ନୂଆଦିଲ୍ଲୀ,୨୨/୦୫: ଆସନ୍ତା ୨୭ ତାରିଖରେ ଆଇପିଏଲର ଲିଗ୍ ପର୍ଯ୍ୟାୟ ଶେଷ ହେବ । ତା’ର ଦୁଇ ଦିନ ପୂର୍ବରୁ ଅର୍ଥାତ ୨୫ ତାରିଖରେ ଇଂଲଣ୍ଡ ଗସ୍ତ ପାଇଁ ଭାରତୀୟ ଟେଷ୍ଟ ଅଧିନାୟକ ଓ ଦଳ ଘୋଷଣା ହେବ ବୋଲି ଜଣା ପଡ଼ିଛି । ଦଳ ଘୋଷଣା ପରେ ମୁଖ୍ୟ କୋଚ୍ ଗୌତମ ଗମ୍ଭୀର ଓ ଜାତୀୟ ଚୟନ କମିଟି ଅଧ୍ୟକ୍ଷ ଅଜିତ ଅଗରକର ସାମ୍ବାଦିକ ସମ୍ମିଳନୀରେ ବସିବେ ।
ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ସ୍ଥାନ ଦଳରେ ପୂରଣ ହେବା ଅସମ୍ଭବ । ତଥାପି ସେମାନଙ୍କ ଅନୁପସ୍ଥିତିରେ କିଏ ସବୁ ଦଳରେ ସ୍ଥାନ ପାଇବେ ଏବଂ କାହାକୁ ନେତୃତ୍ୱ ଦାୟିତ୍ୱ ମିଳିବ ତାହାକୁ କ୍ରିକେଟ୍ ପ୍ରଶଂସକ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି । ସଚିନ ତେନ୍ଦୁଲକର ଓ ବିରାଟ କୋହଲି ଦୀର୍ଘ ୩୩ ବର୍ଷ ଧରି ୪ ନମ୍ବର ସ୍ଥାନରେ ବ୍ୟାଟିଂ କରି ଆସୁଥିଲେ । ସେହି ସ୍ଥାନ ଏବେ କାହାକୁ ମିଳିବ? ଶୁଭମନ ଗିଲ ନା’ ଆଉ କିଏ? ସେମିତି ଯଶସ୍ୱୀ ଜୈସ୍ୱାଲଙ୍କ ସହ ବର୍ଡର-ଗାଭାସ୍କର ଟ୍ରଫିରେ କେଏଲ୍ ରାହୁଲ ଚମତ୍କାର ଓପନିଂ କରିଥିଲେ । ତେଣୁ ରୋହିତଙ୍କ ଅନୁପସ୍ଥିତିରେ ଏହି ଦୁଇ ବ୍ୟାଟର ଓପନିଂ କରିପାରନ୍ତି । ସେମିତି ଅନ୍ୟ ସବୁ ସ୍ଥାନ ପାଇ ସାଇ ସୁଦର୍ଶନ, କରୁଣ ନାଏର, ସର୍ଫରାଜ ଖାନ ଓ ଋତୁରାଜ ଗାଏକୱାଡ ଖେଳିବାକୁ ପ୍ରସ୍ତୁତ ରହିଛନ୍ତି ।
ଯଦି ଅଧିନାୟକ କଥା କୁହାଯାଏ, ଗିଲ ଏହି ଦୌଡ଼ରେ ଆଗରେ ରହିଛନ୍ତି । ଯଶପ୍ରୀତ ବୁମରା, ରାହୁଲ ଏବଂ ରିଷଭ ପନ୍ତ ମଧ୍ୟ ଏହି ଦୌଡ଼ରେ ସାମିଲ ଅଛନ୍ତି । ଇଂଲଣ୍ଡ ଗସ୍ତରେ ଭାରତ ୫ ମ୍ୟାଚ ବିଶିଷ୍ଟ ସିରିଜ ଖେଳିବ । ଯୁବ ଦଳ ନେଇ ଭାରତ ଇଂଲଣ୍ଡ ପରିବେଶରେ ଲଢ଼ିବ । ଯାହା ଦଳ ପାଇଁ ଏକ ବଡ଼ ଆହ୍ୱାନ । କୋହଲିଙ୍କ ଅନୁପସ୍ଥିତି ଘରୋଇ ଦଳକୁ ଅଧିକ ଉତ୍ସାହିତ କରିଛି । ଏହି ଉତ୍ସାହକୁ ଭ୍ରମଣକାରୀ ଦଳ କିଭଳି ସାମ୍ନା କରିବ ତାହା ସମୟ କହିବ । ପାଖାପାଖି ଦେଢ଼ ଦଶନ୍ଧି ଧରି ଭାରତୀୟ ଦଳରେ ନେତୃତ୍ୱକୁ ନେଇ ଯେଉଁ ଦୃଢ଼ତା ଓ ସ୍ଥିରତା ରହିଥିଲା ରୋହିତ ସନ୍ନ୍ୟାସ ନେବା ପରେ ବିରାଟ ଶୂନ୍ୟ ସ୍ଥାନ ସୃଷ୍ଟି କରିଛି । ଧୋନି ନେତୃତ୍ୱ ଛାଡ଼ିବା ବେଳକୁ କୋହଲି ପ୍ରସ୍ତୁତ ଥିଲେ । କୋହଲିଙ୍କ ପରେ ରୋହିତ ସମ୍ଭାଳି ଆସିଥିଲେ । ଧୋନି-କୋହଲି-ରୋହିତ, ସମସ୍ତଙ୍କ ଶୈଳୀ ଓ ରଣନୀତି ଭିନ୍ନ ଭିନ୍ନ ଥିଲା ମାତ୍ର ଦଳ ସେଥିରେ ବେଶ ସଫଳ ହୋଇଥିଲା ।