ନୂଆଦିଲ୍ଲୀ : ଟେସ୍ଲା ଓ ସ୍ପେସଏକ୍ସର ସିଇଓ ଏଲନ ମସ୍କ ଶନିବାର କହିଛନ୍ତି ଯେ, ସେ ଚଳିତ ବର୍ଷ ଶେଷ ସୁଦ୍ଧା ଭାରତ ଆସିବା ପାଇଁ ଇଚ୍ଛୁକ ଅଛନ୍ତି। ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ କଥାବାର୍ତ୍ତା ପରେ ମସ୍କ ଏହି ସୂଚନା ଦେଇଛନ୍ତି। ମସ୍କ ଚଳିତ ବର୍ଷ ଭାରତରେ ଟେସ୍ଲାକୁ ଲଞ୍ଚ କରିବାକୁ ମଧ୍ୟ ପ୍ରସ୍ତୁତ ହେଉଛନ୍ତି। ଗତ ଦିନରେ ଟେସ୍ଲା ଶୋରୁମ୍‌ ପାଇଁ ମୁମ୍ୱାଇ ଓ ଦିଲ୍ଲୀରେ ସ୍ଥାନ ମଧ୍ୟ ଭଡ଼ାରେ ନେଇଛନ୍ତି।

ଏଲନ ମସ୍କ ଫୋନ୍‌ରେ ପିଏମ୍‌ ମୋଦିଙ୍କ ସହ କଥାବାର୍ତ୍ତା ପରେ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏକ୍ସରେ ପୋଷ୍ଟ କରି କହିଛନ୍ତି- ପିଏମ୍‌ ମୋଦିଙ୍କ ସହ କଥା ହେବା ସମ୍ମାନର କଥା ଥିଲା । ମୁଁ ଚଳିତ ବର୍ଷର ଶେଷ ସୁଦ୍ଧା ଭାରତ ଆସିବାକୁ ଖୁବ୍‌ ଉତ୍କଣ୍ଠାର ସହ ଅପେକ୍ଷା କରିଛି।   ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଏକ୍ସରେ ନିଜର କଥାବାର୍ତ୍ତାର ବିବରଣୀ ସେୟାର କରିଛନ୍ତି। 

ପିଏମ୍‌ ମୋଦି ଲେଖିଛନ୍ତି , ଏଲନ ମସ୍କଙ୍କ ସହ କଥା ହୋଇଛି ଏବଂ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିଛି, ଯେଉଁଥିରେ ଚଳିତ ବର୍ଷର ଆରମ୍ଭରେ ୱାଶିଂଟନ ଡିସିରେ ଆମର ବୈଠକ ବେଳେ ସାମିଲ କରାଯାଇ ଥିବା ବିଷୟ ମଧ୍ୟ ସାମିଲ ଅଛି। ଆମେ ପ୍ରଯୁକ୍ତିବିଦ୍ୟା ଓ ନବସୃଜନ କ୍ଷେତ୍ରରେ ସହଯୋଗର ଅନେକ ସମ୍ଭାବନା ଉପରେ ଆଲୋଚନା କରିଛୁ। ଭାରତ ଏହି କ୍ଷେତ୍ରରେ ଆମେରିକା ସହ ନିଜର ଭାଗିଦାରୀକୁ ଆଗକୁ ବଢାଇବା ପାଇଁ ପ୍ରତିବଦ୍ଧ ଅଛି। 


ଉଲ୍ଲେଖନୀୟ ଯେ, ପିଏମ୍‌ ମୋଦି ଚଳିତ ବର୍ଷର ଆରମ୍ଭରେ ଆମେରିକା ଗସ୍ତ କରିଥିଲେ, ସେଠାରେ ତାଙ୍କର ସାକ୍ଷାତ୍‌ ଏଲନ ମସ୍କଙ୍କ ସହ ମଧ୍ୟ ହୋଇଥିଲା। ବୈଠକ ବେଳେ ମୋଦି ଓ ମସ୍କ ମହାକାଶ ଅନୁସନ୍ଧାନ , କୃତ୍ରିମ ବୁଦ୍ଧିମତା, ନବସୃଜନ , ସ୍ଥାୟୀ ବିକାଶ ସହ ପ୍ରମୁଖ କ୍ଷେତ୍ରରେ ଭାରତୀୟ ଓ ଆମେରିକୀୟ ସଂସ୍ଥା ମଧ୍ୟରେ ସହଯୋଗକୁ ମଜବୁତ କରିବାରେ ଆଲୋଚନା କରିଥିଲେ। 

ଫେବ୍ରୁଆରୀର ବୈଠକ ପରେ ଏକ ବୟାନରେ ବିଦେଶ ମନ୍ତ୍ରଣାଳୟ କହିଥିଲା, ପ୍ରଧାନମନ୍ତ୍ରୀ ଓ ମସ୍କ ନବସୃଜନ , ମହାକାଶ ଅନୁସନ୍ଧାନ , କୃତ୍ରିମ ବୁଦ୍ଧିମତା ଓ ସ୍ଥାୟୀ ବିକାଶ କ୍ଷେତ୍ରରେ ଓ ଆମେରିକୀୟ ସଂସ୍ଥା ଗୁଡ଼ିକ ମଧ୍ୟରେ ସହଯୋଗକୁ ମଜବୁତ କରିବା ଉପରେ ଆଲୋଚନା କରିଥିଲେ। ତାଙ୍କର ଆଲୋଚନାରେ ବିକାଶମୁଖୀ ପ୍ରଯୁକ୍ତିବିଦ୍ୟା, ଉଦ୍ୟୋଗ ଓ ସୁଶାସନକୁ ସୁଦୃଢ କରିବାର ଅବସର ଉପରେ ମଧ୍ୟ ଆଲୋଚନା ହୋଇଛି। 

ଡୋନାଲ୍ଡ ଟ୍ରମ୍ପଙ୍କ ସରକାରରେ ମସ୍କ ଆମେରିକୀୟ ସରକାରୀ ଦକ୍ଷତା ବିଭାଗ (ଡିଓଜିଇ)ର ନେତୃତ୍ୱ ନେଇଛନ୍ତି। ଫେବ୍ରୁଆରରେ ପିଏମ୍‌ ମୋଦିଙ୍କ ସହ ସାକ୍ଷାତ ପରେ ମସ୍କଙ୍କ ସହ ତାଙ୍କର ୩ଜଣ ପିଲା ମଧ୍ୟ ଥିଲେ। ପ୍ରଧାନମନ୍ତ୍ରୀ ମୋଦି ତାଙ୍କର ଉପସ୍ଥିତି ଉପରେ ଧ୍ୟାନ ଦେଇ ପୋଷ୍ଟ କରିଥିଲେ , ଏଲନ ମସ୍କଙ୍କ ପରିବାର ସହ ଭେଚଟିବା ଓ ଅନେକ ବିଷୟ ଉପରେ କଥାବାର୍ତ୍ତା କରିବା ମଧ୍ୟ ଖୁବ୍‌ ଖୁସିର କଥା ଥିଲା। ସେ ଏହା ମଧ୍ୟ କହିଥିଲେ , ୱାଶିଂଟନ ଡିସିରେ ଏଲନ ମସ୍କଙ୍କ ସହ ବହୁତ ଭଲ ବୈଠକ ହେଲା । ଆମେ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କଲୁ, ଯେଉଁଥିରେ ସେହି ପ୍ରସଙ୍ଗ ମଧ୍ୟ ସାମିଲ ଅଛି ,ଯାହା ବିଷୟରେ ସେ ଖୁବ୍ ଆଗ୍ରହୀ , ତାହା ହେଲା ମହାକାଶ , ଗତିଶୀଳନା , ପ୍ରଯୁକ୍ତିବିଦ୍ୟା ଓ ନବସୃଜନ।