍କିମ୍‌ ବା ସୁନା ମୁଦ୍ରୀକରଣ ସ୍କିମ୍‌ ଆଣିବା ପାଇଁ ଯୋଜନା କରୁଛନ୍ତି । ଆଗାମୀ ଦୁଇ ସପ୍ତାହ ମଧ୍ୟରେ ଏହାକୁ ନେଇ ଘୋଷଣା ହୋଇପାରେ ବୋଲି ସରକାରୀ ସୂତ୍ରରୁ ଜଣାପଡ଼ିଛି । ସୂତ୍ର ଅନୁସାରେ, ଏହି ପଦକ୍ଷେପ ମାଧ୍ୟମରେ ୧,୦୦୦ ଟନ୍‌ରୁ ଅଧିକ ସୁନାକୁ ପୁନଃ ବ୍ୟବସ୍ଥାକୁ ଅଣାଯାଇପାରେ । ପ୍ରସ୍ତାବିତ ଢାଞ୍ଚା ଅନୁସାରେ, ଦେଶବ୍ୟାପୀ ଗହଣା ବ୍ୟବସାୟୀମାନଙ୍କୁ ଏ ସ୍କିମ୍‌ରେ ‘କଲେକ୍ସନ ପାର୍ଟନର’ ଭାବେ ସାମିଲ କରାଯିବ । ସେମାନେ ଘରେ ରହିଥିବା ସୁନାକୁ ବ୍ୟବସ୍ଥାକୁ ଆଣିବାରେ ସାହାଯ୍ୟ କରିବେ । କିଛି ମାସ ହେବ ସୁନା ଆମଦାନି ବଢ଼ିଚାଲିଛି । ଅର୍ଥାତ୍‌ ଭାରତରୁ ଅଧିକ ଡଲାର ଯାଉଛି । ଏହାଦ୍ୱାରା ଟଙ୍କା ଉପରେ ଚାପ ପଡ଼ୁଛି । ସୁନା ଦର ବି ବଢ଼ିଚାଲିଛି । 

ଏହା ବି ପଢ଼ନ୍ତୁ... BLA attack in Blochistan: ବେଲୁଚିସ୍ତାନରେ BLAର ଭୟଙ୍କର ବିସ୍ପୋରଣ; ୩୦ରୁ ଅଧିକ ସୁରକ୍ଷାକର୍ମୀ ମୃତ

ଏଥିପାଇଁ ସରକାର ଏବେ ଗହଣା ବ୍ୟବସାୟୀମାନଙ୍କୁ ପ୍ରକ୍ରିୟାରେ ସାମିଲ କରି ପୁଣି ଥରେ ଗୋଲ୍‌ଡ ମନେଟାଇଜେସନ୍‌ ସ୍କିମ୍‌ ଆରମ୍ଭ କରିବାର ଉଦ୍ୟମ ଚଳାଇଛନ୍ତି । ଗଣାମାଧ୍ୟମ ସୂତ୍ର ଅନୁସାରେ, ସରକାର ଗହଣା ବ୍ୟବସାୟୀଙ୍କୁ ଗୋଲ୍‌ଡ ମନେଟାଇଜେସନ୍‌ ସ୍କିମ୍‌ର ନୂତନ ଭର୍ସନର ଅଂଶ କରିବା ପାଇଁ ଯାଉଛନ୍ତି, ଯାହାଦ୍ୱାରା ଭାରତୀୟ ଘରେ ପଡ଼ି ରହିଥିବା କିଛି ଭାଗ ସୁନାକୁ ବ୍ୟବସ୍ଥାକୁ ଅଣାଯାଇପାରିବ । ବିଶ୍ୱ ସୁନା ପରିଷଦ ତଥ୍ୟ ଅନୁସାରେ, ଭାରତୀୟ ଘର ଏବଂ ମନ୍ଦିରରେ ପାଖାପାଖି ୨୫,୦୦୦ ଟନ୍‌ ସୁନା ରହିଛି । ଅନ୍ୟ ଏକ ଆକଳନ ଅନୁସାରେ ଏହା ୩୦,୦୦୦ ଟନ୍‌ । କିଛି ସର୍ଭେ ମୁତାବକ ଘର ଏବଂ ମନ୍ଦିରରେ ରଖାଯାଇଥିବା ସୁନା ପରିମାଣ ୫୦,୦୦୦ ଟନ୍‌ ପର୍ଯ୍ୟନ୍ତ ଯାଇପାରେ । ଗତ ଦୁଇ ବର୍ଷରେ ସୁନା ଦର ଦ୍ରୁତ ବେଗରେ ବଢ଼ିଛି । କୋଟାକ ଇନ୍‌ଷ୍ଟିଚ୍ୟୁସନାଲ ଇକ୍ୱିଟିଜ୍‌ର ଅନୁମାନ ଯେ, ୨୦୨୬ ଜାନୁଆରୀ ସୁଦ୍ଧା ଘରେ ରଖାଯାଇଥିବା ସୁନା ପରିମାଣ ୫ ଟ୍ରିଲିୟନ ଡଲାରରୁ ଅଧିକ ହେବ । ଏହା ଭାରତର ଜିଡିପିର ପ୍ରାୟ ୧୨୫% ।