ଅହମ୍ମଦାବାଦ,୧୯/୧୨: ଆଜି ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ସିରିଜ ନିର୍ଣ୍ଣାୟକ ପଞ୍ଚମ ଟି-ଟ୍ୱେଣ୍ଟି ଖେଳାଯିବ । ଭାରତ ୨-୧ରେ ସିରିଜ ଆଗୁଆ ରହିଛି । ଦଳ ଅନ୍ତିମ ମ୍ୟାଚ୍ ଜିତି ଟ୍ରଫି ଉଠାଇବାକୁ ଲକ୍ଷ୍ୟ ରଖିଛି । ଅନ୍ୟ ପଟରେ ଦକ୍ଷିଣ ଆଫ୍ରିକା ବିଜୟ ସହ ସିରିଜ ଡ୍ର’ କରିବାକୁ ସବୁ ଶକ୍ତି ଖଟାଇବାକୁ ପ୍ରସ୍ତୁତ । ଫଳରେ ମ୍ୟାଚ୍ଟି ସଂଘର୍ଷପୂର୍ଣ୍ଣ ହେବା ଆଶା କରାଯାଉଛି ।
ଲକ୍ଷ୍ନୌରେ ଉଭୟ ଦଳ ମଧ୍ୟରେ ଅନୁଷ୍ଠିତ ଚତୁର୍ଥ ଟି-ଟ୍ୱେଣ୍ଟିକୁ ବାତିଲ ଘୋଷଣା କରାଯାଇଥିଲା । ଅତ୍ୟଧିକ କୁହୁଡ଼ି ପାଇଁ ମ୍ୟାଚ୍ ଖେଳାଯିବା ସମ୍ଭବ ହୋଇନଥିଲା । ମାତ୍ର ଅହମ୍ମଦାବାଦରେ ସେଭଳି କିଛି ସମସ୍ୟା ହେବ ନାହିଁ । ଦର୍ଶକ ଏକ ପୂର୍ଣ୍ଣାଙ୍ଗ ମ୍ୟାଚ୍ ଦେଖିବାକୁ ପାଇବେ ।
ଉଭୟ ଦଳର ଶକ୍ତି ସମାନ । ଆଜି ଦକ୍ଷିଣ ଆଫ୍ରିକା ଅଲରାଉଣ୍ଡର ମାର୍କୋ ଜାନସେନ ଓ ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ଉପରେ ନଜର ରହିବ । ଜାନସେନ ଭାରତ ଗସ୍ତରେ ଚମତ୍କାର ପ୍ରଦର୍ଶନ କରିବା ସହ ସବୁଠୁ ଘାତକ ସାବ୍ୟସ୍ତ ହୋଇଛନ୍ତି । ସୂର୍ଯ୍ୟକୁମାରଙ୍କ ବ୍ୟକ୍ତିଗତ ପ୍ରଦର୍ଶନ ନୈରାଶ୍ୟଜନକ ରହିଛି । ସେ ଗତ ୨୧ଟି ମ୍ୟାଚ୍ରୁ ମାତ୍ର ୨୩୯ରନ୍ କରିଛନ୍ତି । ତାଙ୍କଠୁ ଏକ ବଡ଼ ଇନିଂସ୍ ଆଶା ରହିବ ।
ପେସ୍ ବୋଲର ଯଶପ୍ରୀତ ବୁମରା ଏକାଦଶକୁ ଫେରିବା ନିଶ୍ଚିତ । ମାତ୍ର ଉପଅଧିନାୟକ ଶୁଭମନ ଗିଲ୍ ବାଦ୍ ପଡ଼ିବା ସମ୍ଭାବନା ରହିଛି । ତାଙ୍କ ଗୋଇଠିରେ ଆଘାତ ଲାଗିଥିବା ଜଣାପଡ଼ିଛି । ଯଦି ସେ ବାଦ୍ ପଡ଼ନ୍ତି, ତା’ହେଲେ ସଞ୍ଜୁ ସାମସନଙ୍କୁ ସୁଯୋଗ ମିଳିବ । ସେ ଓପନ କରିବେ । ପୂର୍ବ ମ୍ୟାଚ୍ଗୁଡ଼ିକ ଭଳି ଅହମ୍ମଦାବାଦରେ ମଧ୍ୟ ଯୁବ ଓପନର ଅଭିଷେକ ଶର୍ମାଙ୍କ ଦୁର୍ଦ୍ଧର୍ଷ ବ୍ୟାଟିଂ ଉପରେ ସମସ୍ତଙ୍କ ନଜର ରହିବ ।
ସମ୍ଭାବ୍ୟ ଏକାଦଶ
ଭାରତ: ଅଭିଷେକ ଶର୍ମା, ଶୁଭମନ ଗିଲ୍/ସଞ୍ଜୁ ସାମସନ, ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ତିଳକ ବର୍ମା, ଜିତେଶ ଶର୍ମା, ହାର୍ଦ୍ଦିକ ପାଣ୍ଡ୍ୟା, ଶିବମ ଦୁବେ, ହର୍ଷିତ ରାଣା/ୱାସିଂଟନ ସୁନ୍ଦର, ଅର୍ଶଦୀପ ସିଂହ, ଯଶପ୍ରୀତ ବୁମରା, ବରୁଣ ଚକ୍ରବର୍ତ୍ତୀ ।
ଦକ୍ଷିଣ ଆଫ୍ରିକା: କ୍ୱିଣ୍ଟନ ଡି’କକ୍, ରିଜା ହେଣ୍ଡ୍ରିକ୍ସ, ଆଡେନ ମାରକ୍ରମ (ଅଧିନାୟକ), ଡିୱାଲ୍ଡ ବ୍ରେଭିସ୍, ଡେଭିଡ୍ ମିଲର, ଡୋନୋଭାନ ଫେରେରା, ମାର୍କୋ ଜାନସେନ, କର୍ବିନ ବସ୍କ, ଜର୍ଜ ଲିଣ୍ଡେ/ କେଶବ ମହାରାଜ/ଆନରିଚ ନର୍ଜ, ଲୁଙ୍ଗି ଏନ୍ଗିଡ଼ି, ଓଟ୍ଟିନେଲ ବାର୍ଟମାନ ।