ନୂଆଦିଲ୍ଲୀ : କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ବିରୋଧରେ କାନାଡାର ଭିତ୍ତିହୀନ ଅଭିଯୋଗକୁ ନେଇ ଭାରତର କଡ଼ା ଆଭିମୁଖ୍ୟ। କାନାଡାକୁ ଚେତାବନୀ ଦେଇ କହିଛି , ଏହି ପ୍ରକାରର ଦାୟିତ୍ୱହୀନ ହରକତ ଦ୍ୱିପାକ୍ଷୀୟ ସମ୍ୱନ୍ଧରେ ଗୁରୁତର ପ୍ରଭାବ ପକାଇପାରେ। ଭାରତର ବିଦେଶ ମନ୍ତ୍ରଣାଳୟ କାନାଡାର ଉଚ୍ଚାୟୋଗଙ୍କ ପ୍ରତିନିଧିଙ୍କୁ ସମନ ଜାରି କରି କଡ଼ା ବିରୋଧ କରିଛନ୍ତି।  

ଉଲ୍ଲେଖନୀୟ ଯେ, ଗତବର୍ଷ ଖଲିସ୍ତାନୀ ଆତଙ୍କୀ ହରଦୀପ ସିଂହ ନିଜ୍ଜରର ହତ୍ୟା ପରେ ଭାରତ ଓ କାନାଡା ମଧ୍ୟରେ ସଂପର୍କରେ ଫାଟ ସୃଷ୍ଟି ହୋଇଥିଲା ଏବଂ ନିକଟବର୍ତ୍ତୀ ଦିନ ଗୁଡ଼ିକରେ କାନାଡା ଭାରତ ବିରୋଧରେ ବିନା ପ୍ରମାଣରେ ଅନେକ ଅଭିଯୋଗ ଲଗାଇଛି। 

ଆଜି ଏକ ସାମ୍ୱାଦିକ ସମ୍ମିଳନୀରେ ବିଦେଶ ମନ୍ତ୍ରଣାଳୟର ପ୍ରବକ୍ତା ରଣଧୀର ଜାୟସୱାଲ କହିଛନ୍ତି , ଆମେ ଗତ କାଲି କାନାଡାର ଉଚ୍ଚାୟୋଗଙ୍କ ପ୍ରତିନିଧିଙ୍କୁ ସମନ ଜାରି କରିଛୁ। ଯେଉଁ ନୋଟ୍‌ ପ୍ରଦାନ କରାଯାଇଥିଲା, ସେଥିରେ କୁହାଯାଇଛି ଯେ, ଭାରତ ସରକାର ଉପ ମନ୍ତ୍ରୀ ଡେଭିଡ୍‌ ମାରିସନଙ୍କ ଦ୍ୱାରା ସମିତି ସମ୍ମୁଖରେ ଭାରତର କେନ୍ଦ୍ରୀୟ ଗୃହ ମନ୍ତ୍ରୀଙ୍କ ପାଇଁ କରାଯାଇ ଥିବା ଭିତ୍ତିହୀନ ସନ୍ଦର୍ଭକୁ କଡ଼ା ଶବ୍ଦରେ ବିରୋଧ କରିଛନ୍ତି। 

ରୟଟର୍ସର ରିପୋର୍ଟ ଅନୁସାରେ, କାନାଡା ଅଭିଯୋଗ କରିଥିଲା ଯେ, କେନ୍ଦ୍ରୀୟ ଗୃହମନ୍ତ୍ରୀ ଅମିତ ଶାହ କାନାଡାର ମାଟିରେ ଶିଖ୍‌ ସଂଖ୍ୟା ଲଘୁଙ୍କୁ ଟାର୍ଗେଟ୍‌ କରିବାର ଷଡ଼ଯନ୍ତ୍ରର ପଛରେ ଥିଲେ। କାନାଡାର ଉପ ବିଦେଶ ମନ୍ତ୍ରୀ ଡେଭିଜ୍‌ ମାରିସନ ଏକ ସଂସଦୀୟ ପ୍ୟାନେଲକୁ କହିଛନ୍ତି କି, ସେ ୱାଶିଂଟନ ପୋଷ୍ଟକୁ କହିଛନ୍ତି କି, ଶାହ ଷଡ଼ଯନ୍ତ୍ରର ପଛରେ ଥିଲେ। 

ବୁଧବାର ଆମେରିକା ଶାହଙ୍କ ବିରୋଧରେ କାନାଡାର ଅଭିଯୋଗକୁ ନେଇ ପ୍ରତିକ୍ରିୟାରେ କହିଛି ଏହା ଖୁବ୍‌ ଚିନ୍ତାଜନକ। ବିଦେଶ ବିଭାଗର ପ୍ରବକ୍ତା ମାଥ୍ୟୁ ମିଲର କହିଛନ୍ତି, କାନାଡା ସରକାର ଦ୍ୱାରା ଲଗାଯାଇ ଥିବା ଅଭିଯୋଗ ଚିନ୍ତାଜନକ ଏବଂ ଆମେ ଏହି ଅଭିଯୋଗ ବିଷୟରେ କାନାଡା ସରକାରଙ୍କୁ ପରାମର୍ଶ କରିବା ଜାରି ରଖିବୁ। ହେଲେ ଭାରତ ସ୍ପଷ୍ଟ ଭାବେ କହିଛି କି କାନାଡାର ଅଭିଯୋଗ ଭିତ୍ତିହୀନ।