ଅପରେସନ ସିନ୍ଦୂରରେ ଚୀନ, ପାକିସ୍ତାନ ଓ ତୁର୍କୀର ତ୍ରିକୋଣ ରଣନୀତିକୁ  ଭାରତ କିଭଳି ପଣ୍ଡ କରିଥିଲା ତାହାକୁ ବିଶ୍ୱ ଦେଖିଛି । ଭାରତ ଜୁଲାଇ ୧୬  ତାରିଖରେ ଏକ ନୂଆ ଏୟାର ଡିଫେନ୍ସ ସିଷ୍ଟମ ‘ଆକାଶ-ପ୍ରାଇମ’କୁ ଲାଦାଖ  ସେକ୍ଟରରେ ୧୫ହଜାର ଫୁଟ ଉଚ୍ଚତାରେ ସଫଳ ପରୀକ୍ଷଣ କରିଛି । ଆକାଶ- ପ୍ରାଇମ୍‌ ହେଉଛି ଆକାଶ ଅସ୍ତ୍ର ପ୍ରଣାଳୀର ଏକ ନୂତନ ତଥା ଉନ୍ନତ ସଂସ୍କରଣ ।


୧୯୪୭ ମସିହା ଅଗଷ୍ଟ ୧୫ ତାରିଖରେ ସକାଳର  ସୂର୍ଯ୍ୟ ଉଦିତ ହୋଇ ଏକ ସ୍ୱାଧୀନ ଗଣତାନ୍ତ୍ରିକ  ରାଷ୍ଟ୍ରରେ ଆଣିଦେଇଥିଲା ନୂତନ ଆଶା, ଉଦ୍ଦୀପନା ଓ  ଭାବନା । ମାତ୍ର ସ୍ୱାଧୀନତାର ସ୍ୱପ୍ନକୁ ସାକାର କରିବାକୁ ଯାଇ  ଗଢ଼ିଉଠିଥିଲା ଦୁଇଟି ଦେଶ- ହିନ୍ଦୁସ୍ତାନ ଓ ପାକିସ୍ତାନ । ସ୍ୱାଧୀନତା ପ୍ରାପ୍ତିଠାରୁ ଦୁଇ ଦେଶ ମଧ୍ୟରେ ସଂପର୍କ ଉତ୍ତମ  ହୋଇପାରିନାହିଁ । ଫଳରେ ୪ଥର ସଂପୂର୍ଣ୍ଣ ଯୁଦ୍ଧ ଏବଂ  ବହୁସଂଖ୍ୟକ ମିଲିଟାରୀ ଅପରେସନ ଘଟିଯାଇଛି । ଚୀନ  ଦ୍ୱାରା ରଚିତ, ପାକିସ୍ତାନ ଦ୍ୱାରା ପରିଚାଳିତ ଏବଂ ତୁର୍କୀ  ଦ୍ୱାରା ସମର୍ଥିତ ଅଭିଯାନ ବିପକ୍ଷରେ ଭାରତର ସଦ୍ୟତମ  ମିଲିଟାରୀ ଅପରେସନ ଥିଲା ‘ଅପରେସନ ସିନ୍ଦୂର’ ।  

ଭାରତ ବିରୋଧରେ ପାକିସ୍ତାନ ଛାୟାଯୁଦ୍ଧ ଚଳାଇ ଆସିଛି  ଏବଂ ଚୀନ ତାହାକୁ ସମର୍ଥନ କରିବା ସହ ସହଯୋଗର  ହାତ ବଢ଼ାଇ ଅସ୍ତ୍ରଶସ୍ତ୍ର, ଯୁଦ୍ଧ ସରଞ୍ଜାମ, ସାମରିକ ତଥ୍ୟ  ଯୋଗାଇ ଦେଉଥିବା କାରଣରୁ ଆମ ଦେଶର ନିରାପତ୍ତା  ପ୍ରତି ସୃଷ୍ଟି ହୋଇଛି ବିରାଟ ଆହ୍ୱାନ । ଏଭଳି ସ୍ଥିତିରେ  ସେନାବାହିନୀର ଭୂମିକା ଖୁବ୍‌ ଗୁରୁତ୍ୱପୂର୍ଣ୍ଣ । ପଡ଼ୋଶୀ  ଚୀନ ଓ ପାକିସ୍ତାନ ପାରମ୍ପରିକ ଯୁଦ୍ଧାସ୍ତ୍ର ସହ ଆଣବିକ,  ଜୈବିକ ଓ ରାସାୟନିକ ଯୁଦ୍ଧାସ୍ତ୍ର ବ୍ୟବହାରରେ ସକ୍ଷମ ।  ତେଣୁ ସମ୍ଭାବ୍ୟ ଆକ୍ରମଣର ମୁକାବିଲା ତଥା ରାଷ୍ଟ୍ରର  ନିରାପତ୍ତା ପାଇଁ ଆମ ଦେଶର ସାମରିକ ଶକ୍ତିର ମାନ  ବୃଦ୍ଧିହେବା ଏକାନ୍ତ ଆବଶ୍ୟକ ।

ସଂକଟ ସବୁବେଳେ ସୁଯୋଗର ମାର୍ଗ ଖୋଲିଦିଏ ।  ୧୯୯୮ ମସିହାରେ ଭାରତର ପରମାଣୁ ପରୀକ୍ଷଣ  (ପୋଖରାନ-୨) ପରେ ଆମେରିକା ଏବଂ ଏହାର  ଅନୁଗତ ରାଷ୍ଟ୍ରଗୁଡ଼ିକ ଭାରତ ବିରୋଧରେ ବହୁ କଟକଣା  ଜାରି କରିଥିଲେ । ଏହି କଟକଣା ହିଁ ସୂଚନା ପ୍ରଯୁକ୍ତି କ୍ଷେତ୍ର, ମହାକାଶ, ଶକ୍ତି ତଥା ପ୍ରତିରକ୍ଷା କ୍ଷେତ୍ରରେ  ଭାରତକୁ ଆତ୍ମନିର୍ଭର ହେବାର ସୁଯୋଗ ସୃଷ୍ଟି କରିଥିଲା ।  ୨୦୧୪ ମସିହା ପରଠାରୁ ପ୍ରଧାନମନ୍ତ୍ରୀ ମୋଦି ପ୍ରତିରକ୍ଷା  କ୍ଷେତ୍ରରେ ଭାରତକୁ ଆତ୍ମନିର୍ଭର ହେବାକୁ ଅଭିଯାନ  ଜାରି ରଖିଛନ୍ତି । ବର୍ତ୍ତମାନର ସରକାର ଘରୋଇ ଉତ୍ପାଦ ମାଧ୍ୟମରେ ବଜାରକୁ ସଶକ୍ତ ପ୍ରୟାସ ଜାରି ରଖିଥିବାରୁ  ବିଦେଶ ଶକ୍ତିର ଧମକ ସତ୍ତେ୍ୱ ଭାରତ ଦେଶର ସ୍ୱାର୍ଥ ପାଇଁ  କଠୋର ପଦକ୍ଷେପ ନେବାକୁ ସଦାସର୍ବଦା ପ୍ରସ୍ତୁତ । 

ପ୍ରତିରକ୍ଷା ବିଶେଷଜ୍ଞଙ୍କ ଅନୁସାରେ, ଆଜିର ଯୁଦ୍ଧ  ଅଧିକରୁ ଅଧିକ ଉପଗ୍ରହ ସୂଚନା ଆଧାରିତ କମ୍ପୁଟର  ଜ୍ଞାନକୌଶଳ ଉପରେ ନିର୍ଭରଶୀଳ । ଯଦି ଶତ୍ରୁପକ୍ଷ  ଜିପିଏସ୍‌ ଇଣ୍ଟରଫେସ୍‌ ଉପରେ ଆକ୍ରମଣ କରେ,  ତେବେ ମିଜାଇଲ୍ସଗୁଡ଼ିକର ଲକ୍ଷ୍ୟ ଭ୍ରଷ୍ଟ ହେବ ଏବଂ  ଶତ୍ରୁ ଦେଶ ବଦଳରେ ନିଜ ଦେଶର ଭୂମି ଉପରେ  ହିଁ ସୃଷ୍ଟି କରିବ ଧ୍ୱଂସର ତାଣ୍ଡବ । ଏହାକୁ ଦୃଷ୍ଟିରଖି  ଭାରତୀୟ ସେନାବାହିନୀର ନୂତନ ସୃଷ୍ଟି ଶକ୍ତିବାନ  ଆଟିଲାରୀ ରେଜିମେଣ୍ଟରେ ଡ୍ରୋନ, କାଉଣ୍ଟର ଡ୍ରୋନ ଏବଂ  ଲୋଏଟର ଏମ୍ୟୁନିସନରେ ସଜ୍ଜିତ ହେବା ସହ କମ୍ପୁଟର  ଜ୍ଞାନକୌଶଳ ଉପରେ ଅଧିକ ପ୍ରଶିକ୍ଷଣ ଦିଆଯିବ ।  

ଏଥିସହ ଇନଫାଣ୍ଟ୍ରି ବଟାଲିଅନ ନୂତନ ଭୈରବ ଲାଇଟ୍‌  କମାଣ୍ଡୋ ୟୁନିଟରେ ସଜ୍ଜିତ ହୋଇ ଶତ୍ରୁର ମୁକାବିଲା  ପାଇଁ ସଦାସର୍ବଦା ରହିବ ପ୍ରସ୍ତୁତ । ନୂତନ ଭାବେ ଗଠନ  ହେବାକୁ ଯାଉଥିବା ‘ରୁଦ୍ର ବ୍ରିଗେଡ’ରେ ଇନଫାଣ୍ଟ୍ରି,  ଆଟିଲାରୀ, ଟ୍ୟାଙ୍କ, ଏଆର ଡିଫେନ୍ସ ୟୁନିଟ ରହିବା ସହ  ସ୍ୱଦେଶରେ ନିର୍ମିତ ଆକାଶ ମଜାଇଲ୍ସ ଓ ଡ୍ରୋନରେ ହେବ  ସଜ୍ଜିତ । ପ୍ରତିରକ୍ଷା ବ୍ୟବସ୍ଥାରେ ବ୍ୟବହୃତ କମ୍ପୁଟର,  ଡ୍ରୋନ, ରେଡିଓ ଇକ୍ୱିପମେଣ୍ଟରେ ସୁରକ୍ଷା ଦୃଷ୍ଟିରୁ ଚୀନ  ନିର୍ମିତ ସାମଗ୍ରୀ ବ୍ୟବହାର ନକରିବାକୁ ପ୍ରଚେଷ୍ଟା ଜାରି  ରହିଛି । ୨୬ ଜୁଲାଇ କାରଗିଲ ବିଜୟ ଦିବସ ପାଳନ  ଅବସରରେ ସ୍ଥଳସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର  ଦ୍ୱିବେଦୀ ଏହା ଘୋଷଣା କରିଛନ୍ତି । 

୨୦୨୫ ଜୁନ ୨୨ ତାରିଖରେ ଆମେରିକା ୧୪  ସଂଖ୍ୟକ ବଙ୍କରବଷ୍ଟର ବୋମା  ତାର ବି-୨ ବମ୍ବର ଏୟାରକ୍ରାଫ୍ଟରୁ  ଇରାନର ପରମାଣୁ କେନ୍ଦ୍ର ଉପରେ  ନିକ୍ଷେପ କରି ଧ୍ୱଂସ ସାଧନ  କରିଥିଲା । ଭାରତ ଏହି ଧରଣର  ବୋମା ବିକଶିତ କରିବାକୁ ଉଦ୍ୟମ  ଆରମ୍ଭ କରିଛି । ମାତ୍ର ଭାରତ ଏଭଳି  ବୋମାକୁ ବିମାନ ଦ୍ୱାରା ନୁହେଁ, ବରଂ  ମିଜାଇଲ୍ସ ଦ୍ୱାରା ଏହାକୁ ନିକ୍ଷେପ  କରିବ ଏବଂ ପାହାଡ଼ ଭିତରେ  ଅଥବା ଭୂଗର୍ଭର ୧୦୦ ମିଟର ତଳେ  ରହିଥିବା ଶତ୍ରୁର କୌଣସି ଠିକଣାକୁ  ଟାର୍ଗେଟ କରି ଧ୍ୱଂସ କରିପାରିବାରେ  ସମର୍ଥ ହେବାକୁ ରଖିଛି ଲକ୍ଷ୍ୟ । ଲକ୍ଷ୍ୟ ସାଧନ ପାଇଁ  ଡିଆରଡିଓ ସଂସ୍ଥା ଉନ୍ନତ ଧରଣର ଅଗ୍ନି-୫ ମିଜାଇଲ୍ସର  ଦୁଇଟି ନୂତନ ସଂସ୍କରଣ ବିକଶିତ କରୁଛି । ଗୋଟିଏ  ଆକାଶ ମାର୍ଗରୁ ଟାର୍ଗେଟ ଧ୍ୱଂସ ଲାଗି ଉଦ୍ଦିଷ୍ଟ ଏବଂ ଅନ୍ୟଟି  ୮ ଟନ୍‌ ଓଜନର ଯୁଦ୍ଧାସ୍ତ୍ର ବହନ କରିବାର କ୍ଷମତା ରଖିବ,  ଯାହାକି ବିଶ୍ୱସ୍ତରରେ ସବୁଠାରୁ ଶକ୍ତିଶାଳୀ ଯୁଦ୍ଧାସ୍ତ୍ର ମଧ୍ୟରେ  ପରିଗଣିତ ହେବ ବୋଲି ଆଶା କରାଯାଏ । 

୨୦୨୫ ଜୁନ ୭ ତାରିଖରେ ପାକିସ୍ତାନ ବିପକ୍ଷରେ  ଆରମ୍ଭ ହୋଇଥିବା ‘ଅପରେସନ ସିନ୍ଦୂର’ରେ ବ୍ରହ୍ମୋସ  ମିଜାଇଲ ନିୟୋଜନ କରାଯାଇ ପାକିସ୍ତାନର ଆତଙ୍କବାଦୀ  ଶିବିରରେ ରଚିଥିଲା ଧ୍ୱଂସର ତାଣ୍ଡବ । ବ୍ରହ୍ମୋସ ମିଜାଇଲ  ବିଶ୍ୱର ସର୍ବୋତ୍ତମ କ୍ରୁଜ ମିଜାଇଲ । ଏହାର ଗତି ଶବ୍ଦ ତରଙ୍ଗ ଗତିଠାରୁ ୨.୮ ଗୁଣ ଅଧିକ । ବ୍ରହ୍ମୋସ-୨  ମିଜାଇଲ ନିର୍ମାଣ ଦିଗରେ ଭାରତ ଓ ରୁଷିଆ ମଧ୍ୟରେ  ପ୍ରଚେଷ୍ଟା ଜାରି ରହିଛି, ଯାହାକି ୟୁ.ପି.ର ଡିଫେନ୍ସ  କରିଡରରେ ଥିବା ଫାକ୍ଟରୀରେ ନିର୍ମିତ ହେବାର ଆଶା  କରାଯାଏ । ବ୍ରହ୍ମୋସ କ୍ଷେପଣାସ୍ତ୍ରରେ ଆମ ସେନାର ଆଉ  ଅଧିକ ସଂଖ୍ୟକ ରେଜିମେଣ୍ଟ ସଜ୍ଜିତ ହେଲେ ଭାରତୀୟ  ସେନାବାହିନୀର ଫାୟାର ପାୱାର ବୃଦ୍ଧିପାଇବ, ଏଥିରେ  ସନ୍ଦେହ ନାହିଁ । 

‘ଅପରେସନ ସିନ୍ଦୂର’ରେ ରୁଷିଆ ନିର୍ମିତ ଏସ୍‌-୪୦୦ ଏୟାର ଡିଫେନ୍ସ ସିଷ୍ଟମ ତାର କ୍ଷମତା ପ୍ରତିପାଦିତ  କରିସାରିଛି । ଏକକାଳୀନ ୩୬ ସଂଖ୍ୟକ ଶତ୍ରୁପକ୍ଷ  ଟାର୍ଗେଟକୁ ଚିହ୍ନଟ କରିବା ସହ ଲକ୍ଷ୍ୟ ଭେଦ କରିବାରେ  ସକ୍ଷମ । ମାତ୍ର ଚିନ୍ତାର ବିଷୟ ହେଉଛି, ପାକିସ୍ତାନର ସବୁ ପାଗର ବନ୍ଧୁ ଚୀନ ପାଖରେ ମଧ୍ୟ ୬ ସଂଖ୍ୟକ ଏସ୍‌-୪୦୦ ବାୟୁ ପ୍ରତିରକ୍ଷା ପ୍ରଣାଳୀ ରହିଛି, ଯାହାକୁ ଭବିଷ୍ୟତ  ଲଢ଼ାଇରେ ଚୀନ ଭାରତ ବିପକ୍ଷରେ ଛଦ୍ମଯୁଦ୍ଧକୁ ଓହ୍ଲାଇ  ପ୍ରୟୋଗ କରିବ, ଏଥିରେ ସନ୍ଦେହ ନାହିଁ । ତେଣୁ ଚୀନର  ପ୍ରତିରକ୍ଷା ପ୍ରଣାଳୀକୁ ଭେଦ କରିବାର କ୍ଷମତା ଥିବା  କ୍ଷେପଣାସ୍ତ୍ର ଭାରତକୁ ବିକଶିତ  କରିବାକୁ ପଡ଼ିବ । ଏହାକୁ ଲକ୍ଷ୍ୟ  ରଖି ଆମ ଡିଆରଡିଓ ସଂସ୍ଥା ନିଜସ୍ୱ  ଜ୍ଞାନକୌଶଳରେ ଦୂରଗାମୀ ଲ୍ୟାଣ୍ଡ  ଆଟାକ୍‌ କ୍ରୁଜ ମିଜାଇଲ୍ସ ବିକଶିତ  କରୁଛି । 

ଯୁଦ୍ଧରେ ଡ୍ରୋନର ବ୍ୟବହାର  ଯୁଗାନ୍ତକାରୀ ଏବଂ ଏହାର ମୁତୟନ  ପରିସର ବଢ଼ିବା ପରେ ସେନା  ଏହାକୁ ବ୍ୟାପକ ଭାବେ ବ୍ୟବହାର କରିଛି । ବୈଶ୍ୱିକ ସ୍ତରରେ  ନିକଟରେ ହୋଇଥିବା ସଂଘର୍ଷରୁ  ଡ୍ରୋନ କିଭଳି ସାମରିକ ସନ୍ତୁଳନକୁ  ବଦଳାଇ ଦେଇପାରେ ତାହା ସ୍ପଷ୍ଟ ହୋଇଛି । ଅପରେସନ  ସିନ୍ଦୂର ଆମକୁ ଆମ ପାଇଁ ସ୍ୱଦେଶୀ କାଉଣ୍ଟର ଅନମେନ୍‌ଡ  ଏରିଆରେ ସିଷ୍ଟମ ଅର୍ଥାତ୍‌ ଏଣ୍ଡିଡ୍ରୋନ ସିଷ୍ଟମ କାହିଁକି ଜରୁରି ତାହା ଦେଖାଇ ଦେଇଥିଲା । ଭାରତର ପୂର୍ବ ଓ  ପଶ୍ଚିମ ସୀମାରେ ଦୃଷ୍ଟି ରଖିବାକୁ ସର୍ଭାଇଲାନ୍ସ ଡ୍ରୋନର  ଆବଶ୍ୟକତା ରହିଥିବାର ଉପଲବ୍‌ଧି କରାଯାଏ । ମିଡିଆମ  ଅଲଟିଚ୍ୟୁଟ ଲଙ୍ଗ୍‌ ଏଣ୍ଡୁରାନ୍ସ (ଏମ୍‌.ଏ.ଏଲ.ଇ.)  ଶ୍ରେଣୀୟ ଡ୍ରୋନ ଏଥିପାଇଁ ବେଶ୍‌ ଉପଯୁକ୍ତ, କାରଣ ଏଥିରେ ଏଡଭାନ୍ସଡ ସର୍ଭାଇଲେନ୍ସ ଏବଂ କମ୍ବାଟ୍‌  ସାମର୍ଥ୍ୟ ରହିଛି । ଏହି ଡ୍ରୋନରେ- ଇଣ୍ଟେଲିଜେନ୍ସ,  ସର୍ଭାଇଲାନ୍ସ ଏବଂ ରିକୋନସେନ୍ସ ଇକ୍ୱିପମେଣ୍ଟ ଖଚିତ  କରାଯାଇପାରିବ । ବିଦେଶରୁ ଏହି ଡ୍ରୋନ ଆହରଣ  କରାନଯାଇ ସ୍ୱଦେଶରେ ନିର୍ମାଣ କରିବାକୁ ୨୦ହଜାର  କୋଟି ଟଙ୍କା ବିନିଯୋଗ କରାଯିବାକୁ ପ୍ରତିରକ୍ଷା ମନ୍ତ୍ରାଳୟ  ଏକପ୍ରକାର ସ୍ଥିର କରିଥିବାର ସୂଚନା ମିଳେ । 

ଅପରେସନ ସିନ୍ଦୂରରେ ଚୀନ, ପାକିସ୍ତାନ ଓ ତୁର୍କୀର  ତ୍ରିକୋଣ ରଣନୀତିକୁ ଭାରତ କିଭଳି ପଣ୍ଡ କରିଥିଲା  ତାହାକୁ ବିଶ୍ୱ ଦେଖିଛି । ଭାରତ ଜୁଲାଇ ୧୬ ତାରିଖରେ  ଏକ ନୂଆ ଏୟାର ଡିଫେନ୍ସ ସିଷ୍ଟମ ‘ଆକାଶ-ପ୍ରାଇମ’କୁ  ଲାଦାଖ ସେକ୍ଟରରେ ୧୫ହଜାର ଫୁଟ ଉଚ୍ଚତାରେ ସଫଳ ପରୀକ୍ଷଣ କରିଛି । ଆକାଶ-ପ୍ରାଇମ୍‌ ହେଉଛି ଆକାଶ  ଅସ୍ତ୍ର ପ୍ରଣାଳୀର ଏକ ନୂତନ ତଥା ଉନ୍ନତ ସଂସ୍କରଣ ।  ଏହି ସିଷ୍ଟମର ପ୍ରତ୍ୟେକ ଲଞ୍ଚରରେ ତିନିଟି କ୍ଷେପଣାସ୍ତ୍ର  ଅଛି, ଯାହା ଫାୟାର ଏଣ୍ଡ ଫରଗେଟ୍‌ ମୋଡ୍‌ରେ କାର୍ଯ୍ୟ  କରିଥାଏ । ଆକାଶ-ପ୍ରାଇମ୍‌ ସିଷ୍ଟମ ଦ୍ୱାରା ଭାରତୀୟ ସେନାରେ ଆକାଶ ଏୟାର ଡିଫେନ୍ସ ସିଷ୍ଟମର ୩ୟ ଓ ୪ର୍ଥ  ରେଜିମେଣ୍ଟ ଗଠନ କରାଯିବ । ଭାରତ ମହାସାଗର ଅଞ୍ଚଳରେ ଚୀନର ପ୍ରତିପତ୍ତି  ବଢ଼ିବାରେ ଲାଗିଛି । ପାକିସ୍ତାନକୁ ଚୀନ ବିଭିନ୍ନ ଯୁଦ୍ଧପୋତ  ଯୋଗାଇବାରେ ତତ୍ପର । ଏହାକୁ ଦୃଷ୍ଟିରଖି ଭାରତୀୟ  ନୌବାହିନୀ ବିଭିନ୍ନ ପ୍ରକାର ଯୁଦ୍ଧପୋତ, ଏୟାରକ୍ରାଫ୍ଟ  କେରିଅର, ଡେଷ୍ଟ୍ରୟର, ଫ୍ରିଗେଟ୍‌ସ, ସବ୍‌ମେରାଇନର  ନିର୍ମାଣ ତଥା ଆହରଣ ପାଇଁ ପ୍ରଚେଷ୍ଟା ଜାରି ରଖିଛି ।  

ପାକିସ୍ତାନରେ ସେନା ହିଁ ସର୍ବେସର୍ବା, ମାତ୍ର ଅପରେସନ  ସିନ୍ଦୂର ଦେଇଥିବା ଶକ୍ତ ପ୍ରହାରକୁ ଭୁଲି ପାରୁନାହାଁନ୍ତି ପାକ୍‌  ସେନାମୁଖ୍ୟ ଜେନେରାଲ ମୁନୀର । ହ୍ୱାଇଟ୍‌ ହାଉସ୍‌ରେ  ଟ୍ରମ୍ପ ସହ ମଧ୍ୟାହ୍ନଭୋଜନ ପରେ ପାଇଛନ୍ତି ନୂତନ ଶକ୍ତି,  ଅକୁଣ୍ଠ ସମର୍ଥନ । ତେଣୁ ଭାରତ ବିରୋଧୀ ଅଭିଯାନକୁ  କିଭଳି ଶକ୍ତିଶାଳୀ କରିହେବ, ସେଥିପାଇଁ ଭାରତର  ପଡ଼ୋଶୀ ଚୀନ ଓ ବାଂଲାଦେଶ ସହ ଅଧିକ ନିକଟତର  ହୋଇ ଭାରତକୁ ଚାରିପଟୁ ଘେରିବାକୁ ରଖିଛନ୍ତି ଲକ୍ଷ୍ୟ ।  

ଭାରତୀୟ ବାୟୁସେନାରେ ୧୯୬୩ ମସିହାରୁ ଦୀର୍ଘ  ୬୨ବର୍ଷ ସେବା ପ୍ରଦାନ କରିଥିବା ମିଗ୍‌-୨୧ ଲଢ଼ୁଆ  ବିମାନକୁ ସେପ୍ଟେମ୍ବର ୧୯ରେ ଅବସର ଦିଆଯିବ ।  ଏହାର ପ୍ରସ୍ଥାନ ପରେ ବାୟୁସେନାରେ ଅନୁମୋଦିତ  ଲଢ଼ୁଆ ସ୍କ୍ୱାର୍ଡନ ସଂଖ୍ୟା ୪୨ରୁ ହ୍ରାସପାଇ ୨୯ରେ  ପହଞ୍ଚିବ । ଏଚଏଏଲ୍‌ ତେଜସ୍‌-ମାର୍କ-୨ କମ୍ବାଟ  ବିମାନ ପାଇଁ ଆମେରିକାର ଜି.ଇ. କମ୍ପାନୀ ସହ ଏଫ୍‌୪୧୪ ଜେଟ୍‌ ଇଞ୍ଜିନ ଆହରଣ ପାଇଁ ଚୁକ୍ତି ହୋଇଥିଲା । 

 ଭାରତରେ ଏଚ.ଏ.ଏଲ. ସହ ମିଳିତ ଉଦ୍ୟମରେ ୯୯  ସଂଖ୍ୟକ ବିମାନ ନିର୍ମାଣ ଭାରତରେ ହିଁ କରାଯିବାର ଚୁକ୍ତି  ପାଳନରେ ଜି.ଇ. କମ୍ପାନୀ ଅତ୍ୟଧିକ ବିଳମ୍ବ ଘଟାଇବା  କାରଣରୁ ଜେସ୍‌-ମାର୍କ-୨ ନିର୍ମାଣ କାର୍ଯ୍ୟର ଗତି ହୋଇଛି  ମନ୍ତର । ଏଫ୍‌-୩୫ ଷ୍ଟିଲ୍‌ଥ ଜେଟ୍‌ କମ୍ବାଟ ଏୟାରକ୍ରାଫ୍ଟ  ଆମେରିକାର ୫ମ ପିଢ଼ି କମ୍ବାଟ୍‌ ଏୟାରକ୍ରାଫ୍ଟ । ୨୦୨୫  ଫେବ୍ରୁଆରୀରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ହ୍ୱାଇଟ୍‌ ହାଉସ୍‌ ଗସ୍ତକାଳରେ ରାଷ୍ଟ୍ରପତି ଟ୍ରମ୍ପ ଭାରତକୁ ଫାଇଟର  ଜେଟ୍‌ ଏଫ୍‌-୩୫ ବିକ୍ରି କରିବାକୁ ପ୍ରସ୍ତାବ ଦେଇଥିଲେ । ମୋଦି ସରକାର ଟେକନୋଲୋଜି ଟ୍ରାନ୍ସଫର ଏବଂ ଆମ  ଦେଶରେ ନିର୍ମାଣ ସର୍ତ୍ତ ଉପରେ ଚୁକ୍ତି ଚାହୁଁଥିବାରୁ  ଭାରତର ସର୍ତ୍ତ ମାନିନେବାକୁ ପ୍ରସ୍ତୁତ ନଥିବା ଆମେରିକା  କମ୍ବାଟ୍‌ ଏୟାରକ୍ରାଫ୍ଟ ଯୋଗାଇ ଦେବନାହିଁ ବୋଲି ସୂଚନା  ମିଳେ । ଏବେ ଭାରତୀୟ ଉତ୍ପାଦ ସାମଗ୍ରୀ ଉପରେ  ରାଷ୍ଟ୍ରପତି ଟ୍ରମ୍ପଙ୍କ ଅବାସ୍ତବ ଶୁଳ୍କ ବୃଦ୍ଧି ନିଷ୍ପତ୍ତିକୁ ଭାରତ  ଗ୍ରହଣ କରିବାକୁ ପ୍ରସ୍ତୁତ ନୁହେଁ । ଆମେରିକା ସହ ଚୁକ୍ତି  କରାଯାଇଥିବା ଯୁଦ୍ଧାସ୍ତ୍ର ଆହରଣର ଭବିଷ୍ୟତ ଉପରେ  ଏବେ ଦେଖାଦେଇଛି ଅନିଶ୍ଚିତତା । 

“ପ୍ରତିରକ୍ଷା କ୍ଷେତ୍ରରେ ଆମର ସଫଳ ପ୍ରସ୍ତୁତି  ଦେଶର ଶକ୍ତି ଓ ଅଖଣ୍ଡତାକୁ ବଜାୟ ରଖିପାରିବ ।  ସାମରିକ ଶକ୍ତି ହିଁ ଯୁଦ୍ଧ ପ୍ରତିହତ କରିବାର ପ୍ରମୁଖ ଅସ୍ତ୍ର”  ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଦେଶର  ଅର୍ଥନୀତିର ଉନ୍ନତି ହେବା ସହ ପ୍ରତିରକ୍ଷା ବାହିନୀ  ସୁଦୃଢ଼ ହେବା ଅତି ଜରୁରି । ସ୍ୱାଧୀନ ଗଣତାନ୍ତ୍ରିକ ରାଷ୍ଟ୍ର  ଭାରତବର୍ଷର ସାର୍ବେଭୌମତ୍ୱ ରକ୍ଷା ସହ ଆମ ନିରାପତ୍ତା  ପାଇଁ ସାମରିକ ଶକ୍ତିକୁ ଅଧିକ ଶକ୍ତିଶାଳୀ କରିବା ଉଚିତ ।  ତେବେ ଯାଇ ଭାରତ ଏକ ଶକ୍ତିଶାଳୀ ରାଷ୍ଟ୍ର ଭାବେ  ପରିଗଣିତ ହେବ ସମଗ୍ର ବିଶ୍ୱରେ ।