ତେହରାନ/ୱାଶିଂଟନ୍, ୨୬/୦୩ : ପଶ୍ଚିମ ଏସିଆରେ ଘମାଘୋଟ ହେଉଛି ଯୁଦ୍ଧ। ଆମେରିକାର ଶକ୍ତିଶାଳୀ ଯୁଦ୍ଧଜାହାଜ ୟୁଏସ୍ଏସ୍ ଆବ୍ରାହମ ଲିଙ୍କନ ଉପରେ ମିସାଇଲ ମାଡ଼ କଲା ଇରାନ । ଏଥିଯୋଗୁ ଆବ୍ରାହମ ଲିଙ୍କନ ନିଜ ସ୍ଥାନ ବଦଳାଇଛି । ରେଞ୍ଜ ଭିତରକୁ ଆସିଲେ ପୁଣି ଆକ୍ରମଣ କରିବ ବୋଲି ଇରାନ ଧମକ ଦେଇଛି।
ଇରାନ ସେନା ପକ୍ଷରୁ କୁହାଯାଇଛି ଯେ, କାଦେର କ୍ରୁଜ୍ ମିସାଇଲ ଦ୍ୱାରା ଆମେରିକୀୟ ଏୟାରକ୍ରାଫ୍ଟ କ୍ୟାରିୟର ୟୁଏସ୍ଏସ୍ ଆବ୍ରାହମ ଲିଙ୍କନକୁ ଟାର୍ଗେଟ କରାଯାଇଥିଲା। ଆକ୍ରମଣ ପରେ ଏହି ଯୁଦ୍ଧଜାହାଜକୁ ନିଜ ସ୍ଥାନ ବଦଳାଇବାକୁ ପଡ଼ିଛି । ଇରାନ ନୌସେନା ମୁଖ୍ୟ ଶହରାମ ଇରାନୀ କହିଛନ୍ତି, ଏହି ଆମେରିକୀୟ ଏୟାରକ୍ରାଫ୍ଟ କ୍ୟାରିୟରର ପ୍ରତିଟି ଗତିବିଧି ଉପରେ ନଜର ରଖାଯାଇଛି । ଯଦି ଏହା ପୁଣି ଇରାନ ତଟୀୟ ସୀମା ଭିତରକୁ ଆସେ ତେବେ ଆହୁରି ଶକ୍ତିଶାଳୀ ଆକ୍ରମଣ କରାଯିବ ।
ସମୁଦ୍ର ରାକ୍ଷସ ଭାବେ ଜଣା ଆବ୍ରାହମ ଲିଙ୍କନରେ ଏକାଧିକ ଡଜନ ଯୁଦ୍ଧବିମାନ ଏବଂ ହଜାର ହଜାର ସୈନିକ ମୁତୟନ ରହିଥାନ୍ତି । ଇରାନ ତଟୀୟ କ୍ଷେତ୍ର ପରିସର ଭିତରୁ ଏହି ଯୁଦ୍ଧଜାହାଜକୁ ପଛକୁ ହଟିବାକୁ ବାଧ୍ୟ କରାଯାଇଥିବା ଇରାନ ଦାବି କରିଛି । ଇରାନ ଏବଂ ଆମେରିକା ମଧ୍ୟରେ ଯୁଦ୍ଧବିରତି ଲାଗି ଆଲୋଚନା ଲାଗି ଏକାଧିକ ଦେଶ ଉଦ୍ୟମ ଚଲାଇଥିବାବେଳେ ଇରାନ ଏହି ଚକିତ କଲାଭଳି ଦାବି କରିଛି । ଏଥିସହ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ୧୫ ସୂତ୍ରୀୟ ଶାନ୍ତି ପ୍ରସ୍ତାବ ଖବର ଭିତରେ ଇରାନ ଏହି ଆକ୍ରମଣ କରିଛି । ଆମେରିକା ଆଗରେ ମୁଣ୍ଡ ନୁଆଁଇବନି କିମ୍ବା ଆମେରିକାର ଏକତରଫା ସର୍ତ୍ତରେ ଇରାନ ରାଜି ହେବ ନାହିଁ ବୋଲି ଖୋଲାଖୋଲି କହିଛି । ଯେ ପର୍ଯ୍ୟନ୍ତ ଇରାନର ସର୍ତ୍ତ ରହିନାହିଁ ସେ ପର୍ଯ୍ୟନ୍ତ ଇରାନ ଆକ୍ରମଣ ଜାରି ରଖିବାକୁ ଧମକ ଦେଇଛି ।
ଅନ୍ୟପକ୍ଷରେ ଇରାନ ‘ଅପରେସନ ଟ୍ରୁ ପ୍ରମିଜ୍ ୪’ରେ ମଧ୍ୟପ୍ରାଚ୍ୟରେ ଥିବା ଆମେରିକା ଏବଂ ଇସ୍ରାଏଲର ପ୍ରମୁଖ ରଣନୈତିକ ପଏଣ୍ଟ ଏବଂ ମିଲିଟାରୀ ସେଣ୍ଟର ଉପରେ ୮୦ତମ ମିସାଇଲ କ୍ଷେପ ମାଡ଼ କରିଛି । ବୁଧବାର ଇରାନର ଇସ୍ଲାମିକ ରିଭୋଲ୍ୟୁସନାରୀ ଗାର୍ଡସ୍ କର୍ପସ (ଆଇଆର୍ଜିସି) ପକ୍ଷରୁ ଘୋଷଣା କରାଯାଇଛି ଯେ, ଇରାନ ସେନା ଏହି କ୍ଷେତ୍ରରେ ଥିବା ଆମେରିକୀୟ ଆଉଟପୋଷ୍ଟ ଏବଂ ଇସ୍ରାଏଲ ସେନାକୁ ଟାର୍ଗେଟ କରାଯାଇଥିଲା । ସେଥିମଧ୍ୟରେ ଇସ୍ରାଏଲର ତେଲ୍ ଅଭିଭ, ନେଇ ବ୍ରାକ୍, ସଫାଦ୍ ରହିଥିବାବେଳେ କୁଏତ, ଜୋର୍ଡାନ, ବାହାରିନ୍ ଆଦିରେ ଥିବା ଆମେରିକୀୟ ସେନା ଘାଟି ରହିଛି । ଇରାନ ସ୍କୁଲରେ ଆକ୍ରମଣ ଦ୍ୱାରା ଶତାଧିକ ଶିଶୁଙ୍କ ହତ୍ୟା ଜବାବରେ ଏହି ଆକ୍ରମଣ କରାଯାଇଥିବା ଆଇଆର୍ଜିସି ପକ୍ଷରୁ କୁହାଯାଇଛି ।
ଏହି ଖବରଟିକୁ ପଢନ୍ତୁ- ଆମେରିକାରୁ ଶେଷ ହେବାରେ ଲାଗିଛି କ୍ଷେପଣାସ୍ତ୍ର, ଇରାନ ଯୁଦ୍ଧକୁ ଦୃଷ୍ଟିରେ ରଖି ୪ ଗୁଣା ଉତ୍ପାଦନ ବଢାଇବାକୁ ଟ୍ରମ୍ପଙ୍କ ନିର୍ଦ୍ଦେଶ...