ନୂଆଦିଲ୍ଲୀ –ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଶନିବାର ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ଭାରତରେ ରହିବା, ତାଙ୍କର ବ୍ୟକ୍ତିଗତ ପସନ୍ଦ ବୋଲି କହିଛନ୍ତି। ସେ କହିଛନ୍ତି , ତାଙ୍କର ନିଷ୍ପତ୍ତି ସେହି ପରିସ୍ଥିତି ସହ ପ୍ରଭାବିତ ,ଯେଉଁଥି ପାଇଁ ସେ ଭାରତ ଆସିଛନ୍ତି। ୭୮ବର୍ଷିୟା ଶେଖ ହସିନା ଗତ ବର୍ଷ ଅଗଷ୍ଟ ମାସରେ ଭାରତ ଆସି ଥିଲେ , ଯେତେବେଳେ ବାଂଲାଦେଶରେ ତାଙ୍କର ୧୫ ବର୍ଷର କ୍ଷମତାର ଅବସାନ ହିଂସାକାଣ୍ଡ ମଧ୍ୟରେ ହୋଇଥିଲା। ଏହି ହିଂସାକାଣ୍ଡରେ ଶହ ଶହ ଲୋକଙ୍କର ମୃତ୍ୟୁ ହୋଇଥିଲା ଏବଂ ହଜାର ହଜାର ଲୋକ ଆହତ ହୋଇଥିଲେ। ଗତ ମାସରେ ଢାକାର ଏକ ସ୍ୱତନ୍ତ୍ର କୋର୍ଟ ତାଙ୍କୁ ମୃତ୍ୟୁଦଣ୍ଡ ଶୁଣାଇ ଥିଲେ।
ଶନିବାର ଦିନ ହିନ୍ଦୁସ୍ତାନ ଟାଇମ୍ସ ଲିଡରଶିପ୍ ସମିତି ୨୦୨୫ର ଶେଷ ଦିନ ଆଲୋଚନା ଅବସରରେ ବୈଦେଶିକ ମନ୍ତ୍ରୀ ଏସ୍.ଜୟଶଙ୍କର ଶେଖ ହସିନାଙ୍କ ଭାରତରେ ଦୀର୍ଘ ଦିନ ଯାଏ ରହିବା ଓ ଭାରତ-ବାଂଲାଦେଶ ସମ୍ୱନ୍ଧରେ ବିସ୍ତୃତ ଭାବେ କହିଛନ୍ତି। ସେ ସ୍ପଷ୍ଟ କରିଛନ୍ତି ଯେ, ଶେଖ ହସିନାଙ୍କର ଭାରତରେ ରହିବା ମୂଳତଃ ତାଙ୍କର ବ୍ୟକ୍ତିଗତ ନିଷ୍ପତ୍ତି, କିନ୍ତୁ ଯେଉଁ ସବୁ ପରିସ୍ଥିତିରେ ସେ କ୍ଷମତା ଛାଡ଼ି ଭାରତ ଆସିଛନ୍ତି , ତାଙ୍କର ଏହି ନିଷ୍ପତ୍ତି ପଛରେ ଗୁରୁତ୍ତ୍ୱପୂର୍ଣ୍ଣ କାରଣ ଅଛି। ଜୟଶଙ୍କର କହିଛନ୍ତି , ସେ ଏକ ସ୍ୱତନ୍ତ୍ର ପରିସ୍ଥିତିରେ ଏଠାକୁ ଆସିଥିଲେ ଏବଂ ମୋର ବିଶ୍ୱାସ ଯେ, ସେହି ପରିସ୍ଥିତି ସ୍ପଷ୍ଟ ରୂପେ ଏହି କଥାକୁ ଦର୍ଶାଉଛି ଯେ, ତାଙ୍କ ସହ ଆଗକୁ କଣ ହେବ। କିନ୍ତୁ ଅନ୍ତିମ ନିଷ୍ପତ୍ତି ତାଙ୍କୁ ହିଁ ନେବାକୁ ହେବ।
ବୈଦେଶିକ ମନ୍ତ୍ରୀ ଏହା ମଧ୍ୟ ଦୋହରାଇଛନ୍ତି ଯେ, ଭାରତ ଶେଖ୍ ହସିନାଙ୍କୁ ଆଶ୍ୱାସନା ଦେଇଛି ଯେ, ସେ ଯେବେସୁଦ୍ଧା ଚାହିଁଲେ,ଭାରତରେ ରହି ପାରିବେ। ଭାରତ ସରକାର ପୂର୍ବରୁ ମଧ୍ୟ ଅନେକ ଥର କହି ସାରିଛନ୍ତି ଯେ, ମାନବୀୟ ଦୃଷ୍ଟିକୋଣରୁ ହସିନାଙ୍କୁ ଶରଣ ଦିଆଯାଇଛି ଏବଂ ତାଙ୍କର ସୁରକ୍ଷା ତଥା ସୁବିଧାର ପୂରା ଧ୍ୟାନ ରଖାଯାଉଛି।
ଭାରତ-ବାଂଲାଦେଶ ସମ୍ୱନ୍ଧର ସନ୍ଦର୍ଭରେ ଜୟଶଙ୍କର ପଡୋଶୀ ଦେଶରେ ଗଣତନ୍ତ୍ରର ମଜବୁତ୍ ଉପରେ ଜୋର ଦେଇଛନ୍ତି। ସେ କଡ଼ା ଶବ୍ଦରେ କହିଛନ୍ତି , ଆମେ ଶୁଣିଥିଲୁ ଯେ, ବାଂଲାଦେଶର ଲୋକ , ବିଶେଷକରି ଯିଏ ଏବେ କ୍ଷମତାରେ ଅଛନ୍ତି ,ତାଙ୍କୁ ପୂର୍ବରୁ ହୋଇଥିବା ନିର୍ବାଚନର ଉପାୟରେ ସମସ୍ୟା ଥିଲା। ଯଦି ସମସ୍ୟା ଥିଲା, ତ ସର୍ବ ପ୍ରଥମ କାମ ଏକ ନିରପେକ୍ଷ ଓ ବିଶ୍ୱସନୀୟ ନିର୍ବାଚନ କରାଇବା ଆବଶ୍ୟକ ।
ବୈଦେଶିକ ମନ୍ତ୍ରୀ ଦୁଇ ଦେଶର (ବାଂଲାଦେଶ-ଭାରତ) ସଂପର୍କକୁ ନେଇ ଆଶା ପ୍ରକାଶ କରିଛନ୍ତି। କହିଛନ୍ତି-ଭାରତର ଶୁଭକାମନା ଯେ, ବାଂଲାଦେଶ ସମୃଦ୍ଧି ଲାଭ କରୁ। ଏକ ଗଣତାନ୍ତ୍ରିକ ଦେଶ ଭାବେ ଆମେ ଚାହୁଁଛୁ ଯେ,ପଡୋଶୀ ଦେଶରେ ମଧ୍ୟ ଜନତାଙ୍କ ଇଚ୍ଛାର ସମ୍ମାନ ଗଣତାନ୍ତ୍ରିକ ପ୍ରକ୍ରିୟା ଦ୍ୱାରା ହେଉ।