ନୂଆଦିଲ୍ଲୀ, ୩୦।୫: ଭାରତୀୟଙ୍କ ସବୁଠାରୁ ପ୍ରିୟ ଏବଂ ସ୍ୱାଦିଷ୍ଟ ଫଳ ଆମ୍ବ । ହେଲେ ବିଶ୍ୱ ବଜାରରୁ ଭାରତୀୟ ଆମ୍ବ ପାଇଁ ଏକ ନିରାଶଜନକ ଖବର ସାମ୍ନାକୁ ଆସିଛି । ଭାରତର ଆମ୍ୱ ଉପରେ ଏବେ ବ୍ୟାନ୍ ଲାଗିଛି ! ଜାପାନ ସରକାର ଭାରତୀୟ ଆମ୍ବ ଆମଦାନୀ ଉପରେ ଅସ୍ଥାୟୀ ଭାବେ ରୋକ୍ ଲଗାଇ ଦେଇଛନ୍ତି । ଜାପାନର ଏହି ନିଷ୍ପତ୍ତି ପରେ ଭାରତର ପ୍ରସିଦ୍ଧ ଆଲଫୋନସୋ, କେସର, ଲଙ୍ଗଡ଼ା ଏବଂ ବାଙ୍ଗନପଲ୍ଲୀ ଭଳି ପ୍ରିମିୟମ୍ ଆମ୍ବ ରପ୍ତାନି କରୁଥିବା ବ୍ୟବସାୟୀଙ୍କୁ ଏକ ବଡ଼ ଝଟକା ଲାଗିଛି । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଭାରତ ହେଉଛି ବିଶ୍ୱର ସବୁଠାରୁ ବଡ଼ ଆମ୍ବ ଉତ୍ପାଦନକାରୀ ଦେଶ । ପ୍ରତିବର୍ଷ ଆମ ଦେଶରେ ପ୍ରାୟ ୨୪ ମିଲିୟନ୍ ମେଟ୍ରିକ୍ ଟନ୍ ଆମ୍ବ ଉତ୍ପାଦନ ହୋଇଥାଏ ଏବଂ ଏହାର ଚମତ୍କାର ସ୍ୱାଦ ପାଇଁ ଭାରତର ଆମ୍ୱ ସାରା ବିଶ୍ୱ ପ୍ରସିଦ୍ଧ ।

କିନ୍ତୁ ହଠାତ୍ ଭାରତୀୟ ଆମ୍ୱ କାହିଁକି ବ୍ୟାନ୍ କଲା  ଜାପାନ ? କ’ଣ ଆମ୍ବର ସ୍ୱାଦ ଖରାପ ଥିଲା ନା ଏହା ପଛରେ ଅନ୍ୟ କିଛି କାରଣ ରହିଛି ? ଏହି ବ୍ୟାନ୍ ପଛରେ କୌଣସି ସ୍ୱାଦ କିମ୍ବା ଗୁଣବତ୍ତାର ସମସ୍ୟା ନାହିଁ, ବରଂ ଏହା ପଛରେ ରହିଛି ଜାପାନର କଠୋର କୃଷି କ୍ୱାରେଣ୍ଟାଇନ୍ ନିୟମ । ଘଟଣାଟି ହେଉଛି, ଚଳିତ ବର୍ଷ ମାର୍ଚ୍ଚରେ ଜାପାନର କ୍ୱାରେଣ୍ଟାଇନ୍ ଅଧିକାରୀମାନେ ଭାରତ ଗସ୍ତ କରିଥିଲେ । ସେମାନେ ଭାରତରେ ଆମ୍ବର ପ୍ରକ୍ରିୟାକରଣ ଏବଂ ପ୍ୟାକେଜିଂ ସୁବିଧାର ଯାଞ୍ଚ କରିଥିଲେ। ଏହି ନିରୀକ୍ଷଣ ସମୟରେ, ରପ୍ତାନି ପୂର୍ବରୁ କରାଯାଉଥିବା 'ଫ୍ୟୁମିଗେସନ୍' ଅର୍ଥାତ୍ କୀଟନାଶକ ଧୂଆଁ ଦେବା ପ୍ରକ୍ରିୟା ଏବଂ ସଫାସୁତୁରା ପ୍ରଣାଳୀରେ କିଛି ବୈଷୟିକ ତ୍ରୁଟି ମିଳିଥିଲା । ଆପଣଙ୍କୁ କହିରଖୁଛୁ ଯେ, ଜାପାନ ଅନ୍ୟ ଦେଶରୁ ଆସୁଥିବା ଫଳରେ କୀଟପତଙ୍ଗ ଏବଂ 'ଫ୍ରୁଟ୍ ଫ୍ଲାଇଜ୍' କୁ ନେଇ 'ଜିରୋ ଟଲରେନ୍ସ' ନୀତି ଆପଣାଇଥାଏ । ଏହି ତ୍ରୁଟି ସାମ୍ନାକୁ ଆସିବା ପରେ, ଜାପାନ ୨୫ ମାର୍ଚ୍ଚ ୨୦୨୬ ପରେ ଜାରି ହୋଇଥିବା ପ୍ରମାଣପତ୍ର ବିଶିଷ୍ଟ ଭାରତୀୟ ଆମ୍ବର କୌଣସି ବି ସ୍ଲଟକୁ ଗ୍ରହଣ କରିବାକୁ ମନା କରିଦେଇଛି ।

ଏହି ଖବର ଭିତରେ ଏବେ ସାରା ବିଶ୍ୱରେ ଆଉ ଏକ ଚର୍ଚ୍ଚା ଜୋର୍ ଧରିଛି । ଭାରତୀୟ ଆମ୍ବ ତ ବ୍ୟାନ୍ ହୋଇଗଲା, କିନ୍ତୁ ଜାପାନର ଲୋକମାନେ ନିଜେ କେଉଁ ଆମ୍ବ ସବୁଠାରୁ ଅଧିକ ଖାଆନ୍ତି ? ଜାପାନରେ କେଉଁ ଆମ୍ବର ଚାହିଦା ସବୁଠାରୁ ଅଧିକ ? ଜାପାନରେ ନିଜ ଦେଶର ଏକ ସ୍ୱତନ୍ତ୍ର ଆମ୍ବ ମିଳେ, ଯାହାର ନାଁ ହେଉଛି ‘ମିୟାଜାକି’ । ଏହାକୁ ସେଠାରେ 'Egg of the Sun' ବା 'ସୂର୍ଯ୍ୟର ଅଣ୍ଡା' ମଧ୍ୟ କୁହାଯାଏ । ଏହି ଆମ୍ବ ଦୁନିଆର ସବୁଠାରୁ ମହଙ୍ଗା ଆମ୍ବ ମଧ୍ୟରୁ ଗୋଟିଏ, ଯାହାର ମୂଲ୍ୟ କିଲୋଗ୍ରାମ ପ୍ରତି ଲକ୍ଷ ଲକ୍ଷ ଟଙ୍କା । ଜାପାନୀମାନେ ଏହି ସ୍ଥାନୀୟ ଆମ୍ବକୁ ବହୁତ ପସନ୍ଦ କରନ୍ତି । କିନ୍ତୁ ସାଧାରଣ ଲୋକଙ୍କ ପାଇଁ ସେମାନେ ମେକ୍ସିକୋ, ଥାଇଲ୍ୟାଣ୍ଡ ଏବଂ ଫିଲିପାଇନ୍ସ ଭଳି ଦେଶରୁ ମଧ୍ୟ ଆମ୍ବ ଆମଦାନୀ କରିଥାନ୍ତି, ଯେଉଁଥିରେ ଭାରତ ମଧ୍ୟ ସାମିଲ ଥିଲା । ଆଶା କରାଯାଉଛି ଯେ, ଭାରତୀୟ ରପ୍ତାନିକାରୀମାନେ ଖୁବଶୀଘ୍ର ଏହି ବୈଷୟିକ ତ୍ରୁଟିକୁ ସୁଧାରି ନେବେ ଏବଂ ଜାପାନ ବଜାରକୁ ପୁଣିଥରେ ଭାରତୀୟ ଆମ୍ବର ମିଠା ସ୍ୱାଦ ଫେରିଆସିବ ।

ଆହୁରି ପଢ଼ନ୍ତୁ... ​​​​​​​Religious Controversy : ହିନ୍ଦୁ ଦେବାଦେବୀଙ୍କୁ ଅସମ୍ମାନ, ଲୋକେ ଅଳିଆ ପକାଇବେନି ବୋଲି ହସ୍ପିଟାଲ କାନ୍ଥରେ ଲାଗିଛି ଲକ୍ଷ୍ମୀ ଏବଂ ମହାଦେବଙ୍କ ଫଟୋ