• ଟାରିଫ ପ୍ରଭାବ ନଗଣ୍ୟ, ନୋମିନାଲ ଜିଡିପି ୮% ରହିବ
  • ମୋଟ୍ ଜିଭିଏ ୭.୩%, ବିନିର୍ମାଣ ୭% ବଢ଼ିବ
  • କୃଷି ଓ ଆନୁଷଙ୍ଗିକ କ୍ଷେତ୍ର ୩% ବୃଦ୍ଧି ଆଶା
  • ସେବା କ୍ଷେତ୍ର ଦୃଢ଼, ନିବେଶ, ପୁଞ୍ଜି ଖର୍ଚ୍ଚ ବୃଦ୍ଧି
  • ଚାହିଦା ବଢ଼ାଇଛି ଟିକସ ସଂସ୍କାର

ନୂଆଦିଲ୍ଲୀ,୦୮/୦୧: ବିଶ୍ୱ ବଜାରର ଅଭିବୃଦ୍ଧି ଆଖିଦୃଶିଆ ନାହିଁ । ଆମେରିକା ଟାରିଫ୍ ଜନିତ କଟକଣା ସତ୍ତେ୍ୱ ମଧ୍ୟ ଭାରତୀୟ ଅର୍ଥବ୍ୟବସ୍ଥା ଉଲ୍ଲେଖନୀୟ ପ୍ରଦର୍ଶନ କରିବ । ଆର୍ଥିକ ବର୍ଷ ୨୦୨୫-୨୬ରେ ଦେଶର ଅର୍ଥନୀତି ଦୃଢ଼ତା ଦେଖାଇଛି । ଏହି ଅବଧିରେ ଜିଡିପି ୭.୪% ବଢ଼ିବ । ଦେଶ ଏସିଆର ଦ୍ୱିତୀୟ ବୃହତ ଅର୍ଥନୀତି ମାନ୍ୟତା ବଜାୟ ରଖିବ । ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ (ଏନ୍ଏସ୍ଓ) ଦେଶର ଜିଡିପିକୁ ନେଇ ଏଭଳି ଅଗ୍ରୀମ ଆକଳନ କରିଛି । ଦେଶର ବାସ୍ତବ ଜିଡିପି ୨୦୧.୯୦ ଲକ୍ଷ କୋଟିକୁ ବଢ଼ିବ। ଯାହା ପୂର୍ବ ଅବଧିରେ ୧୮୭.୯୭ ଲକ୍ଷ କୋଟି ଟଙ୍କା ରହିଥିଲା ।

ସେହିଭଳି ନୋମିନାଲ ଜିଡିପି କରେଣ୍ଟ ପ୍ରାଇସ୍‌ରେ ୩୩୦.୬୮ ଲକ୍ଷ କୋଟିରୁ ୩୫୭ ଲକ୍ଷ କୋଟିକୁ ବଢ଼ିବ । ଗତ ଆର୍ଥିକ ବର୍ଷ ଘରୋଇ ବଜାରର ଜିଡିପି ୬.୫% ବୃଦ୍ଧି ହୋଇଥିଲା । ଚଳିତ ଆର୍ଥିକ ବର୍ଷ ଜିଡିପି ୭.୩% ବଢ଼ିବା ନେଇ ଆର୍‌ବିଆଇ ଅନୁମାନ କରିଛି । ପରିସଂଖ୍ୟାନ ମନ୍ତ୍ରଣାଳୟର ବର୍ତ୍ତମାନର ଏହି ଅନୁମାନ ଆର୍ବିଆଇ ଆକଳନଠାରୁ ସାମାନ୍ୟ ଅଧିକ । ସେହିଭଳି ନୋମିନାଲ୍ ଜିଡିପି ସାମାନ୍ୟ ଧିମା ହୋଇ ୮% ରହିପାରେ । ଯାହା ଗତ ଆର୍ଥିକ ବର୍ଷ ୯.୭% ଥିଲା । ଫେବ୍ରୁଆରି ପହିଲାରେ ଆସୁଥିବା ସାଧାରଣ ବଜେଟ୍ ଏହି ଅନୁମାନକୁ ପ୍ରାଥମିକତା ଦେବ ।

ସେବା କ୍ଷେତ୍ରରେ ଦୃଢ଼ତା ସହ ଚଳିତ ଆର୍ଥିକ ବର୍ଷ ପ୍ରକୃତ ଗ୍ରସ୍ ଭାଲ୍ୟୁ ଆଡେଡ୍ (ଜିଭିଏ) ୭.୩% ବୃଦ୍ଧି ନେଇ ଅନୁମାନ କରିଛି ମନ୍ତ୍ରଣାଳୟ । ଯାହା ଗତ ଆର୍ଥିକ ବର୍ଷ ୬.୪% ରହିଥିଲା । ନୋମିନାଲ୍ ଜିଭିଏ ୭.୭% ରହିବ । ସରକାରଙ୍କ ଖର୍ଚ୍ଚ ୫.୨% ବଢ଼ିବ । ଯାହା ଗତ ବର୍ଷ ୨.୩% ଥିଲା ।

ଆର୍ଥିକ ସେବା, ରିୟଲ୍ ଇଷ୍ଟେଟ ଓ ବୃତ୍ତିଗତ ସେବା, ଲୋକ ପ୍ରଶାସନ, ପ୍ରତିରକ୍ଷା ଏବଂ ଅନ୍ୟ ସେବା କ୍ଷେତ୍ର ସ୍ଥାୟୀ ମୂଲ୍ୟରେ ୯.୯% ଅଭିବୃଦ୍ଧି ହେବ। ବାଣିଜ୍ୟ, ହୋଟେଲ, ପରିବହନ, କମ୍ୟୁନିକେସନ ଏବଂ ସର୍ଭିସ ୭.୫% ବଢ଼ିବ । ସେହିଭଳି ବିନିର୍ମାଣ କ୍ଷେତ୍ର ଚଳିତ ଆର୍ଥିକ ବର୍ଷ ୭% ବଢ଼ିବା ନେଇ ଅନୁମାନ କରାଯାଇଛି । ଯାହା ପୂର୍ବ ଅବଧିରେ ୪.୫% ଥିଲା । ନିର୍ମାଣ କ୍ଷେତ୍ରରେ ଅଭିବୃଦ୍ଧି ୭% ରହିବ । ଯାହା ପୂର୍ବ ଅବଧିରେ ୯.୪% ଥିଲା । ସ୍ଥିରମୂଲ୍ୟ ଦୃଷ୍ଟିରୁ ମାନୁଫାକ୍ଚରିଂ ଏବଂ ନିର୍ମାଣ କ୍ଷେତ୍ର ୭% ବଢ଼ିବ । କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ଅଭିବୃଦ୍ଧି ୩% ରହିବ । ଯାହା ପୂର୍ବ ଅବଧିରେ ୪.୬% ରହିଥିଲା ।

ବିଜୁଳି, ଗ୍ୟାସ, ଜଳ ଯୋଗାଣ ଏବଂ ଅନ୍ୟ ୟୁଟିଲିଟି ୨.୧%, ପ୍ରକୃତ ଘରୋଇ ଚାହିଦା ଖର୍ଚ୍ଚ (ପିଏଫ୍‌ସିଇ) ୭% ଏବଂ ମୋଟ ସ୍ଥାୟୀ ପୁଞ୍ଜି ସୃଷ୍ଟି (ଜିଏଫ୍ସିଏଫ୍) ୭.୮% ବୃଦ୍ଧି ଆକଳନ କରାଯାଇଛି । ଚଳିତ ଆର୍ଥିକ ବର୍ଷ ଦ୍ୱିତୀୟ ତ୍ରୈମାସରେ ଜିଡିପି ଆଖିଦୃଶିଆ ଅଭିବୃଦ୍ଧି କରିଥିଲା । ୬ ତ୍ରୈମାସର ସର୍ବୋଚ୍ଚ ସ୍ତର ୮.୨% ଅଭିବୃଦ୍ଧି ଦେଖିଥିଲା ଅର୍ଥନୀତି । ୨୦୨୫-୨୬ ଏପ୍ରିଲ-ଜୁନ ଅବଧିରେ ଅଭିବୃଦ୍ଧି ୭.୮% ଥିଲା । ତେବେ ଦ୍ୱିତୀୟ ତ୍ରୈମାସରେ ଜିଡିପିରେ ଉଲ୍ଲେଖନୀୟ ଅଭିବୃଦ୍ଧି ବଜାରର ଅନୁମାନଠାରୁ ଉଦ୍ଧ୍ୱର୍ରେ ରହିଥିଲା ।

ବିଶ୍ୱ ବଜାର ଅନିଶ୍ଚିତ ଥିବା ବେଳେ ଭାରତ ଏହାର ଅଭିବୃଦ୍ଧି ଧାରା ଜାରି ରଖିବ । ସେବା କ୍ଷେତ୍ରର ଦୃଢ଼ତା, ନିବେଶ କାର୍ଯ୍ୟକଳାପ ବୃଦ୍ଧି ଏବଂ ସରକାରଙ୍କ ପୁଞ୍ଜି ଖର୍ଚ୍ଚରେ ନିରନ୍ତର ଉନ୍ନତି ଅଭିବୃଦ୍ଧିକୁ ବଳ ଦେବାରେ ସହାୟକ ହେଉଛି । ଦେଶର ଶିଳ୍ପ ଉତ୍ପାଦନ ନିରନ୍ତର ବୃଦ୍ଧି ହେଉଛି । ବ୍ୟାଙ୍କ ଗୁଡ଼ିକର ଋଣ ଯୋଗାଣ ଏବଂ ସରକାରଙ୍କ ସଂସ୍କାର କାର୍ଯ୍ୟକ୍ରମ ଅର୍ଥନୀତି ପାଇଁ ଲାଭକାରୀ ପାଲଟିଛି । ଫଳରେ ଦେଶ ଏସିଆର ପ୍ରମୁଖ ଅର୍ଥନୀତି ମଧ୍ୟରେ ନିଜକୁ ସ୍ଥାନିତ କରିପାରିଛି ।

ଚଳିତ ଆର୍ଥିକ ବର୍ଷରେ ସରକାର ଆୟକର ସଂସ୍କାର ଆଣିଥିଲେ । ଏହାଦ୍ୱାରା ଟିକସଦାତାଙ୍କ ଉତ୍ସାହ ବଢ଼ିଛି । ସେହିଭଳି ସେପ୍ଟେମ୍ବର ୨୨ରେ ଲାଗୁ ହୋଇଥିବା ଜିଏସ୍‌ଟି ୨.୦ ଯୋଗୁ ମଧ୍ୟବିତ୍ତ ବର୍ଗ ଆଶ୍ୱସ୍ତି ଲାଭ କରିଛନ୍ତି । ଏଭଳି ପଦକ୍ଷେପ ଗୁଡ଼ିକ ଖାଉଟିଙ୍କ କ୍ରୟ ଶକ୍ତି ବୃଦ୍ଧି, ଦରଦାମରୁ ଆଶ୍ୱସ୍ତି ଏବଂ ଚାହିଦାକୁ ଉଦ୍ଧ୍ୱର୍ଗାମୀ କରିବାରେ ସହାୟକ ହୋଇଛି । ଜିଏସ୍‌ଟି ହ୍ରାସ ଯୋଗୁ ମୂଲ୍ୟରେ ସ୍ୱଚ୍ଛତା ଏବଂ ସୁଲଭତା ବଢ଼ିଛି ।

ପୂର୍ବରୁ ଦର ଉଚ୍ଚା ରହିବା ଯୋଗୁ ଲୋକେ ଖର୍ଚ୍ଚ କରିବାକୁ ଆଗଭର ହେଉ ନ ଥିଲେ । ମାତ୍ର ଜିଏସ୍‌ଟି  କମିବା ଯୋଗୁ ପାର୍ବଣରେ ବଜାରକୁ ଜୋରଦାର ସମର୍ଥନ ମିଳିଛି । ଉଭୟ ପ୍ରତ୍ୟକ୍ଷ ଟିକସ ଏବଂ ଜିଏସ୍‌ଟି  ହ୍ରାସ ଏଫ୍ଏମ୍‌ଜି, କଞ୍ଜ୍ୟୁମର ଡ୍ୟୁରେବଲ୍ସ ଏବଂ ସେବା କ୍ଷେତ୍ରରେ ଚାହିଦା ଆଧାରିତ ଅଭିବୃଦ୍ଧିକୁ ଉଦ୍ଧ୍ୱର୍ଗାମୀ କରିବାରେ ଯୋଗଦାନ ଦେଇଥିବା କୁହାଯାଇଛି ।