• ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଦିନିକିଆ
  • ସ୍ଥାନ: କୋଟାମ୍ବି, ଷ୍ଟାଡ଼ିୟମ୍‌-ଭଦୋଦରା
  • ମ୍ୟାଚ୍ ଆରମ୍ଭ ସମୟ: ଅପରାହ୍ଣ ୧.୩୦
  • ଶୁବମନ ଗିଲ୍‌, ଶ୍ରେୟସ ଆୟରଙ୍କ ପ୍ରତ୍ୟାବର୍ତ୍ତନ ସିରିଜ୍

ଭଦୋଦରା, ୧୧।୧: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଆଜି ଖେଳାଯିବ ପ୍ରଥମ ଦିନିକିଆ । ପୁଣି ଥରେ ଦୁଇ ଷ୍ଟାର ଖେଳାଳି ରୋହିତ ଶର୍ମା ଓ ବିରାଟ କୋହଲି ଗ୍ରାଉଣ୍ଡକୁ ଓହ୍ଲାଇବେ । ଭାରତୀୟ କ୍ରିକେଟ୍‌ ପ୍ରେମୀ ରୋ-କୋ ଯୋଡ଼ିଙ୍କ ଝଲକ ପାଇବା ପାଇଁ ଉତ୍ସୁକତାର ସହ ଅପେକ୍ଷା କରିଥିବାବେଳେ ଚୟନ କମିଟିର ନଜର ରହିବ ଅଧିନାୟକ ଶୁଭମନ ଗିଲ୍ ଓ ଉପ-ଅଧିନାୟକ ଶ୍ରେୟାସ ଆୟରଙ୍କ ପ୍ରଦର୍ଶନ ଉପରେ । ମାତ୍ର ୨୨ ଦିନର ବ୍ୟବଧାନ ପରେ ଭାରତ ଆଉ ଏକ ଦିନିକିଆ ସିରିଜ୍ ଖେଳିବାକୁ ଯାଉଛି । ଦକ୍ଷିଣ ଆଫ୍ରିକା ବିପକ୍ଷରେ ଘରୋଇ ଦିନିକିଆ ସିରିଜ ପରେ ଦର୍ଶକ ପୁଣି ଥରେ ରୋହିତ ଓ ବିରାଟଙ୍କୁ ଦେଖିବାକୁ ଅପେକ୍ଷା କରି ରହିଥିଲେ । ଉଭୟ ୨ଟି ଲେଖାଏଁ ବିଜୟ ହଜାରେ ଟ୍ରଫି ମ୍ୟାଚ୍‌ ଖେଳି ଦଳକୁ ଫେରିଛନ୍ତି । ଉଭୟ ରୋହିତ ଓ କୋହଲି ଯଥାକ୍ରମେ ଦିନିକିଆ ମାନ୍ୟତାର ପ୍ରଥମ ୨ଟି ସ୍ଥାନରେ ରହିଛନ୍ତି । ଏହି ସିରିଜ୍ ଉଭୟଙ୍କ ସ୍ଥାନ ପରିବର୍ତ୍ତନ କରିବାର ସୁଯୋଗ ରହିଛି ।

ଆୟର ୨ମାସ ପରେ କୌଣସି ଅନ୍ତର୍ଜାତୀୟ ମୁକାବିଲା ଖେଳିବାକୁ ଯାଉଛନ୍ତି । ଗତ ଅକ୍ଟୋବରରେ ସେ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ ଖେଳୁଥିବା ସମୟରେ ଗୁରୁତର ଆହତ ହୋଇଥିଲେ । ଇତି ମଧ୍ୟରେ ସେ ବିଜୟ ହଜାରେ ଟ୍ରଫିର ୨ଟି ମ୍ୟାଚ୍‌ ଖେଳି ଫିଟ୍‌ ଓ ଫର୍ମରେ ଥିବା ପ୍ରମାଣ କରିଛନ୍ତି । କ୍ରିକେଟ୍‌ ପ୍ରେମୀ ତାଙ୍କ ସଫଳ ପ୍ରତ୍ୟାବର୍ତ୍ତନକୁ ଅପେକ୍ଷା କରିଛନ୍ତି । ଗିଲ୍‌ ମଧ୍ୟ ଫିଟ୍‌ ହୋଇ ପ୍ରତ୍ୟାବର୍ତ୍ତନ କରିଛନ୍ତି । ମାତ୍ର ସେ ଫର୍ମକୁ ଫେରିବା ପାଇଁ ସଂଘର୍ଷ କରୁଛନ୍ତି । ନ୍ୟୁଜିଲାଣ୍ଡ ଦଳରେ ଅନେକ ନୂଆ ମୁହଁ ଦେଖିବାକୁ ମିଳିବ । ଅନେକ ପ୍ରମୁଖ ଖେଳାଳି ସମ୍ପ୍ରତି ଆହତ ଅଛନ୍ତି । ତେଣୁ ମାଇକେଲ ବ୍ରେସୱେଲଙ୍କ ନେତୃତ୍ୱରେ ଏକ ଯୁବ ଦଳ ଗ୍ରାଉଣ୍ଡକୁ ଓହ୍ଲାଇବ ।

ନିକକେଲି, ଜ୍ୟାକ୍‌ ଫୋଲ୍କସ, ମାଇକେଲରେ, ଆଦିତ୍ୟ ଅଶୋକଙ୍କ ଭଳି କିଛି ଖେଳାଳି ଆଜିର ଭାରତ ମାଟିରେ ପଦାର୍ପଣ କରିବେ । ନ୍ୟୁଜିଲାଣ୍ଡ ଦଳ ଆଜି ପର୍ଯ୍ୟନ୍ତ ଭାରତରେ କୌଣସି ଦିନିକିଆ ସିରିଜ ଜିତି ନାହିଁ । ମାତ୍ର ଏଥର କଡ଼ା ଟକ୍କର ଦେବା ଏକ ପ୍ରକାର ନିଶ୍ଚିତ । ୨୦୨୪ରେ ନ୍ୟୁଜିଲାଣ୍ଡ ଦଳ ଭାରତ ଆସି ୩-୦ରେ ଟେଷ୍ଟ ସିରିଜ ମୂଳପୋଛ କରିଥିଲା । ଏହି ବିଜୟ ନ୍ୟୁଜିଲାଣ୍ଡକୁ ଦିନିକିଆ ସିରିଜ ଜିତିବା ପାଇଁ ଯଥେଷ୍ଟ ମନୋବଳ ଯୋଗାଇବ । କୋଟାମ୍ବି ଷ୍ଟାଡ଼ିୟମ୍‌ରେ ପ୍ରଥମ ଦିନିକିଆ ପାଇଁ ଏକ ଶକ୍ତ ପିଚ୍‌ ପ୍ରସ୍ତୁତ କରାଯାଇଛି । ଯାହା ବ୍ୟାଟରଙ୍କୁ ଭରପୁର ସହାୟତା କରିବ । ଏହି ଗ୍ରାଉଣ୍ଡ୍‌ରେ ପ୍ରଥମ ଥର ପାଇଁ ପୁରୁଷ ବର୍ଗରେ ଅନ୍ତର୍ଜାତୀୟ ଦିନିକିଆ ଖେଳା ଯାଉଛି । ତେଣୁ ପିଚର ପୂର୍ବାନୁମାନ କରିବା କଷ୍ଟକର । ସ୍ଥାନୀୟ ଜଳବାୟୁ ଅନୁଯାୟୀ ପେସ୍ ବୋଲରମାନେ ନୂଆ ବଲ୍‌କୁ ସୁଇଂ କରାଉଥିବାର ରେକର୍ଡ ରହିଛି । ତେଣୁ ଟସ୍ ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେବା ଆଶା କରାଯାଉଛି ।

ସମ୍ଭାବ୍ୟ ଭାରତୀୟ ଏକାଦଶ: ଶୁଭମନ ଗିଲ୍‌ (ଅଧିନାୟକ), ରୋହିତ ଶର୍ମା, ବିରାଟ କୋହଲି, ଶ୍ରେୟାସ ଆୟର, କେଏଲ ରାହୁଲ, ୱାସିଂଟନ ସୁନ୍ଦର, ରବିନ୍ଦ୍ର ଜାଡେଜା, ହର୍ଷିତ ରାଣା, କୁଲଦୀପ ଯାଦବ, ଅର୍ଶଦୀପ ସିଂହ, ମହମ୍ମଦ ସିରାଜ ।

ସମ୍ଭାବ୍ୟ ନ୍ୟୁଜିଲାଣ୍ଡ ଏକାଦଶ: ଡେଭନ କନୱେ, ନିକ କେଲି, ୱିଲ ୟଙ୍ଗ, ଡାରିଲ ମିଚେଲ, ହେନରୀ ନିକୋଲ୍ସ, ଗ୍ଲେନ ଫିଲିପ୍ସ, ମାଇକେଲ ବ୍ରେସୱେଲ୍‌ (ଅଧିନାୟକ), ଜ୍ୟାକ୍‌ ଫୋଲ୍କସ, କେଲି ଜାମିସନ, ମାଇକେଲ ରେ, ଆଦିତ୍ୟ ଅଶୋକ ।