ଅହମ୍ମଦାବାଦ,୧୯/୧୨: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ୫ ମ୍ୟାଚ୍ ବିଶିଷ୍ଟ ଟି୨୦ ସିରିଜର ଅନ୍ତିମ ମ୍ୟାଚ୍ ଅହମ୍ମଦାବାଦର ନରେନ୍ଦ୍ରମୋଦୀ ଷ୍ଟାଡିୟମରେ ଖେଳାଯାଇଛି। ପ୍ରଥମେ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା ଦକ୍ଷିଣ ଆଫ୍ରିକା। ବ୍ୟାଟିଂ ପାଇଁ ପ୍ରଥମେ ମଇଦାନକୁ ଓହ୍ଲାଇଥିବା ଟିମ୍ ଇଣ୍ଡିଆ ନିର୍ଦ୍ଧାରିତ ୨୦ ଓଭରରେ ୫ ଓ୍ବିକେଟ ହରାଇ ୨୩୧ ରନ୍ କରିଛି। ଦଳ ପକ୍ଷରୁ ତିଳକ ବର୍ମା ୪୩ ବଲ୍ରେ ୧୦ ଚୌକା ଗୋଟିଏ ଛକା ସହାୟତାରେ ସର୍ବାଧିକ ୭୩ ରନ୍ର ଦମଦାର ଇନିଂସ ଖେଳିଛନ୍ତି। ସେହିପରି ହାର୍ଦ୍ଦିକ ପାଣ୍ଡ୍ୟା ୨୫ ବଲ୍ ଖେଳି ୫ଟି ଚୌକା ଓ ୫ଟି ଛକା ସହାୟତାରେ ୬୩ ରନ୍ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ସଞ୍ଜୁ ସାମ୍ସନ୍ ୨୨ ବଲ୍ରେ ୩୭, ଅଭିଶେଷ ଶର୍ମା ୨୧ ବଲ୍ରେ ୩୪, ଶିବମ ଦୁବେ ୩ ବଲ୍ରେ ୧୦ ରନ୍ କରିଥିବା ବେଳେ ଅନ୍ୟ କେହି ଦୁଇ ଅଙ୍କ ସ୍କୋର ଛୁଇଁପାରିନଥିଲେ।

ଦକ୍ଷିଣ ଆଫ୍ରିକା ପକ୍ଷରୁ କର୍ବିନ ବୋଶ ଦୁଇଟି ଏବଂ ଓଟନେବ ବର୍ତ୍ତମାନ ଓ ଜିଓର୍ଜ ଲିଙ୍ଗଡେ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ। ବର୍ତ୍ତମାନ ଦକ୍ଷିଣ ଆଫ୍ରିକା ୨୩୨ ରନ୍‌ର ଟାର୍ଗେଟକୁ ପିଛା କରିବାକୁ ମଇଦାନକୁ ଓହ୍ଲାଇବ।

ପାଣ୍ଡ୍ୟା ଓ ତିଳକଙ୍କ ରେକର୍ଡ:

ହାର୍ଦ୍ଦିକ ପାଣ୍ଡ୍ୟା ଏହି ମ୍ୟାଚ୍‌ରେ ମାତ୍ର ୧୬ ବଲ୍‌ରେ ତାଙ୍କର ଅର୍ଦ୍ଧଶତକ ପୂରଣ କରିଥିଲେ। ତାଙ୍କ ନାମରେ ଟି-୨୦ ଅନ୍ତର୍ଜାତୀୟ କ୍ରିକେଟ୍ ଇତିହାସରେ ଭାରତ ପାଇଁ ଦ୍ୱିତୀୟ ଦ୍ରୁତତମ ଅର୍ଦ୍ଧଶତକ ହାସଲ କରିବାର ରେକର୍ଡ ରହିଛି। ସେ ଅଭିଷେକ ଶର୍ମାଙ୍କୁ ପଛରେ ପକାଇ ଦେଇଛନ୍ତି, ଯିଏକି ଚଳିତ ବର୍ଷ ଆରମ୍ଭରେ ଇଂଲଣ୍ଡ ବିପକ୍ଷରେ ୧୭ ବଲ୍‌ରେ ଏହି ମାଇଲଖୁଣ୍ଟ ହାସଲ କରିଥିଲେ। ଭାରତ ପାଇଁ ଦ୍ରୁତତମ ଅର୍ଦ୍ଧଶତକର ରେକର୍ଡ ଯୁବରାଜ ସିଂହଙ୍କ ନାମରେ ଅଛି, ଯିଏକି ୨୦୦୭ ଟି-୨୦ ବିଶ୍ୱକପ୍‌ରେ ୧୨ ବଲ୍‌ରେ ତାଙ୍କର ଅର୍ଦ୍ଧଶତକ ହାସଲ କରିଥିଲେ। ତିଲକ ବର୍ମା ଏହି ବର୍ଷ ଟି-୨୦ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ୫୦୦ ରନ୍ କରିବାରେ କେବଳ ଦ୍ୱିତୀୟ ଭାରତୀୟ ବ୍ୟାଟର ହୋଇଛନ୍ତି। ପ୍ରଥମରେ ରହିଛନ୍ତି ଅଭିଷେକ ଶର୍ମା, ଯିଏକି ଚଳିତ ବର୍ଷ ୮୫୯ ରନ୍ କରିସାରିଛନ୍ତି।