କଟକ୦୪/୦୭: ଜେଲ୍‌ରେ ବନ୍ଦୀ ଭାବେ ୧୪ ବର୍ଷରୁ ଅଧିକ ସମୟ କଟାଇ ସାରିଥିବା ଆସାମୀଙ୍କର ଯଦି ବ୍ୟବହାର ଭଲ ରହିଥାଏ ସେଭଳି ଆସାମୀଙ୍କୁ ଛାଡ଼ କରିବା ପାଇଁ ରାଜ୍ୟ ସରକାର ପଦକ୍ଷେପ ନେବାକୁ ସୁପ୍ରିମ୍‌କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଏହା ଉପରେ ନିଷ୍ପତ୍ତି ନେବାକୁ ରାଜ୍ୟରେ ଏକ ‘ଷ୍ଟେଟ୍ ସେଣ୍ଟେନ୍ସ ରିଭ୍ୟୁ ବୋର୍ଡ’ ଗଠନ କରାଯାଇଛି । କିନ୍ତୁ ଏହି ରିଭ୍ୟୁ ବୋର୍ଡ ଧାର୍ଯ୍ୟ ତାରିଖରେ ନବସିବା କାରଣରୁ ହାଇକୋର୍ଟ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଆସନ୍ତା ୬ ତାରିଖରେ ପରବର୍ତ୍ତୀ ରିଭ୍ୟୁ ବୋର୍ଡ ବସିବା ଲାଗି ସ୍ଥିର ହୋଇଥିଲାବେଳେ ଯଦି ଧାର୍ଯ୍ୟ ଦିନ ଏହି ବୈଠକ ନବସେ ତାହେଲେ ହାଇକୋର୍ଟ ରାଜ୍ୟ ସରକାରଙ୍କ ବିରୋଧରେ ବିରୋଧାତ୍ମକ ଆଦେଶ ଦେବେ ବୋଲି ଚେତାବନୀ ଦେଇଛନ୍ତି । ରେଜିଷ୍ଟ୍ରାର (ଜୁଡିସିଆଲ୍)ଙ୍କ ପକ୍ଷରୁ ଆଗତ ମାମଲାର ଶୁଣାଣି କରି ହାଇକୋର୍ଟର ବିଚାରପତି ଜଷ୍ଟିସ୍ ମାନସ ରଞ୍ଜନ ପାଠକ ଏବଂ ଜଷ୍ଟିସ୍ ଶଶିକାନ୍ତ ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ଆଦେଶ ଦେଇଛନ୍ତି । ମାମଲାର ଶୁଣାଣି ଆସନ୍ତା ୯ ତାରିଖକୁ ଧାର୍ଯ୍ୟ ହୋଇଛି ।

ଅଧିକ ପଢ଼ନ୍ତୁ :- Rath khala Update: ରଥ ବ୍ରେକରେ ଲାଗୁଛି ୬ଟି ବଳା, ତିନି ରଥର ୬ ଓଲଟ ଶୁଆରେ ଚାଲିଛି ରଙ୍ଗବୋଳା

ଜେଲ୍‌ରେ ୧୪ ବର୍ଷରୁ ଅଧିକ ସମୟ କଟାଇ ସାରିଥିବା ବନ୍ଦୀମାନଙ୍କ ବ୍ୟବହାରକୁ ଦେଖିବା ପରେ ଯଦି ସେମାନଙ୍କ ଆଚରଣରେ ପରିବର୍ତ୍ତନ ହୋଇଥିବାର ଲକ୍ଷ୍ୟ କରାଯାଇଥିବ, ଯଦି ସେମାନେ ଜେଲ୍ରେ ଥିବା ସମୟରେ କୌଣସି ପ୍ରକାର ଖରାପ ଆଚରଣ କରିନଥିବେ, ଜେଲ୍ ବାହାରକୁ ଗଲେ ସେମାନେ ଆଉ ଯେପରି କୌଣସି ଅପରାଧିକ କାର୍ଯ୍ୟରେ ସମ୍ପୃକ୍ତ ହେବେ ନାହିଁ ବୋଲି ଆଶା କରାଯାଇ ପାରିବ, ସେହିଭଳି ବନ୍ଦୀମାନଙ୍କୁ ଛାଡ଼୍ କରିଦେବାକୁ ସୁପ୍ରିମ୍‌କୋର୍ଟ ପ୍ରତ୍ୟେକ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ରାଜ୍ୟ ସରକାର ଏହି କାର୍ଯ୍ୟ କେତେଦୂର୍ ଠିକ୍ ଭାବେ କରୁଛନ୍ତି କି’ ନାହିଁ ତାହାକୁ ହାଇକୋର୍ଟ ତଦାରଖ କରିବାକୁ କୁହାଯାଇଥିଲା । ବନ୍ଦୀମାନଙ୍କୁ ଛାଡ଼୍ ପାଇଁ ଷ୍ଟେଟ୍ ସେଣ୍ଟେନ୍ସ ରିଭ୍ୟୁ ବୋର୍ଡ ଗଠନ କରାଯାଇଛି । ଏହି ବୋର୍ଡ ବିଭିନ୍ନ ଜିଲ୍ଲା ତଥା ଜେଲ୍‌ରୁ ଆସିଥିବା ବନ୍ଦୀମାନଙ୍କ ତାଲିକା ଉପରେ ବିଚାର କରି ସେମାନଙ୍କୁ ଛାଡ୍ କରାଯିବ କି’ ନାହିଁ ତାହା ଉପରେ ନିଷ୍ପତ୍ତି ନେବ ।

ଅଧିକ ପଢ଼ନ୍ତୁ :- ଝୁଲିପଡ଼ିଲେ ମହିଳା ଆଇଆଇସି; କଟକ ଚାଉଳିଆଗଞ୍ଜ ଥାନା ଅଞ୍ଚଳରେ ଚାଞ୍ଚଲ୍ୟ

ଏହି ବୋର୍ଡର ବୈଠକ ଗତ ଏପ୍ରିଲ ୨୭ ତାରିଖରେ ହେବା ଲାଗି ସ୍ଥିର ହୋଇଥିଲା । କିନ୍ତୁ ଧାର୍ଯ୍ୟ ଦିନ ଏହି ବୈଠକ ବସିନଥିବା ରାଜ୍ୟ ସରକାରଙ୍କ ପକ୍ଷରୁ ଅଦାଲତଙ୍କୁ ଅବଗତ କରାଯାଇଥିଲା ଯାହାକୁ ନେଇ ହାଇକୋର୍ଟ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଯେତେବେଳେ ଏଭଳି ମାମଲାକୁ ନିଜେ ସୁପ୍ରିମକୋର୍ଟ ତଦାରଖ କରୁଛନ୍ତି ସେତେବେଳେ ରାଜ୍ୟ ସରକାର କ’ଣ ପାଇଁ ଏହି ବୈଠକ କରିବାରୁ ନିବୃତ୍ତ ରହିଲେ ତାହା ହାଇକୋର୍ଟଙ୍କୁ ଆଶ୍ଚର୍ଯ୍ୟ କରିଛି । ଆସନ୍ତା ୬ ତାରିଖରେ ପୁନର୍ବାର ଏହି ବୋର୍ଡର ବୈଠକ ବସିବାକୁ ସ୍ଥିର ହୋଇଛି । ସେହିଦିନ କେତେ ଜଣ ବନ୍ଦୀଙ୍କୁ ଛାଡ଼୍ କରାଯିବ ସେ ସଂକ୍ରାନ୍ତରେ ଉକ୍ତ ବୈଠକରେ ନିଷ୍ପତ୍ତି ନିଆଯିବ । ରାଜ୍ୟ ସରକାରଙ୍କ ପକ୍ଷରୁ ଏଜିଏ ଦେବରାଜ ମହାନ୍ତି ମାମଲା ପରିଚାଳନା କରୁଛନ୍ତି ।