ନୂଆଦିଲ୍ଲୀ, ୨।୯: ଭାରତ ଜାତିସଂଘ ମାନବାଧିକାର ପରିଷଦ (UNHRC)ରେ ପାକିସ୍ତାନକୁ ଭର୍ତ୍ସନା କରିଛି । ସଂଖ୍ୟାଲଘୁଙ୍କ ପ୍ରସଙ୍ଗରେ ପାକିସ୍ତାନକୁ ଏକ କଡ଼ା ବାର୍ତ୍ତା ଦେଇଛି । ଭାରତ କହିଛି ଯେ, ନିଜ ଦେଶରେ ସଂଖ୍ୟାଲଘୁଙ୍କ ଉପରେ ଅତ୍ୟାଚାର କରୁଥିବା ଦେଶ ଅନ୍ୟମାନଙ୍କୁ ମାନବାଧିକାର ଉପରେ କ’ଣ ଉପଦେଶ ଦେବ ? ବୁଧବାର ଜେନେଭାରେ ୟୁଏନଏଚଆରସିର ୬୦ତମ ଅଧିବେଶନର ୩୪ତମ ବୈଠକରେ ଭାରତୀୟ କୂଟନୀତିଜ୍ଞ ମହମ୍ମଦ ହୁସେନ ଅଂଶଗ୍ରହଣ କରିଥିଲେ । ସେ କହିଛନ୍ତି, “ପାକିସ୍ତାନ ଭଳି ଏକ ଦେଶ ଅନ୍ୟମାନଙ୍କୁ ମାନବାଧିକାର ଉପରେ ଉପଦେଶ ଦେବାକୁ ଚେଷ୍ଟା କରୁଛି । ଅନ୍ୟମାନଙ୍କୁ ପ୍ରଶ୍ନ କରିବା ପୂର୍ବରୁ, ପ୍ରଥମେ ନିଜ ଦେଶରେ ସଂଖ୍ୟାଲଘୁଙ୍କ ଉପରେ ହେଉଥିବା ଅତ୍ୟାଚାର ଉପରେ ନଜର ପକାଉ ।”  

ମିଛର ମେସିନ ପାକିସ୍ତାନ:

ଥରେ ନୁହେଁ ପାକିସ୍ତାନ ଅନେକ ଥର ଭାରତ ବିରୁଦ୍ଧରେ ମିଛ କହିଆସୁଛି । ଏଥିସହ ଭାରତ ବିରୁଦ୍ଧରେ ବାରମ୍ବାର ଗମ୍ଭୀର ମାନବାଧିକାର ଅଭିଯୋଗ ଆଣିଛି, କିନ୍ତୁ ସତ କଥା ହେଉଛି ପାକିସ୍ତାନ ନିଜେ ଆତଙ୍କବାଦ ପାଇଁ ଦାୟୀ ଏବଂ ଏଥିପାଇଁ ପ୍ରତିଦିନ ନିଜ ଦେଶ ମାଟିରେ ହିଁ ନିର୍ଦ୍ଦୋଷ ଲୋକମାନଙ୍କର ଜୀବନ ଯାଉଛି । ପାକିସ୍ତାନରେ ସଂଖ୍ୟାଲଘୁଙ୍କ ଉପରେ ଅତ୍ୟାଚାର ବୃଦ୍ଧି ପାଇଛି, ଯାହା ଅନେକ ରିପୋର୍ଟରେ ପ୍ରକାଶ ପାଇଛି ।

ପିଓକେରେ ନିର୍ଦ୍ଦୋଷ ଜନତାଙ୍କୁ ଟାର୍ଗେଟ୍:

ପାକିସ୍ତାନ ଅଧିକୃତ କାଶ୍ମୀରରେ ମଧ୍ୟ ପ୍ରତିଦିନ ପ୍ରତିବାଦ ପ୍ରଦର୍ଶନ କରାଯାଉଛି । ବାଲୁଚ୍ ନ୍ୟାସନାଲ୍ ମୁଭମେଣ୍ଟର ମାନବାଧିକାର ସଂଗଠନ, ପାନକ୍ କେବଳ ୨୦୨୫ର ପ୍ରଥମ ୬ ମାସରେ ୭୮୫ ନିଖୋଜ ଏବଂ ୧୨୧ ହତ୍ୟା ରିପୋର୍ଟ କରିଛି । ପସ୍ତୁନ୍ ସଂଗଠନଗୁଡ଼ିକ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଦାବି କରି ଗୋଟିଏ ବର୍ଷରେ ପ୍ରାୟ ୪ ହଜାର ନିଖୋଜ ଥିବା ରିପୋର୍ଟ କରିଛନ୍ତି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହି ସଂଖ୍ୟାଗୁଡ଼ିକ ସାର୍ବଜନୀନ ଭାବରେ ଉପଲବ୍ଧ ହେଲେ ମଧ୍ୟ, ପାକିସ୍ତାନରେ ଅନେକ ଲୋକ ନିଖୋଜ କିମ୍ୱା ହତ୍ୟା ହୋଇଥିଲେ ସୁଦ୍ଧା ଏ ସମସ୍ତ ସୂଚନା ଅପ୍ରକାଶିତ ରହିଛି ।