ରାଜକୋଟ, ୧୫/୦୧: ଦ୍ବିତୀୟ ଦିନିକିଆରେ ଟିମ୍ ଇଣ୍ଡିଆକୁ ନିରାଶ ହେବାକୁ ପଡ଼ିଛି । ୨୮୫ ରନ ଟାର୍ଗେଟକୁ ସହଜରେ ଜିତି ନେଇଛି ଭ୍ରମଣକାରୀ ନ୍ୟୁଜିଲାଣ୍ଡ । ଫଳରେ ଏହି ମ୍ୟାଚରେ ଭାରତୀୟ ଦଳକୁ ୭ ଓ୍ବିକେଟରେ ପରାଜୟ ମିଳିଛି । ଏହା ପୂର୍ବରୁ ଦିନିକିଆ କ୍ରିକେଟ୍ ବିଶ୍ବକପ ୨୦୨୩ର ପ୍ରଥମ ମ୍ୟାଚରେ କ୍ବିଓ୍ବି ଟିମ୍ ଇଂଲଣ୍ଡକୁ ପରାସ୍ତ କରିଥିଲା । ୨୮୩ ରନ୍‌ର ଟାର୍ଗେଟ୍ ସହଜରେ ଚେଜ୍ କରିନେଇଥିଲା ନ୍ୟୁଜିଲାଣ୍ଡ ।

ବୁଧବାର ୨୮୫ ରନ୍‌ର ଲକ୍ଷ୍ୟକୁ ପିଛା କରି ଟିମ୍ ନ୍ୟୁଜିଲ୍ୟାଣ୍ଡ ୪୭.୩ ଓଭରରେ ମ୍ୟାଚକୁ ଜିତି ନେଇଛି । ଏହି ବିଜୟର ସବୁଠାରୁ ବଡ଼ ନାୟକ ଥିଲେ ଡେରିଲ୍ ମିଚେଲ୍‌ । ଯିଏ କି ୧୩୧ ରନ୍‌ର ଅପରାଜେୟ ଇନିଂସ ଖେଳିଥିଲେ । ତାଙ୍କୁ ସାଥ୍ ଦେଇଥିଲେ ୱିଲ୍‌ ୟଙ୍ଗ । ସେ ୮୭ ରନ୍‌ କରି ଦଳକୁ ବିଜୟର ନିକଟତର କରାଇଥିଲେ । ସେପଟେ ଭାରତ ପକ୍ଷରୁ କେଏଲ୍ ରାହୁଲ୍ ୧୧୨ ରନ୍‌ର ଜବରଦସ୍ତ ଇନିଂସ ଖେଳିଥିଲେ । ଆଉ ଟିମକୁ ଏକ ମଜବୁତ ସ୍ଥିତିରେ ଛିଡ଼ା କରିଥିଲେ । ଫଳରେ ଟିମ ଇଣ୍ଡିଆ ନିର୍ଦ୍ଧାରିତ ୫୦ ଓଭରରେ ୭ ଓ୍ବିକେଟ ହରାଇ ୨୮୪ ରନ କରିଥିଲା ।  

ବିଜୟ ନିର୍ଣ୍ଣାୟକ ମିଚେଲ୍-ୟଙ୍ଗଙ୍କ ଯୋଡ଼ି:

ଭାରତୀୟ ଦଳର ପରାଜୟର ସବୁଠାରୁ ବଡ଼ କାରଣ ଥିଲା ମଧ୍ୟ ଓଭରରେ ବୋଲରଙ୍କ ଦୁର୍ବଳ ପ୍ରଦର୍ଶନ । ଏହାର ଫାଇଦା ନେଇଥିଲେ ନ୍ୟୁଜିଲାଣ୍ଡର ବ୍ୟାଟର ୱିଲ୍ ୟଙ୍ଗ ଏବଂ ଡେରିଲ୍ ମିଚେଲ୍ । ତୃତୀୟ ଓ୍ବିକେଟରେ ୧୬୨ ରନ୍‌ର ଗୁରୁତ୍ୱପୂର୍ଣ୍ଣ ପାର୍ଟନରସିପ୍ କରିଥିଲେ । ଯାହା ଭାରତ ହାତରୁ ମ୍ୟାଚକୁ ଛଡ଼ାଇ ନେଇଥିଲା  ।

କ୍ୟାଚ୍ ଓ ରନ୍‌ଆଉଟ୍ ମିସ୍, ଟର୍ଣ୍ଣିଂ ପଏଣ୍ଟ :
ଦ୍ବିତୀୟ ଇନିଂସର ୩୬ତମ ଓଭରରେ ଭାରତ ପାଖରେ ମ୍ୟାଚକୁ ଫେରିବାର ସୁଯୋଗ ଥିଲା। କୁଳଦୀପ ଯାଦବଙ୍କ ଓଭରରେ ଦଳ ପ୍ରଥମେ ଡେରିଲ୍ ମିଚେଲଙ୍କ ରନ୍‌ଆଉଟ୍ ସୁଯୋଗକୁ ହାତଛଡ଼ା କରିଥିଲା । ପରେ ପ୍ରସିଦ୍ଧ କୃଷ୍ଣା ତାଙ୍କ କ୍ୟାଚ୍ ଛାଡ଼ି ଦେଇଥିଲେ। ସେତେବେଳେ ମିଚେଲ୍ ୮୨ ରନ୍‌ରେ ଖେଳୁଥିଲେ। ଏହା ପରେ ମିଚେଲ୍ ୯୬ ବଲ୍‌ରେ ନିଜ ଶତକ ପୂରଣ କରି ଶେଷ ପର୍ଯ୍ୟନ୍ତ ଅପରାଜେୟ ରହି ନ୍ୟୁଜିଲାଣ୍ଡକୁ ବିଜୟୀ କରାଇଥିଲେ । ମିଚେଲ୍ ୧୧୭ ବଲ୍‌ରେ ୧୩୧ ରନର ମ୍ୟାଚ୍ ଓ୍ବିନିଂ ପାଳି ଖେଳିଥିଲେ । ଏଥିରେ ୧୧ଟି ଚଉକା ଓ ୨ଟି ଛକା ଥିଲା। ଏହା ତାଙ୍କର ୮ମ ଦିନିକିଆ ଶତକ ଏବଂ ଭାରତ ବିରୋଧରେ ୩ୟ ସେଞ୍ଚୁରୀ ଥିଲା । କୁଲଦୀପଙ୍କ ଓଭରରେ ଯଦି ମିଚେଲଙ୍କୁ ରନଆଉଟ୍ କିମ୍ବା କ୍ୟାଚ୍ କରାଯାଇପାରିଥାନ୍ତା, ତେବେ ମ୍ୟାଚର ଫଳାଫଳ କିଛି ଭିନ୍ନ ହୋଇପାରିଥାନ୍ତା ।