ଭୁବନେଶ୍ୱର,୨୦/୦୧: ନାୟିକାକୁ ନାୟକ କହିବ ‘ଏଇ ବୋଧେ ଶେଷ ଦେଖା’ । ପୁଣି କହିବ ‘ଅଧା ରହିଗଲା ଆମ କାହାଣୀ’ । ‘ତୁ ବୋଧେ ମୋ ଭାଗ୍ୟରୁ ନାହୁଁ’ରୁ ନେଇ ‘ଶ୍ରୀକୃଷ୍ଣ ଆଖିରେ ସୁଦାମା ଲୁହ’ । କେହି କାହାଠୁ କମ୍ ନୁହେଁ, କେଉଁଠି ଦୈତାରୀ ପଣ୍ଡା, ଗୌର ଦାସ, ତ କେଉଁଠି କାହ୍ନା ସ୍ୱାଇଁ, ସୁବାଷ ବେହେରା । କେଉଁଠି ୟୁଥ୍ ଷ୍ଟାର ସାଇସତ୍ୟଜିତ୍ ଆଉ କେଉଁଠି ଅଶ୍ୱିନୀ । ଭଳିକି ଭଳି କାହାଣୀ ଦେଖିବେ ଯାତ୍ରାଦର୍ଶକ । ଏଥିସହ ପ୍ରିୟ କଳାକାରଙ୍କ ମଞ୍ଚ କମ୍ପାଇବା ଭଳି ଡାଇଲଗ ବି ଶୁଣିବେ । ଖଣ୍ଡଗିରି ଯାତ୍ରା ମହାସମର ପାଖେଇ ଆସୁଥିବା ବେଳେ ଯାତ୍ରା ଦର୍ଶକଙ୍କ ଉତ୍କଣ୍ଠା ବି ବଢିବାରେ ଲାଗିଛି ।

ପେଣ୍ଡାଲରେ ମଞ୍ଚ ବନ୍ଧା ଚାଲିଛି । ଟିକଟଘରକୁ ରଙ୍ଗ କରାଯାଉଛି । ଘନଘନ ବୈଠକ ବି ବସୁଛି । କେମିତି ଯାତ୍ରା ପରିବେଷଣ ହେବ, ଦର୍ଶକମାନେ କିପରି ସୁରୁଖୁରୁରେ ଯାତ୍ରା ଦେଖିବେ ସେଥିପାଇଁ ଆଲୋଚନା ବି ହେଉଛି । ଆଉ ସମୟ ନାହିଁ, ହାତରେ ମାତ୍ର ୭ଦିନ । ତଥାପି ଯୁଦ୍ଧକାଳୀନଭିତ୍ତିରେ ଯାତ୍ରା ପାଇଁ ପ୍ରସ୍ତୁତି ଚଲାଇଛନ୍ତି ସବୁ କମିଟି ।

ଏବର୍ଷ ନୂଆ ରୂପରେ ନୂଆ ଢଙ୍ଗରେ ଖଣ୍ଡଗିରିରେ ଯାତ୍ରା ପରିବେଷଣ ହେବ । ଏଥରକ ଅଶୋକ ସମ୍ରାଟ, ତୁଳସୀ ଗଣନାଟ୍ୟ, କୋଣାର୍କ ଗଣନାଟ୍ୟ, ଅପେରା ସୂର୍ଯ୍ୟମନ୍ଦିର, ମା ସିଂହବାହିନୀ, ଶିବାନୀ ଗଣନାଟ୍ୟ, ସ୍ୱର୍ଣ୍ଣ ମହଲ, ରଙ୍ଗମହଲ, ଯାତ୍ରା ଇନ୍ଦ୍ରଭୁବନ, କଳିଙ୍ଗ ଗଣନାଟ୍ୟ, ଧଉଳି ଗଣନାଟ୍ୟ, ଅପେରା ରାଜଦରବାର ସହ ଯାତ୍ରା ବିଶ୍ୱଦରବାର, ଅପେରା ଶ୍ରୀମନ୍ଦିର ଭଳି କିଛି ନୂଆ ପାର୍ଟି ବି ଆସୁଛନ୍ତି । ତେଣୁ ଯୁଦ୍ଧ ଘମାଘୋଟ ହେବା ପକ୍କା ।

ଆଇଗିଣିଆ ହରେକୃଷ୍ଣ ମହତାବ ପେଣ୍ଡାଲ ସଭାପତି କୃଷ୍ଣଚନ୍ଦ୍ର ଜେନା କହିଛନ୍ତି, ଏଥରକ ଦୁଇଟି ପର୍ଯ୍ୟାୟରେ ମଞ୍ଚସ୍ଥ ହେବ ଦୁଇଟି ଭିନ୍ନଭିନ୍ନ ନାଟକ । ଗୋଟିଏ ହେଲା ଅଶୋକ ସମ୍ରାଟର ‘ଅଧା ରହିଗଲା ଆମ କାହାଣୀ’ ଓ ଅନ୍ୟଟି ହେଲା ତୁଳସୀ ଗଣନାଟ୍ୟର ‘ଏଇ ବୋଧେ ଶେଷ ଦେଖା’ । ଘାଟିକିଆ ସନାତନ ସେବା ସମିତି ପକ୍ଷରୁ ଏଥରକ ଅପେରା ସୂର୍ଯ୍ୟମନ୍ଦିର ପକ୍ଷରୁ ନୂଆ ରୂପରେ ‘ହାଇଦର’ ମଞ୍ଚସ୍ଥ ହେବ । ସେହିପରି ‘ଅଭାଗିନୀ ଅଂଜଳି’ ବି ଲାଇନ୍ରେ ରହିଛି ବୋଲି କମିଟି ସଭାପତି ଚତୁର୍ଭୁଜ ମାଝୀ ସୂଚନା ଦେଇଛନ୍ତି । ଏହି ପେଣ୍ଡାଲରେ କୋଣାର୍କ ତାର ଦୁଇଟି ନାଟକ ‘ତୁ ବୋଧେ ମୋ ଭାଗ୍ୟରେ ନାହୁଁ’, ‘ଶ୍ରୀକୃଷ୍ଣ ଆଖିରେ ସୁଦାମା ଲୁହ’ ପରିବେଷଣ କରିବ । ମା ମଙ୍ଗଳା ପେଣ୍ଡାଲରେ ଘାଣ୍ଟିବ ରଙ୍ଗମହଲ ।

ରଙ୍ଗମହଲର ଚର୍ଚ୍ଚିତ ନାଟକ ‘କଟି କଟି ଡବଲ କଟି’ ୭ରାତି ଚାଲିବ ବୋଲି ପାର୍ଟି ମାଲିକ ସତ୍ୟ ଜେନା କହିଛନ୍ତି । ଅନନ୍ତକେଶରୀ ଦେବ ପେଣ୍ଡାଲରେ ଅପେରା ରାଜଦରବାରକୁ ଧଉଳି ଭାଗ୍ୟ ପରୀକ୍ଷା କରିବେ । ଅପେରା ରାଜଦରବାରର ‘ଆଖି ପଲକରେ ଖୋଜୁଛି ତତେ’, ଗୋଟେ ଚଷା ପୁଅର ପ୍ରେମ କାହାଣୀ, ‘କେତେ କନ୍ଦେଇବୁ କଳା ସାଆନ୍ତ’, ‘ପୁଅ ଜନ୍ମକରି ପାପ କରିଛି’ ସହ ଯାତ୍ରା ଧଉଳିର ‘ଚଣ୍ଡାଶୋକ’, ‘କିଏ କାନ୍ଦି ନାହଁ ହାତ ଟେକ’, ‘ସବୁ ଅଙ୍କ ଭୂଲ ହୋଇଗଲା’, ‘ସାଇଲେଣ୍ଟ କିଲର’ ଭଳି ନାଟକ ଲାଇନ୍ରେ ରହିଛି । ଦର୍ଶକଙ୍କୁ ଯାହା ପସନ୍ଦ ଆସିବ, ତାହା ପରିବେଷଣ ହେବ ବୋଲି ଯାତ୍ରା କମିଟି ଗୁଡ଼ିକ ପକ୍ଷରୁ କୁହାଯାଇଛି ।