ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ନିଆଁ ଗୁଜବରୁ ରେଳ ଦୁର୍ଘଟଣା: ୧୩ ମୃତ, ୪୦ ଆହତ, ମୃତକଙ୍କ ପରିବାରକୁ ୬.୫୦ ଲକ୍ଷ ସହାୟତା

Published By : Prameya | January 23, 2025 8:45 AM

ଜଲଗାଓଁ,୨୩/୦୧: ମହାରାଷ୍ଟ୍ରର ଜଲଗାଓଁରେ ବୁଧବାର ଏକ ହୃଦୟବିଦାରକ ରେଳ ଦୁର୍ଘଟଣା ଘଟିଛି । ନିଆଁ ଗୁଜବରୁ ଗୋଟିଏ ଟ୍ରେନର ଯାତ୍ରୀ ବାହାରକୁ ଡେଇଁପଡ଼ିଥିଲେ । ସେମାନଙ୍କ ଉପରେ ଅନ୍ୟ ଏକ ଟ୍ରେନ ମାଡ଼ିଯାଇଛି । ଫଳରେ  ୧୩ ଜଣ ଯାତ୍ରୀ ପ୍ରାଣ ହରାଇଥିବା ବେଳେ  ୪୦ ଜଣ ଆହତ ହୋଇଛନ୍ତି । ମହାରାଷ୍ଟ୍ରର ଜଲଗାଓଁସ୍ଥିତ ପାଚୋରା  ଷ୍ଟେସନ ନିକଟବର୍ତ୍ତୀ ମାହେଜି ଓ ପରଧାଡ଼େ ମଝିରେ ଏହି ଦୁର୍ଘଟଣା ବୁଧବାର ସନ୍ଧ୍ୟା ୪ଟା ୫୦ରେ ଘଟିଛି । ଲକ୍ଷ୍ନୌ-ମୁମ୍ବାଇ  ପୁଷ୍ପକ ଏକ୍ସପ୍ରେସ ଅଚାନକ ରହିଯିବାରୁ ଏଥିରେ ନିଆଁ ଲାଗିଥିବା ନେଇ ଗୁଜବ ସୃଷ୍ଟି ହୋଇଥିଲା । ଏହାପରେ କିଛି ଯାତ୍ରୀ ଚେନ୍‌ ଟାଣି ପ୍ରାଣ ବିକଳରେ ବାହାରକୁ ଡେଇଁଥିଲେ । ଠିକ୍‌ ଏତିକି ବେଳେ ବିପରୀତ ଦିଗରୁ ଦ୍ରୁତ ବେଗରେ ଆସୁଥିବା ବେଙ୍ଗାଲୁରୁ-ନୂଆଦିଲ୍ଲୀ କର୍ଣ୍ଣାଟକ ଏକ୍ସପ୍ରେସ ସେମାନଙ୍କ ଉପରେ ମାଡ଼ିଯାଇଥିଲା । 

ରେଳ ଅଧିକାରୀଙ୍କ ଅନୁସାରେ, କର୍ଣ୍ଣାଟକ ଏକ୍ସପ୍ରେସ ଅଚାନକ ବୁଲାଣି ଟ୍ରାକ୍‌ (ସାର୍ପ ଟର୍ନ)ରେ ଗତି କରୁଥିବା ବେଳେ ଡ୍ରାଇଭର ରେଳ ଧାରଣା ଉପରେ ଲୋକଙ୍କୁ ଦେଖିପାରି ନ ଥିଲେ । ବୁଲାଣି ଶେଷ ହେବା କ୍ଷଣି ଏତେ ଲୋକଙ୍କୁ ଦେଖି ହତବାକ୍‌ ହୋଇଯାଇଥିଲେ । କ’ଣ କରିବେ ତାଙ୍କୁ ବୁଦ୍ଧି ଦିଶି ନ ଥିଲା । ଜୋରରେ ହର୍ନ ବଜାଇବା  ସହ ବ୍ରେକ୍‌ କଷିବାକୁ ଲାଗିଥିଲେ । କିନ୍ତୁ ଦ୍ରୁତ ଗତି ଯୋଗୁ ଟ୍ରେନ୍‌କୁ ସେ ରୋକିପାରି ନ  ଥିଲେ, ଯାହାଦ୍ୱାରା ଏହି ଦୁର୍ଘଟଣା ଘଟିଥିଲା । 

ପ୍ରତ୍ୟକ୍ଷଦର୍ଶୀଙ୍କ ମୁତାବକ, ଯାତ୍ରୀମାନେ  ପୁଷ୍ପକ ଏକ୍ସପ୍ରେସରୁ ଡେଇଁବା ପରେ କର୍ଣ୍ଣାଟକ ଏକ୍ସପ୍ରେସକୁ ଦେଖିନେଇଥିଲେ ।  କିନ୍ତୁ ଗହଳି ଅଧିକ ଥିବାରୁ ସେମାନେ ନିଜକୁ ଧାରଣାରୁ ଏତେଶୀଘ୍ର ହଟାଇ ପାରି ନ  ଥିଲେ । ଖବର ପାଇ ରେଳ କର୍ତ୍ତୃପକ୍ଷ ଓ ସ୍ଥାନୀୟ ଜରୁରି ସେବା ବିଭାଗ ଦୁର୍ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜୋରଦାର  କରିଥିଲେ । ସ୍ଥାନୀୟ ଲୋକମାନେ ମଧ୍ୟ ଉଦ୍ଧାର କାର୍ଯ୍ୟରେ  ସହଯୋଗ କରିଥିଲେ । ୮ଟି ଆମ୍ବୁଲାନ୍ସରେ ମେଡିକାଲ  ଟିମ୍‌ ଆହତ ଯାତ୍ରୀଙ୍କୁ ତୁରନ୍ତ ଚିକିତ୍ସା ଯୋଗାଇଥିଲେ ।  ମୃତ ଯାତ୍ରୀଙ୍କ ଶବଗୁଡ଼ିକୁ ଉଦ୍ଧାର ପରେ ଜଲଗାଓଁସ୍ଥିତ  ହସ୍ପିଟାଲରେ ରଖାଯାଇଛି । କେନ୍ଦ୍ରୀୟ ରେଳପଥ ଓ ପଶ୍ଚିମ କେନ୍ଦ୍ରୀୟ ରେଳପଥ ତରଫରୁ ହେଲ୍ପଲାଇନ ନମ୍ବର ଜାରି ହୋଇଛି । ମୁମ୍ବାଇଠାରୁ ୪୦୦ କିଲୋମିଟର ଓ ଜଲଗାଓଁରୁ  ୨୦ କିଲୋମିଟର ଦୂରରେ ଏହି ଦୁର୍ଘଟଣା ଘଟିଛି । 

ଜଣେ ବରିଷ୍ଠ ରେଳ ଅଧିକାରୀ କହିଛନ୍ତି, କର୍ଣ୍ଣାଟକ  ଏକ୍ସପ୍ରେସ (୧୨୬୨୭) ଯଶୋୱନ୍ତପୁରରୁ ହଜରତ ନିଜାମୁଦ୍ଦିନ ଅଭିମୁଖେ ଯାଉଥିଲା । ଏହି ସମୟରେ ପୁଷ୍ପକ  ଏକ୍ସପ୍ରେସ (୧୨୫୩୩) ଲକ୍ଷ୍ନୌରୁ ମୁମ୍ବାଇ ଯାଉଥିଲା ।  ପୁଷ୍ପକ ଏକ୍ସପ୍ରେସର ଏକ ବଗି ଭିତରେ ‘ହଟ୍‌ ଏକ୍ସେଲ’ ବା ‘ବ୍ରେକ୍‌-ବାଇଣ୍ଡିଙ୍ଗ୍‌ (ଜାମିଙ୍ଗ୍‌)’ ଯୋଗୁ ଧୂଆଁ ବାହାରିଥିଲା । ଏହାକୁ ଦେଖି କିଛି ଯାତ୍ରୀ ଭୟଭୀତ ହୋଇପଡ଼ିଥିଲେ । ସେମାନେ ଭୟରେ ଚେନ୍‌ ଟାଣିଥିଲେ । ଏହାପରେ ବଗିରେ  ଥିବା ଅନ୍ୟମାନେ ତଳକୁ ଡେଇଁଥିଲେ । 

ରେଳ ଦୁର୍ଘଟଣାକୁ ନେଇ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ,  ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ  ଆଦିତ୍ୟନାଥ ଏବଂ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର  ଫଡ଼ନବିସ ଶୋକବ୍ୟକ୍ତ କରିଛନ୍ତି। ମହାରାଷ୍ଟ୍ର ସରକାର ମୃତ  ଯାତ୍ରୀଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ  ରାଶି ପ୍ରଦାନ ଲାଗି ଘୋଷଣା କରିଛନ୍ତି। ସେହିଭଳି ରେଳପଥ  ପକ୍ଷରୁ ମୃତକଙ୍କ ପରିବାରକୁ ୧.୫ ଲକ୍ଷ, ଆହତଙ୍କୁ ୫୦ ହଜାର ଓ ସାମାନ୍ୟ ଆହତଙ୍କୁ ୫ ହଜାର ଟଙ୍କା ସହାୟତା ଦେବାକୁ ଘୋଷଣା ହୋଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.