ପାଟନା, ୨।୬: ନୀଟ୍ ପେପର ଲିକ୍ ମହାଘୋଟାଲା ଏବେ ଦେଶର ଲକ୍ଷ ଲକ୍ଷ ମେଧାବୀ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଅନ୍ଧାର ଭିତରକୁ ଠେଲି ଦେଇଛି । ବର୍ଷ ବର୍ଷ ଧରି ଦିନରାତି ଏକ କରି, ନିଜର ସବୁ ସୁଖ-ଆରାମକୁ ଜଳାଞ୍ଜଳି ଦେଇ ପାଠ ପଢ଼ୁଥିବା ପିଲାମାନଙ୍କ ପରିଶ୍ରମ ଉପରେ ଯେତେବେଳେ ଏହି ପେପର ଲିକ୍ କ୍ଷଣିକ ମଧ୍ୟରେ ପାଣି ଫେରାଇ ଦେଲା, ସେତେବେଳେ ଅନେକ ଛାତ୍ରଛାତ୍ରୀ ଜୀବନ ଯୁଦ୍ଧରେ ହାରିଯାଇଛନ୍ତି । ପୁଣିଥରେ ଏକ୍ଜାମ୍ ଦେବା ପାଇଁ ସେମାନଙ୍କ ଭିତରେ ଆଉ ଧୈର୍ଯ୍ୟ କିମ୍ବା ସାହସ ବଞ୍ଚିନାହିଁ । ଏଭଳି ପରିସ୍ଥିତିରେ ଅତି ନିରାଶ ହୋଇ କିଛି ଛାତ୍ରଛାତ୍ରୀ ଅତ୍ୟନ୍ତ ଭୟଙ୍କର ତଥା ଆତ୍ମଘାତୀ ପଦକ୍ଷେପ ଆପଣେଇ ନେଉଛନ୍ତି । ଏହି କ୍ରମରେ ଆଜି ସମସ୍ତୀପୁରର ମେଧାବୀ ଛାତ୍ରୀ ଶ୍ରୁତି କୁମାରୀଙ୍କ ନାମ ଏହି ଦୁଃଖଦ ତାଲିକାରେ ଯୋଡ଼ି ହୋଇଯାଇଛି ।
ଫାଶିରେ ଝୁଲିଲା ଡାକ୍ତର ହେବାର ସ୍ୱପ୍ନ:
ବିହାରର ପାଟନାସ୍ଥିତ ଏକ ହଷ୍ଟେଲ୍ ରୁମ୍ରୁ ଶ୍ରୁତି କୁମାରୀଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଯେଉଁ କୋଠରୀରେ ସେ ଦିନରାତି ଏକ କରି ଡାକ୍ତର ହେବା ପାଇଁ, ନୀଟ୍ ପରୀକ୍ଷାରେ ସଫଳ ହେବା ପାଇଁ ପ୍ରସ୍ତୁତି କରୁଥିଲେ, ସେହି କୋଠରୀରେ ହିଁ ସେ ଫାସି ଲଗାଇ ଆତ୍ମହତ୍ୟା କରିଛନ୍ତି । ଘଟଣାଟି ଘଟିଛି ପାଟନାର ପତ୍ରକାର ନଗର ଥାନା ଅନ୍ତର୍ଗତ ସଚିବାଳୟ କଲୋନୀର ୨A/୨୬ ନମ୍ବର ଘରେ ଥିବା 'ରାଧେ କୃଷ୍ଣ ହଷ୍ଟେଲ'ରେ । ମଙ୍ଗଳବାର ସକାଳେ ଶ୍ରୁତିଙ୍କ ମୃତଦେହ ରୁମ୍ ଭିତରୁ ଝୁଲନ୍ତା ଅବସ୍ଥାରେ ମିଳିଥିଲା । ମୃତ ଶ୍ରୁତି ସମସ୍ତୀପୁରର ବାସିନ୍ଦା ହୋଇଥିବା ବେଳେ ସେ ୨୦୨୪ ମସିହାରୁ ଏହି ହଷ୍ଟେଲରେ ରହି ନୀଟ୍ ପାଇଁ କୋଚିଂ ନେଉଥିଲେ । ହଷ୍ଟେଲ କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ, ଗତକାଲି ରାତିରେ ଖାଇବା ପରେ ଶୋଇବାକୁ ଯାଇଥିଲେ, ହେଲେ ସକାଳର ଦୃଶ୍ୟ ସମସ୍ତଙ୍କୁ ସ୍ତବ୍ଧ କରିଦେଇଥିଲା ।
"ବାପା-ମାଆ ମୋ ସହ କଥା ହେଉନଥିଲେ" - ଶ୍ରୁତିଙ୍କ ଅବସାଦ
ପୁଲିସର ପ୍ରାଥମିକ ତଦନ୍ତ ଏବଂ ଶ୍ରୁତିଙ୍କ ସାଙ୍ଗମାନଙ୍କ ବୟାନରୁ ଏକ ଦୁଃଖଦ ସତ୍ୟ ସାମ୍ନାକୁ ଆସିଛି । ପ୍ରାୟ ୧୦ ଦିନ ପୂର୍ବରୁ ହିଁ ଶ୍ରୁତି ନିଜ ଗାଁରୁ ପାଟନା ଫେରିଥିଲେ । ଶ୍ରୁତିଙ୍କ ବନ୍ଧୁମାନେ କହିଛନ୍ତି ଯେ, ପେପର ଲିକ୍ ଘଟଣା ପରଠାରୁ ସେ ପ୍ରବଳ ମାନସିକ ଚାପରେ ଥିଲେ । ସେ ପ୍ରାୟତଃ କହୁଥିଲେ ଯେ, ପରୀକ୍ଷାକୁ ନେଇ ତାଙ୍କ ବାପା-ମାଆ ତାଙ୍କ ଉପରେ ଅଭିମାନ କରିଛନ୍ତି ଏବଂ ତାଙ୍କ ସହ ଠିକ୍ ଭାବେ କଥାବାର୍ତ୍ତା କରୁନାହାନ୍ତି । ଏହି ମାନସିକ ଅବସାଦ ଓ ଭବିଷ୍ୟତର ଚିନ୍ତା ଶ୍ରୁତିଙ୍କୁ ଭିତରୁ ଭାଙ୍ଗି ଦେଇଥିଲା, ଯାହା ପାଇଁ ସେ ଏଭଳି ଚରମ ପଦକ୍ଷେପ ନେଇଥିବା ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ ଫରେନସିକ୍ ଟିମ୍ ପହଞ୍ଚି ସାଇଣ୍ଟିଫିକ୍ ତଦନ୍ତ ଶେଷ କରିଛି ଏବଂ ଶବକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି । ପୁଲିସ ଶ୍ରୁତିଙ୍କ ପରିବାର ଲୋକଙ୍କ ସହ ଯୋଗାଯୋଗ କରିଛି, ପୋଷ୍ଟମର୍ଟମ ପରେ ମୃତଦେହ ହସ୍ତାନ୍ତର କରାଯିବ ବୋଲି ଜଣାପଡ଼ିଛି ।
ଏହା ପୂର୍ବରୁ ମଧ୍ୟପ୍ରଦେଶର ଆକାଂକ୍ଷା ମଧ୍ୟ ଦେଇଥିଲେ ଜୀବନ:
ନୀଟ୍ ପେପର ଲିକ୍ ଯୋଗୁଁ ଆତ୍ମହତ୍ୟା କରିବାରେ ଶ୍ରୁତି ପ୍ରଥମ ନୁହନ୍ତି । ଏହା ପୂର୍ବରୁ ମଧ୍ୟପ୍ରଦେଶର ମଉଗଞ୍ଜ ଜିଲ୍ଲାର ବାସିନ୍ଦା ଆକାଂକ୍ଷା ଚତୁର୍ବେଦୀ ମଧ୍ୟ ଏହି ପେପର ଲିକ୍ ଦୁର୍ନୀତି ଯୋଗୁଁ ଆତ୍ମହତ୍ୟା କରିଥିଲେ । ଆକାଂକ୍ଷା ପାଠପଢ଼ାରେ ଅତ୍ୟନ୍ତ ମେଧାବୀ ଥିଲେ ଏବଂ ତାଙ୍କର ନୀଟ୍ ପରୀକ୍ଷା ମଧ୍ୟ ବହୁତ ଭଲ ହୋଇଥିଲା । କିନ୍ତୁ ଯେତେବେଳେ ପେପର ଲିକ୍ ଖବର ସାମ୍ନାକୁ ଆସିଲା, ସେ ଗଭୀର ସଦମାରେ ଚାଲିଯାଇଥିଲେ । ସେ ଖାଇବା ପିଇବା ଛାଡ଼ି ଦେଇଥିଲେ ଏବଂ କାହା ସହ କଥା ହେଉନଥିଲେ । "ଯଦି ପୁଣିଥରେ ପରୀକ୍ଷା ହୁଏ ଓ ସେଥିରେ ଭଲ ମାର୍କ ନଆସେ, ତେବେ ସେ କ’ଣ କରିବେ ?" – ଏହି ଭୟ ତାଙ୍କୁ ଗ୍ରାସ କରିଥିଲା ।
ଋଣ ବୋଝ ସହିପାରିଲେନି ଆକାଂକ୍ଷା:
ଆକାଂକ୍ଷା ଏକ ଅତି ଗରିବ କୃଷକ ପରିବାରର ଝିଅ ଥିଲେ । ତାଙ୍କୁ ଡାକ୍ତର ବନାଇବା ପାଇଁ ତାଙ୍କ ବାପା କିଷାନ କ୍ରେଡିଟ୍ କାର୍ଡ ମାଧ୍ୟମରେ ୧୫ ଲକ୍ଷ ଟଙ୍କାର କରଜ କରିଥିଲେ । ପେପର ଲିକ୍ ହେବା ପରେ ଆକାଂକ୍ଷାଙ୍କ ସବୁ ଆଶା ଭାଙ୍ଗି ଚୂରମାର ହୋଇଯାଇଥିଲା । ସେ ତାଙ୍କ ସୁସାଇଡ୍ ନୋଟ୍ରେ ଲେଖିଥିଲେ ଯେ, ସେ ତାଙ୍କ ବାପା-ମାଆଙ୍କ ପାଇଁ ସବୁକିଛି ବରବାଦ କରିଦେଲେ ଏବଂ ସେ ଏହି ମାନସିକ ବୋଝ ସହ୍ୟ କରିପାରୁନାହାନ୍ତି ।
ବଡ଼ ପ୍ରଶ୍ନ: ଏହି ମେଧାବୀଙ୍କ ମୃତ୍ୟୁ ପାଇଁ ଦାୟୀ କିଏ ?
ଦେଶର ଶିକ୍ଷା ବ୍ୟବସ୍ଥାରେ ବାରମ୍ବାର ଘଟୁଥିବା ପେପର ଲିକ୍ ଏବେ କେବଳ ପରୀକ୍ଷାର୍ଥୀଙ୍କ ଭବିଷ୍ୟତ ନୁହେଁ, ବରଂ ସେମାନଙ୍କ ଜୀବନ ମଧ୍ୟ ନେବାରେ ଲାଗିଛି । ଗୋଟିଏ ପଟେ ଦୁର୍ନୀତିଖୋରଙ୍କ ପାଇଁ ପରୀକ୍ଷା ପ୍ରହସନ ପାଲଟୁଥିବା ବେଳେ, ଅନ୍ୟପଟେ ଶ୍ରୁତି ଏବଂ ଆକାଂକ୍ଷାଙ୍କ ଭଳି ମେଧାବୀ ଓ ଗରିବ ପରିବାରର ପିଲାମାନେ ନିଜ ଜୀବନ ହାରୁଛନ୍ତି । ଏହି ଘଟଣା ସାରା ଦେଶର ଅଭିଭାବକ ଓ ଛାତ୍ର ସମାଜକୁ ଆନ୍ଦୋଳିତ କରିବା ସହ ବ୍ୟବସ୍ଥା ଉପରେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ଆହୁରି ପଢ଼ନ୍ତୁ... Kill Switch: ଡିଜିଟାଲ ଠକଙ୍କ ପାଇଁ କାଳ ସାଜିବ RBIର ‘Kill Switch’, ଗୋଟିଏ କ୍ଲିକ୍ରେ ଖାଲି ହେବାରୁ ବଞ୍ଚିଯିବ ବ୍ୟାଙ୍କ ଆକାଉଣ୍ଟ !