ନୂଆଦିଲ୍ଲୀ ୧୯/୦୨: ରିଲିଜ ହେବାକୁ ଥିବା ସିନେମା ‘ପାଇରେଟ୍ସ ଅଫ୍‌ କାରିବିଆନ୍‌’ର ୬ଷ୍ଠ ସିରିଜ୍‌ରେ ଜନି ଡିପ୍‌ଙ୍କୁ ପୁଣିଥରେ ଦେଖିବାକୁ ମିଳିବ କ୍ୟାପଟେନ୍‌ ‘ଜ୍ୟାକ୍‌ ସ୍ପାରୋ’ ଭୂମିକାରେ । ଡିଜ୍‌ନି ୱାର୍ଲ୍ଡ ଷ୍ଟୁଡିଓରେ ଏହି ସିନେମାର ନିର୍ମାଣ ଚାଲିଥିବା ନେଇ ସୂଚନା ମିଳିଛି । ସୂଚନା ମୁତାବକ ଜନି ଡିପ ପାଇରେଟ୍ସ ସିନେମାର ପୂର୍ବ ପାଞ୍ଚଟି ସିରିଜରେ କ୍ୟାପଟେନ ଜ୍ୟାକ୍‌ ସ୍ପାରୋ ଭୂମିକା ନିର୍ବାହ କରି ପ୍ରଶଂସକଙ୍କ ବେଶ୍‌ ପ୍ରିୟ ପାଲଟିଥିଲେ । ‘ଡେଡ୍‌ ମେନ ଟେଲ୍ସ ନୋ ଟେଲ୍ସ’ ସିନେମା ରିଲିଜ ହେବାର ଆଠ ବର୍ଷ ପରେ ଏହା ପ୍ରଥମ ପାଇରେଟ୍ସ ସିନେମା ହୋଇଥିବାର ସୂଚନା ରହିଛି । 

ତେବେ ୨୦୦୩ରେ ପ୍ରଥମ ପାଇରେଟ୍ସ ସିନେମା ‘ପାଇରେଟ୍ସ ଦ କର୍ସ ଅଫ ଦ ବ୍ଲାକ ପର୍ଲ’ ରିଲିଜ ହୋଇଥିଲା । ଏହା ପରେ ୨୦୦୬ରେ ‘ଡେଡ ମ୍ୟାନ୍ସ ଚେଷ୍ଟ’ ନାମକ ଦ୍ୱିତୀୟ ପାଇରେଟ୍ସ ସିନେମା ରିଲିଜ ହୋଇଥିଲା । ଏହାର ତୃତୀୟ ଓ ଚତୁର୍ଥ ସିରିଜ ୨୦୦୭ ଓ ୨୦୧୧ରେ ରିଲିଜ ହୋଇଥିଲା । ୨୦୧୭ରେ ଶେଷଥର ପାଇଁ ଏହାର ପଞ୍ଚମ ସିରିଜ ରିଲିଜ ହୋଇଥିଲା । ଏହା ପରେ କ୍ୟାପଟେନ ଜ୍ୟାକ ସ୍ପାରୋଙ୍କୁ ପୁଣି ଥରେ ଦେଖିବା ପାଇଁ ପ୍ରଶଂସକମାନେ ବହୁ ପ୍ରତୀକ୍ଷା କରିଥିଲେ ମଧ୍ୟ ଡିଜ୍‌ନି ପକ୍ଷରୁ କୌଣସି ନୂଆ ପାଇରେଟ୍ସ ସିନେମା ରିଲିଜ ହୋଇ ନଥିଲା । ଏହାର ଷଷ୍ଠ ସିରିଜ ରିଲିଜ ତାରିଖକୁ ନେଇ କୌଣସି ସ୍ପଷ୍ଟ ସୂଚନା ନଥିବା ବେଳେ ୨୦୨୩ରୁ ଏହାର ସ୍କ୍ରିପ୍ଟ ଲେଖା ହେଉଥିବା ଜଣାପଡ଼ିଛି ।