ଚନ୍ଦକା, ୧୯।୨: ଭୁବନେଶ୍ୱର ଉପକଣ୍ଠ ଦାରୁଠେଙ୍ଗରେ ରହିଛି ସତ୍ୟ ମହିମା ଆଶ୍ରମ ଆଦ୍ୟ ସିଦ୍ଧ ଗୋବିନ୍ଦ ବାବାଙ୍କ ଗାଦି । ମହିମା ଧର୍ମର ପ୍ରଚାର ପ୍ରସାର କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ନିର୍ବାହ କରୁଥିବା ଏହି ପୀଠରେ ରହିଛି ଗାଦି ମନ୍ଦିର, ବାଲ୍ୟଲୀଳା ମଣ୍ଡପ, ଭଜନ ମଣ୍ଡପ ଓ ଭିକ୍ଷା ମଣ୍ଡପ । ଦୂର ଦୂରାନ୍ତରୁ ବହୁ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକ ଏହି ପୀଠକୁ ଆସୁଛନ୍ତି । ଢେଙ୍କାନାଳ ଜିଲ୍ଲାର ଯୋରନ୍ଦା ଗାଦି ଭଳି ଏଠାକାର ସାଧୁସନ୍ଥ ମହିମା ଧର୍ମର ପଚାର ଓ ପ୍ରସାରରେ ନିଜକୁ ବ୍ରତୀ ରଖିଛନ୍ତି । ତେବେ ସରକାରୀ ଉଦାସୀନତାରୁ ଏହି ପୀଠର ଆବଶ୍ୟକ ବିକାଶ ହୋଇପାରିନାହିଁ । ନିଜସ୍ୱ ଜମି, ସମ୍ପତି ଓ ଆୟ ଉତ୍ସ ନଥିବାରୁ ପୀଠର ପରିଚାଳନା ସ୍ଥାନୀୟ ଲୋକଙ୍କ ସହଯୋଗରେ ହେଉଛି । ଇତିହାସରୁ ଜଣାଯାଏ, ୨ଶହ ବର୍ଷ ତଳେ ସତ୍ୟ ମହିମା ଅଲେଖ ସ୍ୱାମୀ ମହିମା ଧର୍ମର ପ୍ରଚାର ପାଇଁ ଗାଁ ଗାଁ ଘୁରି ବୁଲୁଥିବାବେଳେ ଦାରୁଠେଙ୍ଗରେ ପହଞ୍ଚିଥିଲେ । ତାଙ୍କ ସହ ଥିଲେ ଆଦ୍ୟ ସିଦ୍ଧ ଗୋବିନ୍ଦ ବାବା । ଗୁରୁ ଶିଷ୍ୟ ଦୁହେଁ ଦାରୁଠେଙ୍ଗ ଗାଁ ମୁଣ୍ଡରେ ଅବସ୍ଥାନ କରିଥିଲେ ।
ଓଡ଼ିଶାରେ ମହିମା ଧର୍ମର ୨ଟି ଗାଦି ରହିଛି । ଗୋଟିଏ ଯୋରନ୍ଦା ଥିବାବେଳେ ଅନ୍ୟଟି ଦାରୁଠେଙ୍ଗରେ । ଏହି ଦ୍ୱିତୀୟ ପୀଠ ଆଦ୍ୟ ସିଦ୍ଧ ବ୍ରହ୍ମଲୀନ ଗୋବିନ୍ଦ ବାବାଙ୍କ ସମୟର । ଗୋବିନ୍ଦ ବାବାଙ୍କ ପରେ ବ୍ରହ୍ମଲୀନ ବିଶ୍ୱନାଥ ବାବା ଓ ତାଙ୍କ ପରେ ବ୍ରହ୍ମଲୀନ ଜୟକୃଷ୍ଣ ବାବା ଅବସ୍ଥାନ କରିଥିଲେ । ତାଙ୍କ ପ୍ରଚେଷ୍ଟାରେ ଏଠାରେ ଗାଦି ମନ୍ଦିର, ଭଜନ ମଣ୍ଡପ, ଧିୁନୀ ମନ୍ଦିର, ବାଲ୍ୟଲୀଳା ମଣ୍ଡପ ପ୍ରତିଷ୍ଠା ହୋଇଛି । ଜୟକୃଷ୍ଣ ବାବାଙ୍କ ପରେ ଏବେ ବ୍ରହ୍ମ ଅବଧୂତ ବ୍ରଜବନ୍ଧୁ ବାବା ଏହି ପୀଠର ମୁଖ୍ୟ ଅଛନ୍ତି । ତେବେ ଜୟକୃଷ୍ଣ ବାବାଙ୍କ ପ୍ରଦର୍ଶିତ ମାର୍ଗରେ ଏଠାରେ ସମସ୍ତ ନୀତିକାନ୍ତି ହେଉଛି । ଗାଦି ପୀଠରେ ପ୍ରତି ପୂର୍ଣ୍ଣିମାର ପୂର୍ବଦିନ ବା ଚତୁର୍ଦ୍ଦଶୀ ସନ୍ଧ୍ୟାରେ ଅଖଣ୍ଡ ବତୀ ଝାଡ଼ଦୀପ ପ୍ରଜ୍ଜ୍ୱଳନ କରାଯାଏ । ରାତିରେ ଭଜନ ଜଣାଣ ହୁଏ । ପୂର୍ଣ୍ଣିମା ସକାଳେ ବାଲ୍ୟଲୀଳା ଅର୍ପଣ, ସାଧୁ ଭିକ୍ଷା ଏବଂ ସନ୍ଧ୍ୟାରେ ଅଖଣ୍ଡ ଦୀପ ଧରି ମହିମା ଭକ୍ତଗଣ ଗ୍ରାମ ପରିକ୍ରମା କରନ୍ତି । ଗାଦିରେ ମାଘ ଚତୁର୍ଦ୍ଦଶୀ, ବୈଶାଖ ଚତୁର୍ଦ୍ଦଶୀ ଓ କାର୍ତ୍ତିକ ଚତୁର୍ଦ୍ଦଶୀ ସହିତ ପୂର୍ଣ୍ଣିମା ପାରମ୍ପରିକ ରୀତିରେ ପାଳନ ହୁଏ । ଗାଦି ପୀଠରେ ମୁଖ୍ୟ ପର୍ବ ଭାବେ ନବାନ୍ନ ବା ନୂଆଖାଇ ପାଳନ ହୁଏ । ଭାଦ୍ରବ ମାସ ଦ୍ୱିତୀୟା ତିଥିରେ ଦାରୁଠେଙ୍ଗ, ଜୁଝଗଡ଼, ଚନ୍ଦକା, ଡମଣା, ଅନ୍ଧାରୁଆ, ଇଞ୍ଜଣା, ପଟିଆ, ଶିମିଳିପାଟଣା, ମଳିପଡ଼ା, ଭୁବନେଶ୍ୱର, ଆଠଗଡ଼, ନରସିଂପୁର, ପଥରଗାଡ଼ିଆ ଆଦି ଅଞ୍ଚଳରୁ ବହୁ ମହିମା ଭକ୍ତ ଆସିଥାନ୍ତି ।
ତେବେ ପୀଠର ମୁଖ୍ୟ ସମସ୍ୟା ହେଉଛି, ଜଣେ ବ୍ୟକ୍ତିଙ୍କ ଦାନ ଜମିରେ ଏହି ପୀଠ ଗଢ଼ି ଉଠିଥିବାବେଳେ ଅଦ୍ୟାବଧି ତା’ର ପଟ୍ଟା ହୋଇପାରିନି । ସେହିପରି ଗାଦିର ପରିସୀମା ସୀମିତ ହୋଇଥିବାରୁ ବିଶେଷ ଦିନଗୁଡ଼ିକରେ ଆସୁଥିବା ସାଧୁସନ୍ଥ ଓ ଶ୍ରଦ୍ଧାଳୁଙ୍କ ରହିବାରେ ସମସ୍ୟା ହେଉଛି । ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଲା ପୀଠର ନିଜସ୍ୱ ସମାଧି ସ୍ଥଳ ନାହିଁ । ତେଣୁ ସର୍ବସାଧାରଣ ଶ୍ମଶାନକୁ ବ୍ୟବହାର କରାଯାଉଛି । ଗାଦିର ମୁଖ୍ୟ ବ୍ରହ୍ମ ଅବଧୂତ ବ୍ରଜବନ୍ଧୁ ବାବା କୁହନ୍ତି, ସରକାର ଯଦି ସହଯୋଗ ଯୋଗାଇଦିଅନ୍ତେ ଗାଦିର ଉନ୍ନତି ହୋଇପାରନ୍ତା । ପର୍ଯ୍ୟଟନ ପୀଠର ମାନ୍ୟତା ମିଳିଲେ ପୀଠର ବିକାଶ ସହିତ ମହିମା ଧର୍ମର ପ୍ରଚାର ପ୍ରସାର ହୋଇପାରନ୍ତା । ଭକ୍ତ ନିମାଇଁ ଦାଶ କୁହନ୍ତି, ମହିମା ସ୍ୱାମୀ ଗୋବିନ୍ଦ ବାବାଙ୍କ ଏଠାରେ କିଛି ସମ୍ପତ୍ତି ନାହିଁ । ସ୍ଥାନୀୟ ଜନସାଧାରଣ ସାହାଯ୍ୟର ହାତ ବଢ଼ାନ୍ତି । ସେମାନଙ୍କ ଦାନ ଅର୍ଥ କାର୍ଯ୍ୟକ୍ରମରେ ଖର୍ଚ୍ଚ ହୁଏ । ବାବା ସର୍ବେଶ୍ୱର ଜେନା କହିଛନ୍ତି, ମହିମା ଧର୍ମର ବ୍ୟକ୍ତି ଆଶି ମାନସିକ ରଖନ୍ତି । ମାନସିକ ପୂରଣ ହେଲେ କାର୍ଯ୍ୟକ୍ରମରେ ଦାନଧର୍ମ କରନ୍ତି । ଏହି ପୀଠକୁ ପର୍ଯ୍ୟଟନ ମାନ୍ୟତା ପ୍ରଦାନ ପାଇଁ ଶ୍ରଦ୍ଧାଳୁ ବୁଲା ସାହୁ, ବୁଲୁ ରାଉତରାୟ, ମାଧବ ବେହେରା, କେଦାର ବାହୁବଳେନ୍ଦ୍ର, ଅଗାଧୁ ସୁନ୍ଦରାୟ, ବଂଶୀ ସାହୁ, ରୋହିତ ବେହେରା, ସନ୍ତୋଷ ପଟ୍ଟନାୟକ, ବୁଢ଼ା ରାଉତରାୟ, ଶିଖର ସାହୁ, ଦାମ ପାଲଟାସିଂହ, ଗଙ୍ଗାଧର ଗୁରୁ, ଅଜୁ ମହାରଣା, ଗୁରୁ ସୁନ୍ଦରାୟ, ପ୍ରଫୁଲ ସାହୁ, ଗନ୍ଧର୍ବ ପ୍ରଧାନ ପ୍ରମୁଖ ଭକ୍ତ ନିବେଦନ କରିଛନ୍ତି ।