ପୁରୀ, ୨।୨ :  ପରମ୍ପରା ମୁତାବକ ପବିତ୍ର ବସନ୍ତ ପଞ୍ଚମୀ ଅର୍ଥାତ ସରସ୍ୱତୀ ପୂଜାରେ  ବିଧିବଦ୍ଧ ଭାବରେ ତିନିରଥର କାଠ ଅନୁକୂଳ କରାଯାଇଛି।  ତିନୋଟି ୧୨ ଫୁଟିଆ ଧଉରା କାଠକୁ ଅନୁକୂଳ କରାଯାଇଛି। ଶୁଭ ମୁହୂର୍ତ୍ତ ମୁତାବକ ସଂଧ୍ୟା ୬ଟା ୩୦  ମିନିଟରେ ଏକ ଆଧ୍ୟାତ୍ମିକ ପରିବେଶରେ ରଥକାଠ ଅନୁକୂଳ ପର୍ବ ସମ୍ପର୍ଣ୍ନ ହୋଇଛି। ସ୍ୱତ୍ରୀୟ ବ୍ରାହ୍ମଣ ଓ ଶ୍ରୀନହର ରାଜଗୁରୁ ବନଜାଗ ପଦ୍ଧତିରେ ମନ୍ତ୍ର ଉଚ୍ଚାରଣ କରି ପୂଜାର୍ଚ୍ଚନା କରି ରଥକାଠ ଅନୁକୂଳ ସମ୍ପର୍ଣ୍ନ  କରିଛନ୍ତି। 

 ଚଳିତବର୍ଷ ରଥଯାତ୍ରା କିଭଳି ଶାନ୍ତିଶୃଙ୍ଖଳାର ସହିତ ସମାପନ ହେବ ସେନେଇ ଶ୍ରୀଜୀଉଙ୍କ ନିକଟରେ ପ୍ରାର୍ଥନା କରାଯାଇଛି। ରଥକାଠ ଅନୁକୂଳ ପର୍ବ ସମୟରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ,ଉପମୁଖ୍ୟ ପ୍ରଶାସକ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ଶ୍ରୀମନ୍ଦିର ନୀତି ପ୍ରଶାସକ,ଏସପି,ତିନିରଥର ଭୋଇ ସର୍ଦ୍ଦାର ପ୍ରମୁଖ ଉପସ୍ଥିତ ରହିଥିଲେ।  ତେବେ ଆସନ୍ତା ରାମନବମୀ ତିଥିରେ ରଥକାଠ ଚିରଟ ପ୍ରକ୍ରିୟା ଆରମ୍ଭ କରାଯିବା ସହ ଆସନ୍ତା ଅକ୍ଷୟ ତୃତୀୟା ଦିନ ରଥନିର୍ମାଣ କାର୍ଯ୍ୟ ଅନୁକୂଳ ହେବ। ତେବେ ତିନିରଥ ନିର୍ମାଣ ପାଇଁ ମୋଟ ୮୬୫  ଖଣ୍ଡ କାଠର ଆବଶ୍ୟକତା ଥିବାବେଳେ ଗତବର୍ଷର ୫୧ ଖଣ୍ଡ କାଠ ବଳକା ରହିଛି। ତେବେ ଚଳିତବର୍ଷ ରଥନିର୍ମାଣ ପାଇଁ ଆଉ ୮୧୪ ଖଣ୍ଡ କାଠ ଦରକାର ଥିବାବେଳେ ପ୍ରଥମ ପର୍ଯ୍ୟାୟରେ ତିନୋଟି ଟ୍ରକ୍ ଯୋଗେ ୧୦୧ ଖଣ୍ଡ କାଠ ପୁରୀରେ ପହଞ୍ଚିଛି।