ନୂଆଦିଲ୍ଲୀ, ୧୧/୧୨ : ଇଣ୍ଡିଗୋର ବଡ଼ ଘୋଷଣା। ପ୍ରଭାବିତ ଯାତ୍ରୀଙ୍କୁ ମିଳିବ ୫ ହଜାର ରୁ ୧୦ ହଜାର ଟଙ୍କାର କ୍ଷତିପୂରଣ। ସେହିପରି ଅଧିକ କ୍ଷତିଗ୍ରସ୍ତ ହୋଇଥିବା ଯାତ୍ରୀଙ୍କୁ ମିଳିବ ୧୦ ହଜାର ଟଙ୍କାର ଟ୍ରାଭେଲ ଭାଉଚର୍।
ଇଣ୍ଡିଗୋର ଫ୍ଲାଇଟ୍ କ୍ୟାନସଲ୍ ପାଇଁ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଡିସେମ୍ବର ପ୍ରଥମ ସପ୍ତାହରେ ସବୁଠୁ ଅଧିକ ବିମାନ ସେବା ପ୍ରଭାବିତ ହୋଇଛି। ଏହି ସମୟ ମଧ୍ୟରେ ଶତାଧିକ ଫ୍ଲାଇଟ୍ କ୍ୟାନସଲ୍ ହୋଇଛି। ଏହାଦ୍ଵାରା ଯାତ୍ରୀମାନେ ପ୍ରବଳ କ୍ଷତି ସହିଛନ୍ତି। ପ୍ରବଳ ବିରୋଧ ଓ ଅସନ୍ତୋଷ ପରେ ଡିଜିସିଏ ଏୟାରଲାଇନ୍ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛି। ଏବେ ଇଣ୍ଡିଗୋ ୩,୪, ଓ ୫ ଡିସେମ୍ଵରରେ ଉଡାଣ ରଦ୍ଦ କାରଣରୁ ପ୍ରଭାବିତ ଯାତ୍ରୀମାନଙ୍କୁ ୫ ହଜାର ଟଙ୍କାରୁ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ କ୍ଷତିପୂରଣ ଦେବ। ଏହା ସହ ଏୟାରଲାଇନ୍ ସବୁଠୁ ଅଧିକ ପ୍ରଭାବିତ ହୋଇଥିବା ଯାତ୍ରୀଙ୍କୁ ୧୦ ହଜାର ଟଙ୍କାର ଅତିରିକ୍ତ ଟ୍ରାଭେଲ୍ ଭାଉଚର୍ ମିଳିବ। ଏହାଦ୍ଵାରା କ୍ଷତିଗ୍ରସ୍ତ ଯାତ୍ରୀଙ୍କୁ ଆଶ୍ଵସ୍ତି ମିଳିବ। ଯାତ୍ରୀମାନେ ଏହି ଟ୍ରାଭେଲ୍ ଭାଉଚରକୁ ଆସନ୍ତା ୧୨ ମାସ ମଧ୍ୟରେ ବ୍ୟବହାର କରିପାରିବେ। ଭାରତରେ ଇଣ୍ଡିଗୋର ଯେକୌଣସି ଘରୋଇ ଉଡ଼ାଣ କିମ୍ଵା ଅନ୍ତରାଷ୍ଟ୍ରୀୟ ରୁଟ୍ ପାଇଁ ଭାଉଚର୍କୁ ବ୍ୟବହାର କରିପାରିବେ।
କମ୍ପାନୀର କହିବା ଅନୁଯାୟୀ, ଡିଜିସିଏ ଦ୍ଵାରା ନିର୍ଦ୍ଧାରିତ ନିର୍ଦ୍ଦେଶନାମା ଅନୁଯାୟୀ ଏହି କ୍ଷତିପୂରଣ ପ୍ରଦାନ କରାଯିବ। ଯେଉଁ ଯାତ୍ରୀଙ୍କର ଉଡ଼ାଣ ଏୟାରଲାଇନ୍ କାରଣରୁ ରଦ୍ଦ ହୋଇଛି, ସେମାନେ କ୍ଷତିପୂରଣ ପାଇବାକୁ ହକଦାର୍। ଏହି କ୍ଷତିପୂରଣ ରାଶି ଫ୍ଲାଇଟ୍ ଦୂରତ୍ଵ, ଟିକେଟ୍ କ୍ଲାସ୍, ଏବଂ ଯାତ୍ରୀଙ୍କୁ ହୋଇଥିବା ଅସୁବିଧା ଆଧାରରେ ଦିଆଯିବ।
ଅଧିକ ପଢନ୍ତୁ- ଇଣ୍ଡିଗୋ ସଙ୍କଟ ଭିତରେ ଡିଜିସିଏର କଡା ନିୟମ, ୧୫ ମିନିଟ୍ ବିଳମ୍ବ ହେଲେ କରାଯିବ ବାଧ୍ୟତାମୂଳକ ଯାଞ୍ଚ