ବ୍ରିସବେନ,୦୮/୧୧: ଆଜି ଘରୋଇ  ଅଷ୍ଟ୍ରେଲିଆ ଓ ଭାରତ ମଧ୍ୟରେ ପଞ୍ଚମ ତଥା ଅନ୍ତିମ ଟି-ଟ୍ୱେଣ୍ଟି ଖେଳାଯିବ । ଭାରତ ୨-୧ରେ ସିରିଜ ଆଗୁଆ ରହିଛି ।  ତେଣୁ ଭ୍ରମଣକାରୀ ଦଳ ବିଜୟ ଜାରି ରଖି ସିରିଜ କବ୍‌ଜା କରିବାକୁ ପ୍ରୟାସ କରିବ । ଅଷ୍ଟ୍ରେଲିଆ ସିରିଜ ବରାବର ପାଇଁ ସବୁ ଶକ୍ତି  ଖଟାଇବାକୁ ପ୍ରସ୍ତୁତ । ତେଣୁ ଆଜି ଏକ  ସଂଘର୍ଷପୂର୍ଣ୍ଣ ମୁକାବିଲା ଦେଖିବାକୁ ମିଳିବ ।

ଦ୍ୱିତୀୟ ମ୍ୟାଚ୍‌ରେ ପରାଜିତ ହେବା ପରେ ଭାରତୀୟ ଦଳ ଲଢୁଆ ଖେଳ ପ୍ରଦର୍ଶନ କରି ପରବର୍ତ୍ତୀ ୨ଟି ମ୍ୟାଚ୍‌ ଜିତି ସିରିଜ ଅଗ୍ରଣୀ ହାସଲ କରିଛି । ଚତୁର୍ଥ ମୁକାବିଲାରେ ଭାରତ ସବୁ ବିଭାଗରେ  ଶ୍ରେଷ୍ଠ ପ୍ରଦର୍ଶନ କରି ଦମ୍‌ଦାର ବିଜୟ ହାସଲ କରିଥିଲା । ଭାରତୀୟ ସ୍ପିନରଙ୍କ ମୁକାବିଲା  କରିବାରେ ଘରୋଇ ଦଳ ସମ୍ପୂର୍ଣ୍ଣ ବିଫଳ ହୋଇଥିଲା । ଅବଶ୍ୟ ବ୍ରିସବେନ୍‌ ପିଚ୍‌ରେ  ସ୍ପିନରଙ୍କ ପାଇଁ ସେଭଳି ସହାୟତା ମିଳିବ ନାହିଁ । ତଥାପି ଭାରତୀୟ ସ୍ପିନରମାନେ ଘରୋଇ ବ୍ୟାଟରଙ୍କୁ ବାନ୍ଧି ରଖିବାକୁ  ପ୍ରସ୍ତୁତ ।

ଅଷ୍ଟ୍ରେଲିଆ ପୂର୍ବ ସଫଳତାକୁ ଦୋହରାଇବାକୁ ପ୍ରୟାସ କରିବ । ପୂର୍ବରୁ ୨୦୧୮ରେ ଉଭୟ ଦଳ ଏହି ଗ୍ରାଉଣ୍ଡରେ ଏକ ଟି-ଟ୍ୱେଣ୍ଟି ମ୍ୟାଚ୍‌ ଖେଳିଥିଲେ । ଅଷ୍ଟ୍ରେଲିଆ ଉକ୍ତ ମ୍ୟାଚ୍‌ରେ ଭାରତକୁ ୪  ରନ୍‌ରେ ହରାଇଥିଲା । ମାତ୍ର ଏଥିପାଇଁ ପ୍ରମୁଖ ଖେଳାଳିଙ୍କୁ ଦାୟିତ୍ୱ ମୁଣ୍ଡାଇବାକୁ ହେବ । ଫିଟ୍‌  ହୋଇ ଫେରିବା ପରଠୁ ଜୋସ ଇଂଲିଶ ଫର୍ମ  ପାଇଁ ସଂଘର୍ଷ କରୁଛନ୍ତି । ଗ୍ଲେନ ମ୍ୟାକ୍ସୱେଲ୍‌  ଏପର୍ଯ୍ୟନ୍ତ ଲୟ ଫେରି ପାଇନାହାନ୍ତି ।  ଘରୋଇ ଦଳର ବ୍ୟାଟରଙ୍କ ମଧ୍ୟରେ  କେବଳ ମିଚେଲ ମାର୍ଶ ଓ ଟିମ  ଡେଭିଡ୍‌ ଫର୍ମରେ ରହିଛନ୍ତି।  ଭାରତର କିଛି ଖେଳାଳି  ମଧ୍ୟ ଫର୍ମକୁ ନେଇ ସଂଘର୍ଷ  କରୁଛନ୍ତି । ତିଳକ ବର୍ମା, ଶୁଭମନ  ଗିଲ୍‌, ସୂର୍ଯ୍ୟକୁମାର ଯାଦବ ଏପର୍ଯ୍ୟନ୍ତ ଦକ୍ଷତା  ମୁତାବକ ପ୍ରଦର୍ଶନ କରି ନାହାନ୍ତି ।

ଭାରତ  ଶେଷ ଥର ପାଇଁ ୨୦୧୬ରେ ଅଷ୍ଟ୍ରେଲିଆ  ବିପକ୍ଷରେ ଏକ ଟି-ଟ୍ୱେଣ୍ଟି ସିରିଜ ମୂଳପୋଛ  କରିଥିଲା । ମାତ୍ର ଏହାପରଠୁ ଅଷ୍ଟ୍ରେଲିଆ  ବିପକ୍ଷରେ ଭାରତ କ୍ରମାନ୍ୱୟରେ ୩ଟି ଟି-ଟ୍ୱେଣ୍ଟି ଜିତି ନାହିଁ । ଭାରତ ପାଇଁ  ଏହି ସୁଯୋଗ ରହିଛି । ଆଜି ଯଶପ୍ରୀତ ବୁମରାଙ୍କ ଉପରେ ନଜର ରହିବ । ଗତ ୩ଟି  ମ୍ୟାଚ୍‌ରେ ମାତ୍ର ୩ଟି ୱିକେଟ୍‌ ନେଇଥିବା  ବୁମରା ଆଉ ଗୋଟିଏ ୱିକେଟ୍‌ ନେଲେ ୧୦୦  ଟି-ଟ୍ୱେଣ୍ଟି ୱିକେଟ୍‌ କ୍ଲବ୍‌ରେ ସ୍ଥାନ ପାଇବେ । ସେ ପ୍ରଥମ ଭାରତୀୟ ଭାବେ ୩ଟି ଯାକ  ଫର୍ମାଟ୍‌ରେ ୧୦୦ ୱିକେଟ୍‌ ପୂରଣ କରିବେ ।

ଭାରତ ଏକାଦଶରେ ପରିବର୍ତ୍ତନ କରିବା ସମ୍ଭାବନା ନାହିଁ । ପିଚ୍‌ ଓ ଜଳବାୟୁ ପେସ ବୋଲରଙ୍କୁ ସୁହାଉଥିଲେ ହେଁ ଦଳ ୩ ସ୍ପିନର ନେଇ ଖେଳିବା ନିଶ୍ଚିତ । ଅକ୍ଷର ପଟେଲ ଓ ୱାସିଂଟନ ସୁନ୍ଦର ସବୁ ପରିବେଶରେ ୱିକେଟ୍‌ ହାତେଇବାର  କ୍ଷମତା ରଖିଛନ୍ତି । ଅଷ୍ଟ୍ରେଲିଆ ଏକାଦଶରେ  ପରିବର୍ତ୍ତନ କରିବା ଆଶା କରାଯାଉଛି । ଜୋସ ଫିଲିପଙ୍କ ସ୍ଥାନରେ ଅଲ୍‌ରାଉଣ୍ଡର ମିଚେଲ ଓଏନଙ୍କୁ ପୁନର୍ବାର ଏକାଦଶକୁ ଡକାଇବା  ସମ୍ଭାବନା ରହିଛି ।

ଗାବା ଗ୍ରାଉଣ୍ଡର ପାରମ୍ପରିକ ଭାବେ ପେସ୍‌ ବୋଲରଙ୍କୁ ସହାୟତା କରି ଆସିଛି ।  ଏଠାରେ ବଲ୍‌ ଅତିରିକ୍ତ ସୁଇଂ ଓ ବାଉନ୍ସ  ହୋଇଥାଏ । ଆଜି ମଧ୍ୟ ପେସ୍‌  ବୋଲରଙ୍କୁ ପିଚ୍‌ ଯଥେଷ୍ଟ ସହାୟତା କରିବ ।  ତଥାପି ଏଠାରେ ବଡ଼ ସ୍କୋର ସମ୍ଭବ । ଏଠାରେ ଟସ ସେଭଳି ଗୁରୁତ୍ୱ ରଖିବ ନାହିଁ ।  ତଥାପି ଟସ ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେବା  ଆଶା କରାଯାଉଛି ।

ସମ୍ଭାବ୍ୟ ଦଳ

ଭାରତ: ଅଭିଷେକ ଶର୍ମା,  ଶୁଭମନ ଗିଲ୍‌, ସୂର୍ଯ୍ୟକୁମାର ଯାଦବ  (ଅଧିନାୟକ), ତିଳକ ବର୍ମା, ଅକ୍ଷର  ପଟେଲ, ୱାସିଂଟନ ସୁନ୍ଦର, ଜିତେଶ  ଶର୍ମା, ଶିବମ ଦୁବେ, ଅର୍ଶଦୀପ ସିଂହ,  ବରୁଣ ଚକ୍ରବର୍ତ୍ତୀ, ଯଶପ୍ରୀତ ବୁମରା ।

ଅଷ୍ଟ୍ରେଲିଆ: ମାଥ୍ୟୁ ସର୍ଟ, ମିଚେଲ ମାର୍ଶ  (ଅଧିନାୟକ), ଜୋସ ଇଂଲିଶ, ଟିମ  ଡେଭିଡ୍‌, ଗ୍ଲେନ ମ୍ୟାକ୍ସୱେଲ୍‌, ମିଚେଲ  ଓଏନ, ମାର୍କସ ଷ୍ଟଇନିସ, ଜାଭିୟର  ବାର୍ଟଲେଟ୍‌, ବେନ ଡାର୍ସିୟସ, ନାଥାନ  ଏଲିସ, ଆଡାମ ଜାମ୍ପା ।