ନୂଆଦିଲ୍ଲୀ ୧୧/୦୨: ଭାରତୀୟ ମହାକାଶ ଉଦ୍ୟୋଗର ବିଶାଳ ଲମ୍ଫ । ଅହମଦାବାଦର କମ୍ପାନି ଅଜିଷ୍ଟା ସ୍ପେସ୍ ନିଜର ୮୦ କିଲୋର ସାଟେଲାଇଟ୍ ଏଏଫ୍ଆର୍‌ରୁ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର (ଆଇଏସ୍‌ଏସ୍)ର ଚିତ୍ର ଉତ୍ତୋଳନ କରିଛି । ପ୍ରଥମ ଥର କୌଣସି ଘରୋଇ କମ୍ପାନି ମହାକାଶରୁ ଅନ୍ୟ ମହାକାଶ ଯାନକୁ ଟ୍ରାକ୍ କରି ତା’ର ଛବିକୁ କ୍ୟାମେରାରେ କଏଦ କରିଛି । ଏହାକୁ ଇନ୍- ଅର୍ବିଟ୍ ସ୍ନୁପିଙ୍ଗ୍ ବା ସ୍ପେସ୍ ୱାଚ୍ କୁହାଯାଏ ।

ଏହି ଟେକ୍ନୋଲୋଜି ଜରିଆରେ ଭବିଷ୍ୟତରେ ଶତ୍ରୁ ସାଟେଲାଇଟ୍ କିମ୍ବା ମିସାଇଲ ଉପରେ ନଜର ରଖାଯାଇ ପାରିବ । ଭାରତର ମହାକାଶ ସମ୍ପତ୍ତିର ସୁରକ୍ଷା ପାଇଁ ଏହା ଏକ ବଡ଼ ପ୍ରୟାସ । କକ୍ଷରେ ଏବେ ୫୦ ହଜାର କୋଟିରୁ ଅଧିକ ଟଙ୍କାର ୫୦ରୁ ଅଧିକ ସାଟେଲାଇଟ୍ ଅଛି । ଅଜିଷ୍ଟା ସ୍ପେସ୍ ଚଳିତ ମାସ ୩ ତାରିଖ ଏକ ଜଟିଳ ପ୍ରୟୋଗ କରିଥିଲା । ଏହାର ଏଏଫ୍‌ଆର୍ (ଏବିଏ ଫର୍ଷ୍ଟ ରନର୍) ସାଟେଲାଇଟ୍ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର(ସ୍ପେସ୍ ଷ୍ଟେସନ୍)କୁ ଟ୍ରାକ୍ କଲା ଓ ଏହାର ଚିତ୍ର ଉତ୍ତୋଳନ କଲା । ସ୍ପେସ୍ ଷ୍ଟେସନ୍ ପୃଥିବୀଠୁ ପ୍ରାୟ ୪୦୦ କିମି ଉପରେ କକ୍ଷରେ ଘୂରୁଛି । ଏଏଫ୍‌ଆର୍ ଦୁଇ ଥରରେ ଆଇଏସ୍‌ଏସ୍‌କୁ ଟ୍ରାକ୍ କଲା ଏବଂ ୧୫ ଭିନ୍ନ ଭିନ୍ନ ଚିତ୍ର ନେଲା । ଏହି ଚିତ୍ର ୨୫୦ରୁ ୩୦୦ କିମି ଦୂରରୁ ନେଇଥିଲା । ତାହା ପୁଣି ସୂର୍ଯ୍ୟର ବିପରୀତ ଦିଗରେ । କମ୍ପାନି ଏକ୍ସ ପୋଷ୍ଟ୍ରେ ଲେଖିଛି, ଆମେ ଆଇଏସ୍ଏସ୍କୁ ଟ୍ରାକ୍ କରି ଏହାର ୨.୨ ମିଟରଯୁକ୍ତ ଚିତ୍ର ନେଇଛୁ । ଦୁଇଟିଯାକ ପ୍ରୟାସ ୧୦୦ ପ୍ରତିଶତ ସଫଳ ହୋଇଛି । ଏହା ଏଏଫ୍‌ଆର୍‌ର ଟ୍ରାକିଂ ଆଲ୍‌ଗୋରିଦମ ଓ ଇମେଜିଂ ସଠିକତାର ପ୍ରମାଣ । ୨୦୨୩, ଜୁନ୍ ୧୩ରେ ଏଏଫ୍‌ଆର୍ ସାଟେଲାଇଟ୍‌କୁ ସ୍ପେସ୍‌ଏକ୍ସର ଫାଲ୍କନ- ୯ ରକେଟ୍‌ରେ ଲଞ୍ଚ୍ କରାଯାଇଥିଲା । ୨.୫ ବର୍ଷରୁ ଅଧିକ ସମୟରୁ ଏହା କକ୍ଷରେ ରହି ପୃଥିବୀ ଉପରେ ନଜର ରଖିଛି । ଏହା ଏକ ପୃଥିବୀ ଅବଲୋକନକାରୀ ସାଟେଲାଇଟ୍ । କିନ୍ତୁ ଏବେ ଏଥିରେ ସ୍ପେସ୍ ୱାଚ୍ କ୍ଷମତା ଯୋଡ଼ାଯାଇଛି ।

​​​​​​​

ଆହୁରି ପଢ଼ନ୍ତୁ...ଚନ୍ଦ୍ରଯାନ-୪ ପାଇଁ ଖୁସି ଖବର, ଜହ୍ନରେ ସବୁଠୁ ସୁରକ୍ଷିତ ଲ୍ୟାଣ୍ଡିଂ ସ୍ଥାନ ଚିହ୍ନଟ କଲା ଇସ୍ରୋ

ପୂର୍ବରୁ ଏହି କ୍ଷମତା କେବଳ ଆମେରିକା, ରୁଷ୍ ବା ଚୀନ୍ ଭଳି ମହାଶକ୍ତିଙ୍କ ପାଖରେ ଥିଲା । ଅଜିଷ୍ଟା ଅନୁସାରେ, ଏଏଫ୍‌ଆର୍‌ ଭାରତର ଏକମାତ୍ର ସାଟେଲାଇଟ୍, ଯାହା ଏହି କାମ କରିବାରେ ସକ୍ଷମ । ଅଜିଷ୍ଟା ଏସିଆର ପ୍ରଥମ ଘରୋଇ ସାଟେଲାଇଟ୍ ଫ୍ୟାକ୍ଟ୍ରି । କମ୍ପାନି ପ୍ରତି ବର୍ଷ ୫୦ ସାଟେଲାଇଟ୍ ପ୍ରସ୍ତୁତ କରିପାରେ । କମ୍ପାନିର କର୍ମଚାରୀମାନେ ଇସ୍ରୋର ୧୨ରୁ ଅଧିକ ମିଶନରେ ସାମିଲ ହୋଇଛନ୍ତି । ଇନ୍-ଅର୍ବିଟ୍ ସ୍ନୁପିଙ୍ଗ୍‌ର ଅର୍ଥ ମହାକାଶରୁ ଅନ୍ୟ ସାଟେଲାଇଟ୍ ବା ବସ୍ତୁକୁ ଟ୍ରାକ୍ କରିବା ଓ ତା’ର ଫଟୋ ନେବା । ଏଏଫ୍‌ଆର୍‌ ଆଇଏସ୍‌ଏସ୍‌କୁ ଟ୍ରାକ୍ କରିବା ପାଇଁ ନିଜର ସେନ୍ସର ପ୍ରୟୋଗ କରିଥିଲା, ଯାହା ସାଟେଲାଇଟ୍‌କୁ ସଠିକ୍ ଦଗକୁ ବୁଲାଇ ଚିତ୍ର ଉତ୍ତୋଳନ କରେ । ଏହି ସଫଳତା ଭାରତର ମହାକାଶ ଉଦ୍ୟୋଗକୁ ନୂଆ ଶିଖରକୁ ନେବ । ଘରୋଇ କମ୍ପାନି ଏଣିକି ସୁପର୍ପାୱାର ଭଳି ଟେକ୍ନୋଲୋଜି ନିର୍ମାଣ କରୁଛନ୍ତି । ଭବିଷ୍ୟତରେ ଏଏଫ୍‌ଆର୍ ଭଳି ସାଟେଲାଇଟ୍ ମହାକାଶ ବର୍ଜ୍ୟକୁ ଚିହ୍ନଟ କରିପାରିବେ ଓ ମିଶନ୍‌ରେ ସାହାଯ୍ୟ କରିପାରିବେ ।