ଭବାନୀପାଟଣା,୨୧/୦୩:  ଆଧୁନିକତାର ସ୍ପର୍ଶରେ ପ୍ରକୃତିର ରୂପ ବଦଳିବାରେ ଲାଗିଛି । ବିଭିନ୍ନ କାରଣକୁ ନେଇ ପରିବେଶ ଦୂଷିତ ହେବା ସହ ନିଆଁର ଆଁରେ ଜଳିଯାଉଛି ହେକ୍ଟର ହେକ୍ଟର ଜଙ୍ଗଲ । ଉଜୁଡ଼ି ଯାଉଛି ଜଙ୍ଗଲରେ ଥିବା ବନ୍ୟପ୍ରାଣୀ, ଜୀବଜନ୍ତୁ ଓ ପଶୁପକ୍ଷୀଙ୍କ ବସା । ଲୋପ ପାଉଛି ଅନେକ ପ୍ରଜାତି ଗୁଲ୍ମ, ବନଜାତ ଦ୍ରବ୍ୟ । ମନୁଷ୍ୟ ସମାଜ ଏଥିରୁ ବାଦ୍‌ ପଡ଼ିନାହାନ୍ତି । ପରିବେଶ ହାନି ଯୋଗୁଁ ବାରମ୍ବାର ପ୍ରାକୃତିକ ବିପର୍ଯ୍ୟାୟର ସମ୍ମୁଖୀନ ହେଉଛି । ଏହାଦ୍ୱାରା ବହୁ କ୍ଷୟକ୍ଷତି ଘଟୁଛି । ଧୀରେଧୀରେ ଜୈବ ବିବିଧତା ନଷ୍ଟହେବାରେ ଲାଗିଛି । 

ପ୍ରାକୃତିକ ବିପର୍ଯ୍ୟୟ ସହ ମନୁଷ୍ୟକୃତରେ ବଡ଼ବଡ଼ ଗଛ ଧରାଶାୟୀ ହୋଇଯାଉଛି । କଳାହାଣ୍ଡି ପାଇଁ ବରଦାନ ସାଜିଥିବା ଇନ୍ଦ୍ରାବତୀ ଚତୁଃପାଶ୍ୱର୍ରେ ଥିବା ପାହାଡ଼ ପର୍ବତରେ ୫୭୦ ପ୍ରକାର ଉଦ୍ଭିଦ ଚିହ୍ନଟ ହୋଇଛି । ତନ୍ମଧ୍ୟରୁ ଅନେକ ଔଷଧୀୟ ଗୁଣସମ୍ପନ୍ନ ଉଦ୍ଭିଦ ଓ ଗୁଲ୍ମ ରହିଥିବାବେଳେ ୮ଟି ବିରଳ ଉଦ୍ଭିଦ ରହିଛି । ସେଗୁଡ଼ିକର ସଂରକ୍ଷଣ ଅଭାବରୁ ଲୋପ ପାଇବାକୁ ବସିଛି ବୋଲି ପରିବେଶବିତ ଚିନ୍ତାପ୍ରକଟ କରୁଛନ୍ତି ।  ଦୁର୍ଲଭ ଔଷଧୀୟ ବୃକ୍ଷରାଜି ସାଙ୍ଗକୁ ବନଜାତ ଦ୍ରବ୍ୟ ଲାଗି କଳାହାଣ୍ଡି ମାଟି ଦେଶବିଦେଶରେ ପ୍ରସିଦ୍ଧି ଲାଭ କରିଛି । ହେଲେ ମଣିଷର ଅହେତୁକ ସମ୍ପ୍ରସାରଣ ମନୋବୃତ୍ତି ଯୋଗୁଁ ଆଜି ଏଠି ପ୍ରକୃତି ନିଜର ଅସ୍ତିତ୍ୱ ବଞ୍ଚାଇବାକୁ ସଂଘର୍ଷ କରୁଛି । ଖଣି ଶିଳ୍ପର ବିକାଶ ମଧ୍ୟ ଆଉ ଏକ ଆହ୍ୱାନ ସୃଷ୍ଟି କରୁଛି । ଏସବୁ ବାଦ୍‌ଦେଲେ ସାମାନ୍ୟ କାଠ ଓ କୋଇଲା ବିପଦ କରୁଛି । କେନ୍ଦୁପତ୍ର ଏବଂ ମହୁଲ ସଂଗ୍ରହ ପାଇଁ ଜଙ୍ଗଲରେ ନିଆଁ ଲଗାଇ ଦିଆଯାଉଛି । ଫଳରେ ଏକଦା ପ୍ରଚୁର ପରିମାଣରେ ମିଳୁଥିବା ଚାର, କେନ୍ଦୁ, ଛତୁ ଓ କରଡ଼ି ଭଳି ଲଘୁ ବନଜାତ ଦ୍ରବ୍ୟ ଏବେ ଦୁର୍ଲଭ ।

 ଜିଲ୍ଲାର ଉତ୍ତର ଓ ଦକ୍ଷିଣ ବନଖଣ୍ଡ ଅଧୀନରେ ଥିବା କର୍ଲାପାଟ, ଭର୍ଲୀଦାନୀ, ସିଝାରୀ, କେଗାଁ, ଡୁରାପାହାଡ଼ ଓ ଗରିଆଘନି, ମଦନପୁର ରାମପୁର ଉର୍ଲଦାନୀ, ଯୁଗସାଇପାଟଣା ଭଳି ବିସ୍ତୀର୍ଣ୍ଣ ଘଞ୍ଚ ଜଙ୍ଗଲରେ ଏକଦା ହରିଡ଼ା, ବାହାଡ଼ା, ଅଁଳା ଓ କଣ୍ଠେଇ କୋଳି ଭଳି ଫଳ ଭରି ରହିଥିଲା । ଏହା ସ୍ଥାନୀୟ ଆଦିବାସୀ ଓ ବନବାସୀଙ୍କ ଜୀବନଜୀବିକାର ମୁଖ୍ୟ ଉତ୍ସ ଥିଲା । ମାତ୍ର ବାରମ୍ବାର ଅଗ୍ନିକାଣ୍ଡ ଯୋଗୁଁ ସ୍ଥିତି ଏପରି ହୋଇଛି ଯେ, ଗ୍ରାମାଞ୍ଚଳ ବଜାରକୁ ଛାଡ଼ିଦେଲେ ଜିଲ୍ଲାରେ ଅନ୍ୟ କୌଣସି ସ୍ଥାନରେ ଏହି ଦ୍ରବ୍ୟ ଗୁଡ଼ିକର ଦେଖା ମିଳୁନାହିଁ । ନିଆଁ ଲଗାଉଛନ୍ତି ବେପାରୀ, ସ୍ୱାହା ହେଉଛି ଜଙ୍ଗଲ । ମୁଖ୍ୟତଃ ଦୁଇଟି ବେପାରୀ ଗୋଷ୍ଠୀ ମହୁଲ ସଂଗ୍ରହକାରୀ ଓ କେନ୍ଦୁପତ୍ର ବେପାରୀ ନିଆଁ ଲଗାଇବା ପାଇଁ ସ୍ଥାନୀୟ ଲୋକଙ୍କୁ ପ୍ରବର୍ତ୍ତାଇଥାନ୍ତି । ମହୁଲ ସଂଗ୍ରହ ପାଇଁ ତଳବୁଦା ସଫା କରିବା ଓ କେନ୍ଦୁପତ୍ର କଅଁଳିବା ପାଇଁ ଲଗାଯାଉଥିବା ଏହି ନିଆଁ ପରବର୍ତ୍ତୀ ସମୟରେ ନିୟନ୍ତ୍ରଣ ବାହାରକୁ ଚାଲିଯାଇ ଘଞ୍ଚ ଜଙ୍ଗଲକୁ ପୋଡ଼ି ପାଉଁଶ କରିଦେଉଛି ।

ଏଥିରେ ମୂଲ୍ୟବାନ ଔଷଧୀୟ ଗଛ ଓ ଛୋଟଛୋଟ ବୁଦା ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଉଛି । କେବଳ ସେତିକି ନୁହେଁ ଉତ୍ତର ବନଖଣ୍ଡ ଅଧିନ କଦଳିଘାଟି, ନିୟମଗିରିରେ ବାରମ୍ବାର ନିଆଁ ଲାଗିବା ଯୋଗୁଁ ଏହି ଜଙ୍ଗଲରେ ରହୁଥିବା ହନୁ ଓ ପାତି ମାଙ୍କଡ଼ ଏବେ ସହରମୁହାଁ ହେଉଛନ୍ତି । ମୁଖ୍ୟରାସ୍ତାରେ ରହୁଛନ୍ତି । ଯାନବାହାନ ଦ୍ୱାରା ଦୁର୍ଘଟଣାଗ୍ରସ୍ତ ହେଉଛନ୍ତି । ନିଆଁ ଯୋଗୁଁ ପକ୍ଷୀଙ୍କ ବସା କେବଳ ଜଳୁ ନାହିଁ । ମାଙ୍କଡ଼, ପକ୍ଷୀ ଶାବକଙ୍କ ମଧ୍ୟ ମୃତ୍ୟୁ ହେଉଛି । ଅନେକ ସରୀସୃପ ଜଳି ଯାଉଛନ୍ତି । ଯାହାକି ଧୀରେଧୀରେ ମାଙ୍କଡ଼ ଓ ବହୁ ପ୍ରଜାତିର ପକ୍ଷୀ, ସରୀସୃପଙ୍କ ଲୋପ ପାଇବାର ମୁଖ୍ୟ କାରଣ ହୋଇଛି । ଦକ୍ଷିଣ ବନଖଣ୍ଡ ଅଧିନ କର୍ଲାପାଟ ଅଭୟାରଣ୍ୟ ହୋଇଥିବାରୁ ପଶୁପକ୍ଷୀ ତଥା ଜୈବ ବିବିଧତାର ସୁରକ୍ଷା ପାଇଁ ବନବିଭାଗ ପ୍ରୟାସ ଜାରି ରଖିଛି । ମାତ୍ର ମାନବ ସମ୍ବଳ ଅଭାବରୁ ଝୁଣ୍ଟୁଛି ।  କଳାହାଣ୍ଡି ଦକ୍ଷିଣ ବନଖଣ୍ଡରେ ମୋଟ ୩୧୬ଟି ବନାଗ୍ନି ପ୍ରବଣ ଗ୍ରାମ ଚିହ୍ନଟ ହୋଇଛି । 

ଆହୁରି ପଢନ୍ତୁ- ଘର ଆଗରେ ହଙ୍ଗାମା ଘଟଣାରେ ବର୍ଷିଲେ ପ୍ରତାପ : ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ, ତଦନ୍ତ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଅ

ସେଥିମଧ୍ୟରୁ ୧୦୨ଟି ଗ୍ରାମ ଅତ୍ୟଧିକ ସମ୍ବେଦନଶୀଳ । ବନାଗ୍ନି ଚିହ୍ନଟ ପାଇଁ ଏବେ ଉପଗ୍ରହ ଆଧାରିତ ସତର୍କତା ପ୍ରଣାଳୀର ସହାୟତା ନିଆଯାଉଛି । ଜଙ୍ଗଲକୁ ସୁରକ୍ଷିତ ରଖିବା ପାଇଁ ୮୭୭ କିଲୋମିଟର ନୂତନ ଅଗ୍ନି ନିର୍ବାପନ ଲାଇନ ସୃଷ୍ଟି କରାଯାଇଛି । ବନ ବିଭାଗର ରିପୋର୍ଟ ଅନୁଯାୟୀ, ଥୁଆମୂଳ ରାମପୁର, ବିଶ୍ୱନାଥପୁର, ଜୟପାଟଣା, ଧର୍ମଗଡ଼, କର୍ଲାପାଟ ଏବଂ ଜୁନାଗଡ଼ ଭଳି ୭ଟି ରେଞ୍ଜରେ ନିଆଁ ସୂଚନା ହ୍ରାସ ପାଇଛି । ଅନ୍ୟପଟେ, ଉତ୍ତର ବନଖଣ୍ଡରେ ୨୦୨୪ରେ ୭୯୩ଟି ଏବଂ ୨୦୨୫ରେ ୭୮୮ଟି ଫାୟାର ପଏଣ୍ଟ ଚିହ୍ନଟ ହୋଇଥିବାବେଳେ ୫୭୬ କିମି ଫାୟାର ଲାଇନ୍‌ କାର୍ଯ୍ୟ ସମ୍ପନ୍ନ ହୋଇଛି । ତେବେ ଦୁର୍ଗମ ଅଞ୍ଚଳକୁ ଅଗ୍ନିଶମ ଗାଡ଼ି ଯିବା ସମ୍ଭବ ହେଉନଥିବାରୁ ବନ କର୍ମଚାରୀ ହିଁ ଜୀବନକୁ ବାଜି ଲଗାଇ ନିଆଁ ଲିଭାଉଛନ୍ତି । ମାନବ ସମ୍ବଳର ଅଭାବ ଏ କ୍ଷେତ୍ରରେ ବଡ଼ ପ୍ରତିବନ୍ଧକ ସାଜିଥିବାବେଳେ, ଶେଷରେ କାଳବୈଶାଖୀ ବର୍ଷା ହିଁ ଏକମାତ୍ର ଭରସା ସାଜିଛି ।