ନୂଆଦିଲ୍ଲୀ,୨୨/୦୫: ଆସନ୍ତା ୨୭ ତାରିଖରେ ଆଇପିଏଲର ଲିଗ୍‌ ପର୍ଯ୍ୟାୟ ଶେଷ ହେବ । ତା’ର ଦୁଇ ଦିନ ପୂର୍ବରୁ  ଅର୍ଥାତ ୨୫ ତାରିଖରେ ଇଂଲଣ୍ଡ ଗସ୍ତ ପାଇଁ ଭାରତୀୟ ଟେଷ୍ଟ ଅଧିନାୟକ ଓ ଦଳ ଘୋଷଣା ହେବ ବୋଲି ଜଣା ପଡ଼ିଛି । ଦଳ ଘୋଷଣା  ପରେ ମୁଖ୍ୟ କୋଚ୍‌ ଗୌତମ ଗମ୍ଭୀର ଓ  ଜାତୀୟ ଚୟନ କମିଟି ଅଧ୍ୟକ୍ଷ ଅଜିତ  ଅଗରକର ସାମ୍ବାଦିକ ସମ୍ମିଳନୀରେ ବସିବେ । 

ରୋହିତ ଶର୍ମା ଓ ବିରାଟ କୋହଲିଙ୍କ  ସ୍ଥାନ ଦଳରେ ପୂରଣ ହେବା ଅସମ୍ଭବ । ତଥାପି  ସେମାନଙ୍କ ଅନୁପସ୍ଥିତିରେ କିଏ ସବୁ ଦଳରେ  ସ୍ଥାନ ପାଇବେ ଏବଂ କାହାକୁ ନେତୃତ୍ୱ ଦାୟିତ୍ୱ  ମିଳିବ ତାହାକୁ କ୍ରିକେଟ୍‌ ପ୍ରଶଂସକ ଉତ୍ସୁକତାର  ସହ ଅପେକ୍ଷା କରିଛନ୍ତି । ସଚିନ ତେନ୍ଦୁଲକର ଓ ବିରାଟ କୋହଲି  ଦୀର୍ଘ ୩୩ ବର୍ଷ ଧରି ୪ ନମ୍ବର ସ୍ଥାନରେ ବ୍ୟାଟିଂ  କରି ଆସୁଥିଲେ । ସେହି ସ୍ଥାନ ଏବେ କାହାକୁ  ମିଳିବ? ଶୁଭମନ ଗିଲ ନା’ ଆଉ କିଏ? ସେମିତି  ଯଶସ୍ୱୀ ଜୈସ୍ୱାଲଙ୍କ ସହ ବର୍ଡର-ଗାଭାସ୍କର  ଟ୍ରଫିରେ କେଏଲ୍‌ ରାହୁଲ ଚମତ୍କାର ଓପନିଂ  କରିଥିଲେ । ତେଣୁ ରୋହିତଙ୍କ ଅନୁପସ୍ଥିତିରେ  ଏହି ଦୁଇ ବ୍ୟାଟର ଓପନିଂ କରିପାରନ୍ତି ।  ସେମିତି ଅନ୍ୟ ସବୁ ସ୍ଥାନ ପାଇ ସାଇ ସୁଦର୍ଶନ,  କରୁଣ ନାଏର, ସର୍ଫରାଜ ଖାନ ଓ ଋତୁରାଜ  ଗାଏକୱାଡ ଖେଳିବାକୁ ପ୍ରସ୍ତୁତ ରହିଛନ୍ତି ।  

ଯଦି ଅଧିନାୟକ କଥା କୁହାଯାଏ, ଗିଲ ଏହି  ଦୌଡ଼ରେ ଆଗରେ ରହିଛନ୍ତି । ଯଶପ୍ରୀତ ବୁମରା,  ରାହୁଲ ଏବଂ ରିଷଭ ପନ୍ତ ମଧ୍ୟ ଏହି ଦୌଡ଼ରେ  ସାମିଲ ଅଛନ୍ତି । ଇଂଲଣ୍ଡ ଗସ୍ତରେ ଭାରତ ୫ ମ୍ୟାଚ  ବିଶିଷ୍ଟ ସିରିଜ ଖେଳିବ । ଯୁବ ଦଳ ନେଇ ଭାରତ  ଇଂଲଣ୍ଡ ପରିବେଶରେ ଲଢ଼ିବ । ଯାହା ଦଳ ପାଇଁ ଏକ  ବଡ଼ ଆହ୍ୱାନ । କୋହଲିଙ୍କ ଅନୁପସ୍ଥିତି ଘରୋଇ ଦଳକୁ  ଅଧିକ ଉତ୍ସାହିତ କରିଛି । ଏହି ଉତ୍ସାହକୁ ଭ୍ରମଣକାରୀ  ଦଳ କିଭଳି ସାମ୍ନା କରିବ ତାହା ସମୟ କହିବ ।  ପାଖାପାଖି ଦେଢ଼ ଦଶନ୍ଧି ଧରି ଭାରତୀୟ  ଦଳରେ ନେତୃତ୍ୱକୁ ନେଇ ଯେଉଁ ଦୃଢ଼ତା ଓ ସ୍ଥିରତା ରହିଥିଲା ରୋହିତ ସନ୍ନ୍ୟାସ ନେବା  ପରେ ବିରାଟ ଶୂନ୍ୟ ସ୍ଥାନ ସୃଷ୍ଟି କରିଛି । ଧୋନି  ନେତୃତ୍ୱ ଛାଡ଼ିବା ବେଳକୁ କୋହଲି ପ୍ରସ୍ତୁତ  ଥିଲେ । କୋହଲିଙ୍କ ପରେ ରୋହିତ ସମ୍ଭାଳି  ଆସିଥିଲେ । ଧୋନି-କୋହଲି-ରୋହିତ,  ସମସ୍ତଙ୍କ ଶୈଳୀ ଓ ରଣନୀତି ଭିନ୍ନ ଭିନ୍ନ ଥିଲା  ମାତ୍ର ଦଳ ସେଥିରେ ବେଶ ସଫଳ ହୋଇଥିଲା ।