ଗାଜା ସିଟି,୨୬/୮: ଇସ୍ରାଏଲ ସେନା ଦକ୍ଷିଣ ଗାଜାର ଖାନ୍‌ ୟୁନିସ୍‌ ଅଞ୍ଚଳରେ ଥିବା ସର୍ବବୃହତ୍‌ ନାସର ହସ୍ପିଟାଲ ଉପରେ ବୋମାମାଡ଼ କରିଛି । ଏଥିରେ ୫  ଜଣ ସାମ୍ବାଦିକଙ୍କ ସମେତ ୨୦ ଜଣଙ୍କ ମୃତ୍ୟୁ ହୋଇଛି । ମୃତ ସାମ୍ବାଦିକଙ୍କ ମଧ୍ୟରେ ଅଛନ୍ତି  ରଏଟର୍ସ ଫଟୋ ସାମ୍ବାଦିକ ହୋସମ ଅଲ୍‌-ମାସ୍ରି, ଅଲ୍‌ ଜଜିରା ଫଟୋ ସାମ୍ବାଦିକ ସହମ୍ମଦ ସଲମା, ଏପି ଫ୍ରିଲାନ୍ସର ସାମ୍ବାଦିକ ମରିଅମ ଅବୁ ଡାଗା, ଏନ୍‌ବିସି ସାମ୍ବାଦିକ ମୋଆଜ ଅବୁ  ତାହା ଏବଂ କ୍ୟୁଡ ଫିଡ୍‌ ନେଟୱାର୍କର ମହମ୍ମଦ  ଅବୁ ଅଜିଜ । ସେହିଭଳି ଏହି ଆକ୍ରମଣରେ କିଛି ସିଭିଲ ଡିଫେନ୍ସ ଓ ମେଡିକାଲ  କର୍ମଚାରୀଙ୍କର ମଧ୍ୟ ମୃତ୍ୟୁ ହୋଇଛି । 

ସୂଚନା ଅନୁସାରେ ଇସ୍ରାଏଲୀ ସେନା ପ୍ରଥମେ ନାସର ମେଡିକାଲ କଲେଜ ଓ ହସ୍ପିଟାଲ କ୍ୟାମ୍ପସ  ଉପରେ ବୋମା ମାଡ଼ କରିଥିଲେ । ଏଥିରେ  ଅନେକ ଲୋକ ମୃତାହତ ହୋଇଥିଲେ । ଖବର ପାଇ ସିଭିଲ ଡିଫେନ୍ସ ଓ ହସ୍ପିଟାଲ  କର୍ମଚାରୀମାନେ ଆହତଙ୍କୁ ଉଦ୍ଧାର କରୁଥିଲେ। ସାମ୍ବାଦିକମାନେ ସେଠାରେ ଫଟୋ ଉଠାଇବା  ସହ ଖବର ସଂଗ୍ରହ କରୁଥିଲେ । ଏହି  ସମୟରେ ଇସ୍ରାଏଲ ସେନା ପୁଣି ସେଠାରେ  ହଠାତ୍‌ ବୋମାମାଡ଼ ଆରମ୍ଭ କରିଦେଇଥିଲେ ।  

ଇସ୍ରାଏଲର ଏଭଳି ଆକ୍ରମଣକୁ ବିଶ୍ୱବ୍ୟାପୀ  ତୀବ୍ର ନିନ୍ଦା କରାଯାଇଛି । ଅନ୍ୟପକ୍ଷରେ  ଇସ୍ରାଏଲ ଏହି ଆକ୍ରମଣକୁ ସ୍ୱୀକାର କରିଥିଲା ବେଳେ ସାମ୍ବାଦିକଙ୍କୁ ଟାର୍ଗେଟ କରିବା  ଅଭିଯୋଗକୁ ଖଣ୍ଡନ କରିଛି । ଦୀର୍ଘ ୨୨ ମାସ  ଧରି ଚାଲିଥିବା ଯୁଦ୍ଧରେ ଇସ୍ରାଏଲ ନାସର ହସ୍ପିଟାଲକୁ ଅନେକଥର ଟାର୍ଗେଟ କରିଛି ।