ନୂଆପଡ଼ା,୦୪/୧୧: ବିଜେଡ଼ି ସୁପ୍ରିମୋ ନୂଆପଡା ଗସ୍ତ ପରେ ସାମ୍ବାଦିକ ସମ୍ମିଳନୀ କରି ଦୁଃଖ ପ୍ରକାଶ କଲେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ । ସ୍ବର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ଶ୍ରଦ୍ଧାଞ୍ଜଳି ସଭାକୁ ଆସିନଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଏବେ ଉପ ନିର୍ବାଚନରେ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିବା ପାଇଁ ଆସୁଛନ୍ତି। ଏହା ଦେଖି ମୋତେ ବହୁତ ଦୁଃଖ ଲାଗୁଛି। ନବୀନ ପଟ୍ଟନାୟକ ମୋର ବାପା ତୁଲ୍ୟ ଥିଲେ। ତାଙ୍କର ରଣନୀତି କ'ଣ ଅଛି ସେ ଉପରେ ମୋର ଟିପ୍ପଣୀ ଦେବାର ନାହିଁ। ମତେ କିଏ କ'ଣ କହିଦେଲେ କିଛି ହେବ ନାହିଁ। ସମସ୍ତ ଭୋଟର ଜାଣିଛନ୍ତି ତାଙ୍କର ନେତା କିଏ । ମୋ ବାପା ଜୀବନ ସରା ଦଳ ପାଇଁ ସମ୍ପୂର୍ଣ୍ଣ ଭାବରେ ସମର୍ପିତ ଥିଲେ କିନ୍ତୁ ଦଳ ଟିକେ ବି ତାଙ୍କୁ ସମର୍ଥନ ଦେଲାନାହିଁ। ବିଜୁ ଜନତା ଦଳ କିଏ ଯେ ମୋତେ ଖରାପ ପୁଅର ଆଖ୍ୟା ଦେବ। ମୋ ମାଆ ଅଛନ୍ତି । ମୋ ପରିବାର ମୋ ସହ ଅଛନ୍ତି। ରାଜନୀତିରେ କିଏ କାହାକୁ କ'ଣ ବି କହି ଦେଇପରେ। ବୋଲି ଜୟ ଢୋଲକିଆ କହିଛନ୍ତି ।
ସେ କହିଛନ୍ତି, ବିଜେଡି ବାପାଙ୍କୁ ପଚାରିନଥିଲା। ଶେଷ ଅବସ୍ଥାରେ ଯେତେବେଳେ ବାପା ରାଜେନ୍ଦ୍ର ଢୋଲକିଆ ଡାକ୍ତରଖାନାରେ ଚିକିତ୍ସାଧୀନ ଥିଲେ ସେତେବେଳେ ତାଙ୍କୁ ଦେଖା କରିବା ତ ଦୂରର କଥା, କୌଣସି ବିଜେଡ଼ି ନେତୃବୃନ୍ଦ ତାଙ୍କୁ ଫୋନ୍ କରି ତାଙ୍କ କଥା ବୁଝିନଥିଲେ। ଏପରିକି ଦଶାହ ପାଇଁ ବିଜେଡି ଯେଉଁ ବୈଠକ କରିଥିଲା, ସେଠାକୁ ବି ଡାକି ନଥିଲା। ମୋର ବାପାଙ୍କ ସ୍ବପ୍ନ ଥିଲା ନୂଆପଡ଼ାକୁ ଏକ ନମ୍ବର କରିବା। ଆଉ ବାପାଙ୍କ ସେହି ସ୍ବପ୍ନକୁ ପୂରଣ କରିବା ଲାଗି ମୁଁ ବିଜେପିରେ ମିଶିଛି। ବିଜେଡିରେ ଥିଲେ ତାହା ସମ୍ଭବ ହୋଇନଥାନ୍ତା ବୋଲି କହିଛନ୍ତି । ସେଥିପାଇଁ ବିଜେଡ଼ିକୁ ଛାଡ଼ି ବିଜେପିରେ ସାମିଲ ହୋଇଥିଲି ।
ଢୋଲକିଆ ପରିବାର କେବେ ବି ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ବିଜେପି ରାଷ୍ଟ୍ରୀୟ ଓ ରାଜ୍ୟ ସଭାପତିଙ୍କୁ ଭୁଲି ପାରିବନି ଓ ସର୍ବଦା ତାଙ୍କର ଋଣିହୋଇ ରହିବ ବୋଲି ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ଏକ ନିର୍ବାଚନୀ ସଭାରେ କହିଛନ୍ତି । ଗତକାଲି ବୁଦ୍ଧିକୋମନାରେ ଆୟୋଜିତ ନିର୍ବାଚନୀ ସଭାରେ ବିଜେପି ପ୍ରାର୍ଥୀ ଜୟ ଏହା କହିଛନ୍ତି । ନୂଆପଡ଼ା ଉପନିର୍ବାଚନ ପାଇଁ ୩ ପ୍ରମୁଖ ଦଳର ପ୍ରାର୍ଥୀ ଓ ତୁଙ୍ଗନେତାମାନେ ନିର୍ବାଚନୀ ପ୍ରଚାର କରିଛନ୍ତି । ଏବେ ବିଜେପି, ବିଜେଡ଼ି ଓ କଂଗ୍ରେସ ଭଳି ୩ପ୍ରମୁଖ ଦଳ ଆରୋପ ପ୍ରତ୍ୟାରୋପ କରୁଛନ୍ତି ।