ନୂଆଦିଲ୍ଲୀ : ନେପାଳର ବାଲେନ୍ ସରକାର ଭାରତୀୟ ପର୍ଯ୍ୟଟକଙ୍କ ପାଇଁ ଆଉ ଏକ ନୂଆ ନିୟମ ଲାଗୁ କରିଛନ୍ତି। ଭାରତୀୟ ପର୍ଯ୍ୟଟକଙ୍କ ପାଇଁ ନେପାଳ ଭ୍ରମଣ ଅବଧିକୁ ୩୦ ଦିନ ମଧ୍ୟରେ ସୀମିତ ରଖା ଯାଇଛି। ସେମାନଙ୍କୁ ୩୦ ଦିନ ପାଇଁ ଗାଡ଼ିର କଷ୍ଟମ୍ ଶୁଳ୍କ ଦେବାକୁ ପଡ଼ିବ। ୩୦ ଦିନ ପରେ ଶୁଳ୍କ ଦେଲେ ମଧ୍ୟ ନେପାଳରେ ରହିବାକୁ ଅନୁମତି ମିଳିବ ନାହିଁ ଏବଂ ଗାଡ଼ିକୁ ଜବତ କରି ନିଆ ଯିବ। ଭାରତୀୟ ଯାନବାହନର ପ୍ରବେଶ, ରହିବା ଅବଧି ଏବଂ ଯିବା ଆସିବାର ସମସ୍ତ ବିବରଣୀ ଏବେ ଡିଜିଟାଲ୍ ମାଧ୍ୟମରେ ରଖାଯିବ।
ମାଲବାହୀ ଯାନଗୁଡ଼ିକ ପାଇଁ ଅଲଗା ବ୍ୟବସ୍ଥା କରାଯାଇଛି। ଭାରତୀୟ ଟ୍ରକ୍ ଗୁଡ଼ିକୁ ନେପାଳରେ ପ୍ରବେଶ କରିବା ସମୟରେ ନେପାଳୀ ମୁଦ୍ରାରେ ୧୭୦୦ ଟଙ୍କା ଶୁଳ୍କ ଦେବାକୁ ହେବ। ନେପାଳରୁ ମାଲ୍ ଲୋଡ୍ କରି ଦୁଇ ଦିନ ମଧ୍ୟରେ ଭାରତ ଫେରିବାକୁ ପଡ଼ିବ। ସେହିପରି ଭାରତରୁ ମାଲ୍ ନେଇ ନେପାଳ ଆସୁଥିବା ଗାଡ଼ି ଗୁଡ଼ିକୁ ପ୍ରବେଶ ପୂର୍ବରୁ ୧୫୦୦ ନେପାଳୀ ଟଙ୍କା କଷ୍ଟମ୍ ଶୁଳ୍କ ଦେବାକୁ ପଡ଼ିବ। ଏହି ଟ୍ରକ୍ ଗୁଡ଼ିକୁ ୭୨ ଘଣ୍ଟା ମଧ୍ୟରେ ନେପାଳ ଛାଡ଼ିବାକୁ ହେବ। ଯଦି ୭୨ ଘଣ୍ଟାରୁ ଅଧିକ ସମୟ ଭାରତୀୟ ଟ୍ରକ୍ ନେପାଳରେ ରହେ, ତେବେ ସେମାନଙ୍କୁ ୨୫୦୦ ଟଙ୍କା ଜରି ମାନା ଦେବାକୁ ପଡ଼ିବ।
ନେପାଳୀ ବଜାରରେମିଳିବ୧୨ ଘଣ୍ଟା ମାଗଣା ସୁବିଧା
ସୀମାବର୍ତ୍ତୀ ଅଞ୍ଚଳର ଭାରତୀୟ ବାସିନ୍ଦାଙ୍କ ପାଇଁ କାର୍, ଜିପ୍ ଏବଂ ବାଇକ୍ ନେପାଳୀ ବଜାରରେ ୧୨ ଘଣ୍ଟା ପାଇଁ ମାଗଣା ସୁବିଧା ପାଇବେ। କଷ୍ଟମ୍ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁଯାୟୀ, ନେପାଳୀ ଯାନବାହନ ଗୁଡ଼ିକ ପାଇଁ ଭାରତୀୟ ରେଳୱେ ହେଡ୍ ପର୍ଯ୍ୟନ୍ତ ଯିବାର ସୁବିଧା ରହିଛି। ନେପାଳୀ କଷ୍ଟମ୍ କାର୍ଯ୍ୟାଳୟ କହିବା ଅନୁଯାୟୀ, ଅନ୍ଲାଇନ୍ ପ୍ରଣାଳୀ କାର୍ଯ୍ୟକାରୀ ହେବା ପରେ ଏବେ ଭାରତୀୟ ଗାଡ଼ି ଗୁଡ଼ିକର ରହଣି, ପ୍ରବେଶ ସଂଖ୍ୟା ଏବଂ ସମୟ ସୀମା ଉଲ୍ଲଂଘନ ଘଟଣାକୁ ତୁରନ୍ତ ଧରାଯାଇ ପାରିବ।
ବିନା ପରିଚୟ ପତ୍ରରେ ନେପାଳରେ ଏଣ୍ଟ୍ରି ମିଳିବ ନାହିଁ
ଏହା ପୂର୍ବରୁ ବାଲେନ୍ ସରକାର ନେପାଳ ଆସୁଥିବା ଭାରତୀୟ ପର୍ଯ୍ୟଟକଙ୍କ ପାଇଁ ପରିଚୟ ପତ୍ର ବାଧ୍ୟତାମୂଳକ କରି ସାରିଛନ୍ତି। କେବଳ ସେତିକି ନୁହେଁ, ନେପାଳରୁ ଭାରତ ପ୍ରବେଶ କରୁଥିବା ଲୋକଙ୍କୁ ମଧ୍ୟ ପରିଚୟ ପତ୍ର ଦେଖାଇବାକୁ ହେବ। ଆଧାର କିମ୍ବା ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ବୈଧ ପରିଚୟ ପତ୍ର ଗ୍ରହଣଯୋଗ୍ୟ ହେବ। ଏହାକୁ ନେଇ ଶନିବାର ନେପାଳ ପ୍ରଶାସନ ସକ୍ରିୟ ହୋଇଛି। ପରିଚୟ ପତ୍ରର କଡ଼ା ଯାଞ୍ଚ ଯୋଗୁଁ ସୀମାରେ ଯାନବାହନ ଏବଂ ପଥିକମାନଙ୍କର ଲମ୍ବା ଲାଇନ୍ ଲାଗିଥିଲା।
କୋଲକାତାରୁ ଆସୁଥିବା ଟ୍ରେନ୍ ଯୋଗବନୀ ଷ୍ଟେସନରେ ପହଞ୍ଚିବା କ୍ଷଣି ବହୁ ସଂଖ୍ୟାରେ ଯାତ୍ରୀ ନେପାଳ ଯିବା ପାଇଁ ସୀମାରେ ପହଞ୍ଚି ଥିଲେ। ନେପାଳ ପୁଲିସ୍ ଯବାନମାନେ ପରିଚୟ ପତ୍ର ଯାଞ୍ଚ କରିବା ପରେ ହିଁ ଲୋକଙ୍କୁ ନେପାଳ ଭିତରକୁ ଛାଡ଼ୁଥିଲେ। ଯେଉଁମାନଙ୍କ ପାଖରେ ବୈଧ ପରିଚୟ ପତ୍ର ନଥିଲା, ସେମାନଙ୍କୁ ଫେରାଇ ଦିଆଯାଇ ଥିଲା। ନେପାଳର ପ୍ରମୁଖ ଜିଲ୍ଲାପାଳ ଯୁବରାଜ କଟେଲ ସ୍ପଷ୍ଟ କରିଛନ୍ତି ଯେ ସୀମା ପାର ହେବା ପାଇଁ ପରିଚୟ ପତ୍ର ଦେଖାଇବା ଅନିବାର୍ଯ୍ୟ ଅଟେ।