ନୂଆଦିଲ୍ଲୀ,୧୫।୧୦: ଆମେରିକାର ମଧ୍ୟସ୍ଥତା ପରେ ହମାସ ଇସ୍ରାଏଲର ୨୦ ଜୀବିତ ବନ୍ଧକଙ୍କୁ ଇସ୍ରାଏଲ ପଠାଇଥିଲା। କିନ୍ତୁ ଏପର୍ଯ୍ୟନ୍ତ ୨୮ ମୃତ ବନ୍ଧକଙ୍କ ଭିତରୁ ମାତ୍ର ୭ ଜଣଙ୍କୁ ଫେରାଇଛି। ସେମାନଙ୍କ ଭିତରୁ ଜଣଙ୍କର ମୃତଦେହ ବନ୍ଧକ ସହ ମିଶୁନାହିଁ। ଇସ୍ରାଏଲ କହିଛି, ଏହା ପାଲେଷ୍ଟାଇନ୍ର କୌଣସି ଲୋକଙ୍କର ହୋଇପାରେ। ଏହି ଘଟଣାକୁ ନେଇ ଇସ୍ରାଏଲ ଓ ହମାସ ମଧ୍ୟରେ ପୁଣିଥରେ ବିବାଦ ବଢିଛି। ଇସ୍ରାଏଲର ନ୍ୟାସନାଲ ସିକ୍ୟୁରିଟି ମିନିଷ୍ଟର ଇତମାର ବେନ୍ ଗିର ହମାସକୁ ଧମକ ଦେଇଛନ୍ତି। ସେ କହିଛନ୍ତି, ହମାସକୁ ଆମେ ମାଟିରେ ମିଶାଇଦେବୁ।
ସେ କହିଛନ୍ତି, ବହୁତ ହୋଇଗଲା ଅପମାନ। ଶତାଧିକ ଟ୍ରକ୍ ପାଇଁ ଗେଟ୍ ଖୋଲିବାର କିଛି କ୍ଷଣ ପରେ, ହମାସ ନିଜର ଅସଲ ରୂପକୁ ଆସି ଯାଇଛି। ମିଛ କହିବା, ଧୋକା ଦେବା ଓ ପରିବାର ଏବଂ ଲୋକଙ୍କ ସହ ଖରାପ ବ୍ୟବହାର କରିଛି। ନାଜି ଆତଙ୍କବାଦ କେବଳ କ୍ଷମତାକୁ ବୁଝେ। ଏବେ ସେଥିପାଇଁ ଏକମାତ୍ର ବାଟ ରହିଛି, ତାହା ହେଲା ହମାସକୁ ଆମେ ମାଟିରେ ମିଶାଇ ଦେବୁ। ପୃଥିବୀରେ ତା’ର ଚିହ୍ନ ବି ରହିବନି।
ହମାସ ଏବେ ବି ୨୧ ଜଣ ମୃତ ବନ୍ଧକଙ୍କ ମୃତଦେହ ଧରି ରଖିଛି, ଗତ ଦୁଇ ଦିନ ମଧ୍ୟରେ ମାତ୍ର ୭ ଜଣଙ୍କ ମୃତଦେହ ଫେରାଇଛି। ଏହା ପୂର୍ବରୁ ସୋମବାର ହମାସ ସମସ୍ତ ୨୦ ଜଣ ଜୀବିତ ବନ୍ଧକଙ୍କୁ ମୁକ୍ତ କରିଥିଲା। ମୃତ ବନ୍ଧକଙ୍କ ମୃତଦେହ ସମ୍ପର୍କରେ, IDF ମୁଖ୍ୟ ଜମିର କହିଛନ୍ତି,ରାଜନୈତିକ ନେତୃତ୍ୱ ସହିତ ମିଶି, ଆମେ ସମସ୍ତ ଚୁକ୍ତିନାମା କାର୍ଯ୍ୟକାରୀ କରିବାରେ ଦୃଢ଼ ରହିବୁ। କିନ୍ତୁ ସମସ୍ତ ବନ୍ଧକଙ୍କୁ ଫେରାଇ ନ ଆଣିବା ପର୍ଯ୍ୟନ୍ତ ଚୁପ୍ ହୋଇ ବସିପାରିବୁନି।