ନୂଆଦିଲ୍ଲୀ, ୨।୬: କଥାରେ ଅଛି, ସଂଘର୍ଷର ସାଥୀ ଯଦି ସଚ୍ଚୋଟ ହୋଇଥାଏ, ତେବେ ସଫଳତା ଦ୍ୱିଗୁଣିତ ହୋଇଯାଏ । ଏଭଳି ଏକ ଅସାଧାରଣ ତଥା ପ୍ରେରଣାଦାୟୀ ଚିତ୍ର ଦେଖିବାକୁ ମିଳିଛି ଚଳିତ ବର୍ଷର ଜେଇଇ ଆଡଭାନ୍ସଡ ୨୦୨୬ ପରୀକ୍ଷା ଫଳରେ । ଦୁଇଜଣ ସାଙ୍ଗ, ଯେଉଁମାନେ ଗୋଟିଏ ହଷ୍ଟେଲରେ ରହୁଥିଲେ, ଏକାଠି ପଢୁଥିଲେ, ଏକାଠି ଖେଳୁଥିଲେ ଏବଂ ପ୍ରତିଯୋଗିତାର ସବୁଠାରୁ କଠିନ ମାନସିକ ଚାପକୁ ମିଳିତ ଭାବେ ସାମ୍ନା କରୁଥିଲେ, ଆଜି ସେମାନେ ଦେଶର ଶୀର୍ଷ ସ୍ଥାନ ହାସଲ କରିଛନ୍ତି । ଜେଇଇ ଆଡଭାନ୍ସଡ ପରିଣାମ ପ୍ରକାଶ ପାଇବା ପରେ ଏହି ଦୁଇ ବନ୍ଧୁଙ୍କ ଖୁସି କହିଲେ ନସରେ । ସଫଳତାର ଶୀର୍ଷରେ ପହଞ୍ଚିବା ପରେ ମଧ୍ୟ ଦୁହେଁ ଦୁହିଁଙ୍କ ହାତ ଛାଡ଼ିନାହାନ୍ତି । ଜଣେ ସର୍ବଭାରତୀୟ ସ୍ତରରେ ପ୍ରଥମ ସ୍ଥାନ (AIR 1) ଅଧିକାର କରିଥିବା ବେଳେ ଅନ୍ୟଜଣେ ମାତ୍ର ୧ ନମ୍ବର ବ୍ୟବଧାନରେ ଦ୍ୱିତୀୟ ସ୍ଥାନ (AIR 2) ହାସଲ କରି ସମଗ୍ର ଦେଶରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ।
ମାତ୍ର ୧ ନମ୍ବରର ବ୍ୟବଧାନ, ଶୁଭମ ରାଙ୍କ-୧ ଓ କବୀର ରାଙ୍କ-୨:
ଆଇଆଇଟି ପ୍ରବେଶିକା ପରୀକ୍ଷାରେ ଇତିହାସ ରଚିଥିବା ଏହି ଦୁଇ ବନ୍ଧୁ ହେଉଛନ୍ତି ଶୁଭମ କୁମାର ଏବଂ କବୀର ଛିଲ୍ଲର । ବିହାରର ବାସିନ୍ଦା ଶୁଭମ କୁମାର ଚଳିତ ବର୍ଷ ଜେଇଇ ଆଡଭାନ୍ସଡରେ ଅଲ୍ ଇଣ୍ଡିଆ ରାଙ୍କ-୧ ହାସଲ କରିଛନ୍ତି । ମୋଟ୍ ୩୬୦ ନମ୍ବରରୁ ସେ ୩୩୦ ନମ୍ବର ରଖି ଟପ୍ପର ହୋଇଛନ୍ତି । ଅନ୍ୟପଟେ ତାଙ୍କର ପରମ ମିତ୍ର କବୀର ଛିଲ୍ଲର ମାତ୍ର ଏକ ନମ୍ବର ପଛରେ ରହି ଅର୍ଥାତ୍ ୩୨୯ ନମ୍ବର ସହ ଦ୍ୱିତୀୟ ରାଙ୍କ (AIR 2) ଅକ୍ତିଆର କରିଛନ୍ତି । ଏହି ୧ ନମ୍ବରର ଫରକ ଯୋଗୁଁ ମେରିଟ୍ ଲିଷ୍ଟରେ ସେମାନଙ୍କ ସ୍ଥାନ ଉପର-ତଳ ହୋଇଥାଇପାରେ, କିନ୍ତୁ ସେମାନଙ୍କ ବନ୍ଧୁତା ଆଗରେ ଏହି ସଂଖ୍ୟାର କୌଣସି ମୂଲ୍ୟ ନାହିଁ । ଦୁହେଁ ଏକାଠି ଆଇଆଇଟି କ୍ରାକ୍ କରି ନିଜ ପରିବାର ଓ ଅଞ୍ଚଳ ଗୌରବ ଆଣିଛନ୍ତି ।
ହଷ୍ଟେଲର ସେହି ଦୁଇଟି ମହଲା ଓ ବ୍ୟାଡମିଣ୍ଟନର ସେହି ସଞ୍ଜ:
ମିଳିଥିବା ସୂଚନା ଅନୁଯାୟୀ, ଶୁଭମ ଓ କବୀର ରାଜସ୍ଥାନର କୋଟାସ୍ଥିତ ଏକ କୋଚିଂ ସେଣ୍ଟରରେ ଜେଇଇ ପାଇଁ ପ୍ରସ୍ତୁତି କରୁଥିଲେ । ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, ଦୁହେଁ ଗୋଟିଏ ହଷ୍ଟେଲରେ ରହୁଥିଲେ । ଶୁଭମ ହଷ୍ଟେଲର ଚତୁର୍ଥ ମହଲାରେ ରହୁଥିବା ବେଳେ କବୀର ସପ୍ତମ ମହଲାରେ ରହୁଥିଲେ । ଗତ ଦୁଇ ବର୍ଷ ଧରି ସେମାନଙ୍କର ଦୈନନ୍ଦିନ ଜୀବନ କେବଳ କ୍ଲାସ, ଟେଷ୍ଟ ସିରିଜ୍, ଆସାଇନମେଣ୍ଟ ଏବଂ ରିଭିଜନ ଭିତରେ କଟିଥିଲା । କିନ୍ତୁ ଏହି କଠିନ ପରିଶ୍ରମ ମଧ୍ୟରେ ମାନସିକ ଚାପ ଦୂର କରିବା ପାଇଁ ଦୁହେଁ ଏକ ଅଭିନବ ଉପାୟ ଆପଣାଇଥିଲେ । ପ୍ରତିଦିନ ସନ୍ଧ୍ୟାରେ ବହିପତ୍ର ଛାଡ଼ି ଦୁହେଁ କିଛି ସମୟ ପାଇଁ ଏକାଠି ବ୍ୟାଡମିଣ୍ଟନ ଖେଳୁଥିଲେ । ଏହି ଖେଳ କେବଳ ସେମାନଙ୍କ ପାଠପଢ଼ାର ଷ୍ଟ୍ରେସକୁ ଦୂର କରୁନଥିଲା, ବରଂ ସେମାନଙ୍କ ବନ୍ଧୁତାକୁ ଆହୁରି ମଜବୁତ କରିଥିଲା ।
ବନ୍ଧୁର ସଫଳତାରେ ଇର୍ଷା ନୁହେଁ, ଗର୍ବ ଅନୁଭବ କରୁଛନ୍ତି କବୀର:
ସାଧାରଣତଃ ଦେଖାଯାଏ ଯେ, ମାତ୍ର ୧ ନମ୍ବର ପାଇଁ ଯଦି କେହି ଶୀର୍ଷ ସ୍ଥାନରୁ ବଞ୍ଚିତ ହୁଏ, ତେବେ ତାଙ୍କ ମନରେ ନିରାଶା ଆସିଥାଏ । କିନ୍ତୁ କବୀରଙ୍କ କ୍ଷେତ୍ରରେ ଏହା ସମ୍ପୂର୍ଣ୍ଣ ଓଲଟା । କବୀର ଏହାକୁ ନିଜ ପାଇଁ ଏକ ବଡ଼ ସେଲିବ୍ରେସନର ମୁହୂର୍ତ୍ତ ବୋଲି କହିଛନ୍ତି । କବୀରଙ୍କ କହିବାନୁସାରେ "ଶୁଭମ ଗତ ଦୁଇ ବର୍ଷ ହେବ ଅକ୍ଲାନ୍ତ ପରିଶ୍ରମ କରିଛି, ତେଣୁ ସେ ଏହି ପ୍ରଥମ ସ୍ଥାନ ପାଇଁ ସମ୍ପୂର୍ଣ୍ଣ ଯୋଗ୍ୟ । ଯଦି ଶୁଭମ ଜାଗାରେ ଅନ୍ୟ କେହି ରାଙ୍କ-୧ ହୋଇଥାନ୍ତା, ତେବେ ବୋଧହୁଏ ମତେ ଟିକେ ଦୁଃଖ ଲାଗିଥାନ୍ତା । କିନ୍ତୁ ମୋ ନିଜ ସାଙ୍ଗକୁ ଶୀର୍ଷରେ ଦେଖି ମୁଁ ଅତ୍ୟନ୍ତ ଆନନ୍ଦିତ ।" କବୀରଙ୍କ ଏହି ଉକ୍ତି ପ୍ରମାଣ କରୁଛି ଯେ ସେମାନଙ୍କ ସମ୍ପର୍କ କେତେ ଗଭୀର ।
ଜୁନ୍ ୧ରେ ପ୍ରକାଶ ପାଇଲା ରେଜଲ୍ଟ, ଉତ୍ସବମୁଖର କୋଟା:
ଆଇଆଇଟି ରୁର୍କି ଦ୍ୱାରା ପରିଚାଳିତ ଏହି ଜେଇଇ ଆଡଭାନ୍ସଡ ପରୀକ୍ଷାର ଫଳାଫଳ ଜୁନ୍ ୧ ତାରିଖ ସକାଳେ ଅଫିସିଆଲ୍ ୱେବସାଇଟ୍ରେ ଜାରି କରାଯାଇଥିଲା । ସକାଳୁ ଯେତେବେଳେ ହଜାର ହଜାର ସ୍ତୁଡେଣ୍ଟସ୍ ନିଜର ଭାଗ୍ୟ ଚେକ୍ କରୁଥିଲେ, ସେତିକିବେଳେ ଏହି ଦୁଇ ବନ୍ଧୁ ନିଜର ରେଜଲ୍ଟ ଦେଖି ଖୁସିରେ ଆତ୍ମହରା ହୋଇପଡ଼ିଥିଲେ । ଗୋଟିଏ ପଟେ ଅଲ୍ ଇଣ୍ଡିଆ ରାଙ୍କ ୧ ଓ ଅନ୍ୟପଟେ ରାଙ୍କ-୨ କୋଟାର ସେହି ହଷ୍ଟେଲରେ ବର୍ତ୍ତମାନ କେବଳ ବନ୍ଧୁତା ଓ ସଫଳତାର ଉତ୍ସବ ପାଳନ କରାଯାଉଛି ।
ଚଳିତ ବର୍ଷ ୫୬ ହଜାରରୁ ଅଧିକ ପରୀକ୍ଷାର୍ଥୀ କୃତକାର୍ଯ୍ୟ:
ଏହି ବର୍ଷ ଜେଇଇ ଆଡଭାନ୍ସଡ ପରୀକ୍ଷାରେ ମୋଟ ୫୬,୮୮୦ ଜଣ କ୍ୟାଣ୍ଡିଡେଟ୍ କ୍ୱାଲିଫାଏ କରିଛନ୍ତି । ଏମାନଙ୍କ ମଧ୍ୟରେ ୧୦,୧୦୭ ଜଣ ମହିଳା ଆଶାୟୀ ରହିଛନ୍ତି । ଟପ୍ପର ତାଲିକାକୁ ଦେଖିଲେ, ଶୁଭମ ଏବଂ କବୀରଙ୍କ ବ୍ୟତୀତ ଆଇଆଇଟି ଦିଲ୍ଲୀ ଜୋନ୍ର ଜତିନ ଚାହର ୩୧୯ ନମ୍ବର ସହ ଦେଶରେ ତୃତୀୟ ସ୍ଥାନ ହାସଲ କରିଛନ୍ତି । ସେହିପରି ଝିଅମାନଙ୍କ ମଧ୍ୟରେ ଆଇଆଇଟି ଦିଲ୍ଲୀ ଜୋନର ଆରୋହୀ ଦେଶପାଣ୍ଡେ CRL ୭୭ ରାଙ୍କ ସହ ପ୍ରଥମ ସ୍ଥାନରେ ରହିଛନ୍ତି ।
ଆଜିଠାରୁ ଆରମ୍ଭ ହେଉଛି ଜୋସା (JoSAA) କାଉନସେଲିଂ:
ଜେଇଇ ଆଡଭାନ୍ସଡ କୃତକାର୍ଯ୍ୟ ହୋଇଥିବା ସମସ୍ତ ବିଦ୍ୟାର୍ଥୀଙ୍କ ପାଇଁ ଏବେ ଆଇଆଇଟିରେ ଆଡମିଶନ ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି । ଦେଶର ପ୍ରତିଷ୍ଠିତ ଆଇଆଇଟି, ଏନଆଇଟି ଏବଂ ଆଇଆଇଆଇଟି ଗୁଡ଼ିକରେ ନାମଲେଖା ପାଇଁ ଜୋସା କାଉନସେଲିଂର ସେସନ ଆଜି ଅର୍ଥାତ ଜୁନ୍ ୨ ତାରିଖଠାରୁ ଆରମ୍ଭ ହେଉଛି । ସଫଳ ଛାତ୍ରଛାତ୍ରୀମାନେ ଏଥିପାଇଁ ଅଫିସିଆଲ୍ ପୋର୍ଟାଲରେ ରେଜିଷ୍ଟ୍ରେସନ କରି ନିଜର ପସନ୍ଦର କଲେଜ ଓ ବ୍ରାଞ୍ଚ ଚୟନ କରିପାରିବେ ।
ଆହୁରି ପଢ଼ନ୍ତୁ... NEET ପେପର ଲିକ୍ ନେଲା ଆଉ ଏକ ଜୀବନ: ପାଟନାର ହଷ୍ଟେଲ୍ ରୁମରେ ଝୁଲିଲା ମେଧାବୀ ଛାତ୍ରୀ ଶ୍ରୁତିଙ୍କ ଶବ