ନୂଆଦିଲ୍ଲୀ, ୨୯/୦୪ : ସଞ୍ଚୟ ହେଉକି ନିବେଶ, ଏ ସମ୍ପର୍କିତ ନିଷ୍ପତ୍ତି ଆଗରୁ ଲୋକମାନେ ବ୍ୟାଙ୍କ କିମ୍ଵା ପରାମର୍ଶଦାତାଙ୍କ ଠାରୁ ନେଉଥିଲେ। ହେଲେ ଏବେ ଏଆଇର ସହାୟତା ନେଉଛନ୍ତି ଲୋକେ। ଗ୍ଲୋବାଲ ପ୍ରଫେସନାଲ ସର୍ଭିସ୍ କମ୍ପାନୀ ଇୱାଇର ସଦ୍ୟତମ ରିପୋର୍ଟ ମୁତାବକ, ବିଶ୍ଵର ପ୍ରାୟ ଅର୍ଦ୍ଧାଧିକ ଲୋକ ନିବେଶ ସମ୍ପର୍କିତ ନିଷ୍ପତ୍ତି ବେଳେ ଏଆଇର ପରାମର୍ଶ ନେଉଛନ୍ତି। ୨୩ ଦେଶର ୧୮ ହଜାର ଲୋକଙ୍କୁ ନେଇ ହୋଇଥିବା ଏହି ଅଧ୍ୟୟନ ଏଆଇର ବହୁଳ ଆଦୃତି ସମ୍ପର୍କରେ ଦର୍ଶାଇଛି। ଗତ ୬ ମାସରେ ୪୯% ଉପଭୋକ୍ତା ସଞ୍ଚୟ ଏବଂ ନିବେଶ ସମ୍ପର୍କିତ ନିଷ୍ପତ୍ତି ଲାଗି ଏଆଇ ବ୍ୟବହାର କରିଛନ୍ତି। ୩୭% ଲୋକ କହିଛନ୍ତି ଯେ, ଏଆଇ ବ୍ୟକ୍ତିଗତ ଆର୍ଥିକ ପରାମର୍ଶ କିମ୍ଵା ନିଷ୍ପତ୍ତି କ୍ଷେତ୍ରରେ ବେଶ ଉପଯୋଗୀ। ୟୁରୋପରେ ୨୧ ପ୍ରତିଶତ ନିବେଶକ ଏଆଇ ଟୁଲ ବ୍ୟବହାର କରୁଛନ୍ତି। ଏସିଆରେ ଏଭଳି ନିବେଶକଙ୍କ ସଂଖ୍ୟା ୩୦% ରହିଛି।

ବ୍ରିଟେନରେ ୩୫% ଲୋକ ସଞ୍ଚୟ ଏବଂ ନିବେଶ ସମ୍ପର୍କିତ ନିଷ୍ପତ୍ତି ବେଳେ ଏଆଇ ବ୍ୟବହାର କରୁଛନ୍ତି। ସବୁଠାରୁ ବେଶି ଉତ୍ସାହ ଜେନଜି ଏବଂ ମିଲେନିଆଲ୍ସଙ୍କ ମଧ୍ୟରେ ଦେଖାଯାଇଛି। ୬୮% ଜେନଜି ଏବଂ ୬୫% ମିଲେନିଆଲ୍ସ ନିବେଶ କ୍ଷେତ୍ରରେ ଏଆଇର ସହାୟତା ନେଉଛନ୍ତି। ଏ କ୍ଷେତ୍ରରେ ଚାଟଜିପିଟି ସବୁଠାରୁ ଭରସାଯୋଗ୍ୟ ଏଆଇ ଟୁଲ୍ ଭାବରେ ଉଭା ହୋଇଛି। ଗୁଗଲର ଜେମିନି ଏଆଇ ଦ୍ଵିତୀୟ ସ୍ଥାନରେ ରହିଛି। ନିୟମ, ଗଣନା, ଡାଟା ସାଂରାଂଶ ପ୍ରଦାନ କରିବା ଏବଂ ନିବେଶ କ୍ଷେତ୍ରରେ ଭୁଲ୍ ସୂଚନାକୁ ଧରିବାରେ ମଧ୍ୟ ଏହି ଟୁଲ୍ ଗୁଡ଼ିକ ବେଶ ସକ୍ରିୟତା ଦେଖାଉଛନ୍ତି।

ତେବେ ବ୍ୟକ୍ତିଗତ ସ୍ଥିତିକୁ ଦେଖି ଠିକ୍ ପରାମର୍ଶ ଦେବା, ଅଧୁରା ପ୍ରଶ୍ନ, ଠିକ୍ ତଥ୍ୟ ଏବଂ ସ୍ଵତନ୍ତ୍ର ଧ୍ୟାନ ଭଳି ଦିଗ ଗୁଡ଼ିକ ଏଆଇ ଲାଗି ଏବେ ଚ୍ୟାଲେଞ୍ଜ୍ ହୋଇଛି। ବ୍ରିଟେନର ବିତ୍ତୀୟ ନିୟାମକ ଏଫ୍ସିଏ ସ୍ପଷ୍ଟ କରିଛି ଯେ, ଚାଟ ଜିପିଟି, କ୍ଲାଡ ଭଳି ସାମାନ୍ୟ ଏଆଇ ଟୁଲ ଆର୍ôଥକ ସେବା ଲାଗି ଅଧିକୃତ ନୁହେଁ । ଏହାର ପରାମର୍ଶ ବିତ୍ତୀୟ ଲୋକପାଳ ସେବା କିମ୍ବା ଆର୍ôଥକ ସେବା କ୍ଷତିପୂରଣ ସ୍କିମ ପରିସରରେ ଆସୁନାହିଁ । ଏହାର ଅର୍ଥ ଏଆଇ ପରାମର୍ଶରେ ନିବେଶ କ୍ଷେତ୍ରରେ ନିବେଶକ କ୍ଷତି ସହିଲେ କିମ୍ବା ଫ୍ରଡ ହେଲେ ଆଇନଗତ ସହାୟତାର ସୁଯୋଗ କମ୍ ଥାଏ । ଏଫ୍ସିଏ ଜାନୁଆରି ଠାରୁ ଏହି ଟ୍ରେଣ୍ଡର ସମୀକ୍ଷା ଆରମ୍ଭ କରି ଦେଇଛି ।

ଫିଡେଲିଟି ଇଣ୍ଟରନ୍ୟାଶନାଲର ଆଣ୍ଡ୍ର୍ୟୁ ଆକ୍ସଲେଡ କହିଛନ୍ତି, ଏଆଇ ଏକ ଶକ୍ତିଶାଳୀ ସହାୟକ ଟୁଲ ହେବା ସହ ଭଲ ଭାବେ କାମ କରିଥାଏ । ଏହାକୁ ଅନ୍ୟ ଭରସାଯୋଗ୍ୟ ଉତ୍ସ ସହ ବ୍ୟବହାର କରିବା ଉଚିତ । ଇୱାଇର ଏଆଇ ବିଶେଷଜ୍ଞ ପ୍ରୀତମ ପେଡନାଗରୀ କହିଛନ୍ତି, ବିତ୍ତୀୟ ସଂସ୍ଥା ଗୁଡ଼ିକ ପାରଦର୍ଶୀ ଏବଂ ଉତ୍ତରଦାୟିତ୍ଵ ସହ ଏଆଇକୁ ବ୍ୟବହାର କରିବା ଆବଶ୍ୟକ। ବୋରିଂ ମନିର ପ୍ରତିଷ୍ଠାତା ହୋଲି ମ୍ୟାକ କହିଛନ୍ତି, ଏଆଇ ନିୟମ ଏବଂ ଗଣନା କ୍ଷେତ୍ରରେ ତୀକ୍ଷଣ ଭାବେ କାମ କରେ। ମାତ୍ର ବାସ୍ତବରେ କଣ କରିବା ଜରୁରୀ ଏହା କହି ନଥାଏ।

ଏହି ଖବରଟିକୁ ପଢନ୍ତୁ-ଏୟାରଲାଇନ୍ ଇଣ୍ଡଷ୍ଟ୍ରୀରେ ଫୁଏଲ ସଙ୍କଟ ? ଫ୍ଲାଇଟ୍ ସର୍ଭିସ୍ ଠପ୍ ହେବାର ବଡ଼ ବିପଦ ଆଶଙ୍କା