ନୂଆଦିଲ୍ଲୀ ୧୦/୦୨: ଚନ୍ଦ୍ରଯାନ-୪ ମିଶନ ପାଇଁ ଚନ୍ଦ୍ର ପୃଷ୍ଠରେ ସୁରକ୍ଷିତ ଅବତରଣ ସ୍ଥଳୀ ପାଇଛି ଇସ୍ରୋ । ଚନ୍ଦ୍ରର ଦକ୍ଷିଣ ମେରୁ ନିକଟରେ ଅବତରଣ କରିବ ଚନ୍ଦ୍ରଯାନ-୪ । ଚନ୍ଦ୍ରଯାନ-୨ ଅର୍ବିଟର୍‌ରେ ମିଳିଥିବା ଫଟୋ ଆଧାରରେ ବୈଜ୍ଞାନିକମାନେ ମନ୍ସ ମାଉଣ୍ଟେନ୍ (ଏମ୍‌ଏମ୍-୪) କ୍ଷେତ୍ରକୁ ଅବତରଣ ପାଇଁ ଉପଯୁକ୍ତ ବୋଲି କହିଛନ୍ତି । ମନ୍ସ ମାଉଣ୍ଟେନ୍ ଚନ୍ଦ୍ରର ଦକ୍ଷିଣ ମେରୁ ନିକଟରେ ସ୍ଥିତ ପ୍ରାୟ ୬ ହଜାର ମିଟର ଉଚ୍ଚ ପାହାଡ଼ । ଏହାର ଶିଖର ଆପାତତଃ ସମତଳ, ଯାହା ମହାକାଶ ଯାନର ଅବତରଣ ଲାଗି ଅନୁକୂଳ । ତଥାପି ଅବତରଣ ସ୍ଥଳୀକୁ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ମିଶନ ଲଞ୍ଚ୍ ପୂର୍ବରୁ ନିଆଯିବ । ମନ୍ସ ମାଉଣ୍ଟେନ୍‌ରେ ଅଧିକ ସମୟ ସୂର୍ଯ୍ୟାଲୋକ ପଡୁଥିବାରୁ ଏହା ବୈଜ୍ଞାନିକଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ହୋଇଛି । ଏଠାରେ ୱାଟର ଆଇସ୍ (ଜଳ ବରଫ) ଉପସ୍ଥିତିର ସମ୍ଭାବନା ବି ରହିଛି । ମନ୍ସ ମାଉଣ୍ଟେନ୍ ଲିବନିଟ୍‌ଜ ବିଟା ନାମରେ ପରିଚିତ ଥିଲା । ପରେ ନାସାର ଗଣିତଜ୍ଞ ଓ କମ୍ପ୍ୟୁଟର ପ୍ରୋଗ୍ରାମର୍ ମେଲ୍‌ବା ରୟ ମାଉଣ୍ଟେନ୍‌ଙ୍କ ନାମ ଅନୁସାରେ ଏହାର ନାଁ ହେଲା ମନ୍ସ ମାଉଣ୍ଟେନ୍ ।

ସଦ୍ୟ ଅଧ୍ୟୟନକୁ ଲୁନାର ଆଣ୍ଡ ପ୍ଲାନେଟାରୀ ସାଇନ୍ସ କନ୍‌ଫରେନ୍ସରେ ଉପସ୍ଥାପନ କରାଯାଇଛି । ଅବତରଣ ସ୍ଥଳୀ ଚୟନ ଲାଗି ବୈଜ୍ଞାନିକମାନେ ଚନ୍ଦ୍ରଯାନ-୨ ଅର୍ବିଟର୍‌ରେ ସଂଲଗ୍ନ ଅର୍ବିଟର ହାଇ ରିଜୋଲ୍ୟୁସନ୍ କ୍ୟାମେରା (ଓଏଚ୍‌ଆର୍ସି)ର ଚିତ୍ରକୁ ପ୍ରୟୋଗ କରିଥିଲେ । ଏହି କ୍ୟାମେରା ଚନ୍ଦ୍ର ପୃଷ୍ଠକୁ ପ୍ରାୟ ୩୨ ସେମି ପ୍ରତି ପିକ୍ସେଲ ରିଜୋଲ୍ୟୁସନ୍‌ରେ ଦେଖାଏ । ଏହା ଜରିଆରେ ଛୋଟ ଗର୍ତ୍ତ, ପଥର, ଗଡ଼ାଣି ଓ ପୃଷ୍ଠର ଗଠନ ସ୍ପଷ୍ଟ ଦେଖାଯାଏ । ଫଳରେ ଅବତରଣ ଲାଗି ବିପଦପୂର୍ଣ୍ଣ କ୍ଷେତ୍ରର ଚିହ୍ନଟ ପୂର୍ବରୁ ହୋଇଥାଏ । ଅଧ୍ୟୟନରେ ମନ୍ସ ମାଉଣ୍ଟେନ୍ କ୍ଷେତ୍ରର ୪ ଭିନ୍ନ ଭିନ୍ନ ଅବତରଣ ସ୍ଥଳୀର ଆକଳନ କରାଗଲା । ଏଥିରେ ଏମ୍‌ଏମ୍-୪ ସ୍ଥଳୀକୁ ସବୁଠୁ ସୁରକ୍ଷିତ ମନେ କରାଗଲା ।

ଆହୁରି ପଢ଼ନ୍ତୁ...ଭାରତୀୟ ସ୍ପେସ୍ ଷ୍ଟେସନ୍ କାମ ଆରମ୍ଭ କଲା ଇସ୍ରୋ, ଜାଣନ୍ତୁ କେବେ ସରିବ ?

ଏଠାରେ ହାରାହାରି ସ୍ଲୋପ୍ ପ୍ରାୟ ୫ ଡିଗ୍ରୀର ହୋଇଥିବା ବେଳେ ଲ୍ୟାଣ୍ଡର୍ ୧୦ ଡିଗ୍ରୀ ଯାଏ ସ୍ଲୋପ୍‌ରେ ଅବତରଣ କରିବାରେ ସକ୍ଷମ । ଏଠାରେ ବଡ଼ ପଥର କମ୍ ଏବଂ ଅଧିକାଂଶ ପଥର ୦.୩ ମିଟରରୁ ଛୋଟ । ତେଣୁ ଏଠାରେ ଅବତରଣରେ ବିପଦ କମ୍ । ଏମ୍‌ଏମ୍-୪ ସ୍ଥଳୀରେ ଲଗାତାର ୧୧ରୁ ୧୨ ଦିନ ଯାଏ ସୂର୍ଯ୍ୟାଲୋକ ମିଳିବାର ସମ୍ଭାବନା ଅଛି । ଏହି କ୍ଷେତ୍ରରୁ ପୃଥିବୀ ସହିତ ରେଡିଓ ସଂଯୋଗ ମଧ୍ୟ ଜାରି ରହିବ, ଯାହା ଦ୍ୱାରା ମିଶନ ସମୟରେ କୌଣସି ବଡ଼ ସମସ୍ୟା ଆସିବ ନାହିଁ । ଚନ୍ଦ୍ରଯାନ-୪ ମିଶନର ଖର୍ଚ୍ଚ ୨୧୦୪ କୋଟି, ଯେଉଁଥିରେ ଚନ୍ଦ୍ରର ଚଟାଣ ଓ ମାଟି ନମୁନା ପୃଥିବୀକୁ ଅଣାଯିବ । ମିଶନରେ ୨ ଭିନ୍ନ ଭିନ୍ନ ରକେଟ୍ ପ୍ରୟୋଗ ହେବ । ହେଭି ଲିଫ୍ଟର୍ ଏଲ୍‌ଭିଏମ୍-୩ ଓ ଇସ୍ରୋର ସବୁଠୁ ଭରସାଯୋଗ୍ୟ ପିଏସ୍‌ଏଲ୍‌ଭି ଅଲଗା ଅଲଗା ପେଲୋଡ୍ ନେଇ ଯିବେ ।