ହାଇଦ୍ରାବାଦ, ୧୫/୦୩: ଏଫ୍ଆଇଏଚ୍ ମହିଳା ବିଶ୍ୱକପ୍ ଯୋଗ୍ୟତା ପର୍ଯ୍ୟାୟ ଟୁର୍ଣ୍ଣାମେଣ୍ଟରେ ଭାରତର ଟାଇଟଲ୍ ସ୍ୱପ୍ନ ଚୁରମାର୍ ହୋଇଯାଇଛି । ଶନିବାର ଅନୁଷ୍ଠିତ ଫାଇନାଲ୍ ମୁକାବିଲାରେ ଇଂଲଣ୍ଡ ୨-୦ରେ ଭାରତକୁ ହରାଇ ଚାମ୍ପିଅନ୍ ଆଖ୍ୟା ଅର୍ଜନ କରିଛି । ଏକାଧିକ ପେନାଲ୍‌ଟି ସୁଯୋଗ ହାତଛଡ଼ା କରିବା ଆୟୋଜକ ଦଳ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଥିଲା । ପୂର୍ବରୁ ଉଭୟ ଇଂଲଣ୍ଡ ଓ ଭାରତ ସେମି ଫାଇନାଲ୍‌ରେ ପହଞ୍ଚି ବିଶ୍ୱକପ୍ ଟିକେଟ୍ ହାସଲ କରି ସାରିଥିଲେ । ଭାରତର ଷ୍ଟାର୍ ଖେଳାଳି ନଭନୀତ କୌର ପ୍ଲେୟାର ଅଫ୍ ଦ ଟୁର୍ଣ୍ଣାମେଣ୍ଟ ବିବେଚିତ ହୋଇଥିଲେ ।

ଭାରତ-ଇଂଲଣ୍ଡ ମ୍ୟାଚ୍ ରୋମାଞ୍ଚପୂର୍ଣ୍ଣ ହୋଇଥିଲା । ପ୍ରଥମ କ୍ୱାର୍ଟର ଆରମ୍ଭରୁ ଭାରତ ଜୋରଦାର ଆକ୍ରମଣ କରି ଦ୍ୱିତୀୟ ମିନିଟ୍ରେ ପେନାଲ୍ଟି ସୁଯୋଗ ସୃଷ୍ଟି କରିଥିଲା । ମାତ୍ର ଏହା ବିଫଳ ଯାଇଥିଲେ ହେଁ ରିଭ୍ୟୁରେ ପୁନଃ ଦଳକୁ ପେନାଲ୍ଟି ମିଳିଥିଲା । ହେଲେ ଏଥିରେ ମଧ୍ୟ ଦଳ ଗୋଲ୍ କରିବାରେ ବିଫଳ ହୋଇଥିଲା । ଇଂଲଣ୍ଡ ୧୩ମିନିଟ୍ରେ ପ୍ରଥମ ପେନାଲ୍ଟି ପାଇଥିଲା ଏବଂ ଗ୍ରେସ୍ ବାଲ୍ସଡନ ଏହାକୁ ଗୋଲ୍ ରୂପ ଦେବାରେ ଅବହେଳା କରିନଥିଲେ । ଇଂଲଣ୍ଡ ୧-୦ରେ ଆଗେଇ ଥିଲା । ଦ୍ୱିତୀୟ କ୍ୱାର୍ଟର ଗୋଲଶୂନ୍ୟ ରହିଥିଲା। ଏହି ଭାଗରେ ମଧ୍ୟ ଭାରତ ୨ଟି ପେନାଲ୍ଟି ସୁଯୋଗ ପାଇଥିଲା ।

ଅଧିକ ପଢ଼ନ୍ତୁ :- ବାଂଲାଦେଶ ବିପକ୍ଷ ମ୍ୟାଚରେ ସଲମାନଙ୍କ ବ୍ୟବହାର, ଆଇସିସି ନେଲା କଡ଼ା କାର୍ଯ୍ୟାନୁଷ୍ଠାନ

ତୃତୀୟ କ୍ୱାର୍ଟରରେ ଭାରତ ଆକ୍ରମଣକୁ ତୀବ୍ରତର କରି ଏକାଧିକ ସୁଯୋଗ ସୃଷ୍ଟି କରିଥିଲା । ହେଲେ ଖାତା ଖୋଲି ପାରିନଥିଲା । ଅନ୍ୟ ପଟରେ ଇଂଲଣ୍ଡ ୪୩ମିନିଟ୍ରେ ଦ୍ୱିତୀୟ ଗୋଲ୍ କରି ମ୍ୟାଚ୍କୁ ନିଜ ନିୟନ୍ତ୍ରଣକୁ ନେଇଥିଲା । ଏଲିସାବେଥ ନିଲ ଏହି ଗୋଲ୍ଟି ସ୍କୋର କରିଥିଲେ । ଚତୁର୍ଥ କ୍ୱାର୍ଟରରେ ଆୟୋଜକ ଦଳ ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରିଥିଲେ ମଧ୍ୟ ଗୋଟିଏ ବି ଗୋଲ୍ ପରିଶୋଧ କରିନପାରି ଶେଷରେ ୦-୨ରେ ପରାଜିତ ହୋଇଥିଲା ।